- ଅଧାରୁ ଅଧିକ ଲୋକଙ୍କ ସମର୍ଥନ ଥାଇ ବି ବିରୋଧୀ ବିଭାଜିତ
- ଆଞ୍ଚଳିକ ଦଳ ମଧ୍ୟରେ ଏକତା ନାହିଁ, ନିଜ ରାଜ୍ୟ ପାଇଁ ବ୍ୟସ୍ତ
- ନିଜକୁ ନିଜେ ଦୁର୍ବଳ କରୁଛି କଂଗ୍ରେସ, ଘର ମୁରବି କଳି ତୁଟିନି
- କଂଗ୍ରେସକୁ ଛାଡ଼ି ବିରୋଧୀ ଶକ୍ତି ଅସମ୍ଭବ, ବାମ ଦଳ ନିଷ୍ପ୍ରଭ
ଭୁବନେଶ୍ବର: ନିକଟରେ ଏନ୍ସିପିର ବରିଷ୍ଠ ନେତା ଶରଦ ପାଓ୍ବାରଙ୍କ ସମେତ ଆଠଟି ରାଜନୈତିକ ଦଳର ନେତା ଏକାଠି ବୈଠକ କଲେ। ଏହି ବୈଠକ ବିଜେପି ବିରୋଧରେ ଥିଲା ଓ କଂଗ୍ରେସକୁ ଏଥିରୁ ନେତାମାନେ ଦୂରେଇ ରଖିଥିଲେ। କେହି କେହି ଏହାକୁ ତୃତୀୟ ସାମ୍ମୁଖ୍ୟ ଜନ୍ମ ନେଲା ବୋଲି ମଧ୍ୟ କହିବାକୁ ପଛାଇଲେ ନାହିଁ। ହେଲେ ବାସ୍ତବିକ କଥା ହେଉଛି, ଏହି କଳ୍ପନା ବା ଯୋଜନାର ଭ୍ରୁଣ ହତ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବୈଠକ ସରିବା ପରେ ସେଥିରେ ସାମିଲ ଥିବା ନେତାମାନେ ମଧ୍ୟ ଏ ସଂପର୍କରେ ଆଉ କେଉଁଠି ଆଲୋଚନା କରୁନାହାନ୍ତି। ବରଂ ଏମିତି ଆଚରଣ ପ୍ରଦର୍ଶନ କରୁଛନ୍ତି ଯେମିତି ଏହି ବୈଠକ ଗୋଟିଏ ଚା’ ଭୋଜି ଥିଲା। ନେତାମାନେ କହି ବୁଲୁଛନ୍ତି ଯେ ଏହି ବୈଠକ ଠୋସ୍ ରାଜନୈତିକ ଲକ୍ଷ୍ୟ ରଖି ଡକାଯାଇନଥିଲା।
ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ, ତାମଲିନାଡୁରେ ଡିଏମ୍କେ ଓ କେରଳରେ ବାମପନ୍ଥୀ ସରକାର ବିଜୟ ପରେ ସ୍ବାଭାବିକ ଭାବେ ଏହି ବୈଠକ ଚର୍ଚ୍ଚାକୁ ଆସିଥିଲା। କାରଣ ମମତା ବାନାର୍ଜୀ ଯେଭଳି ଚମତ୍କାର ବିଜୟ ଲାଭ କଲେ, ଏହା ମୋଦୀ-ଶାହ ଯୋଡିକୁ ଜବରଦସ୍ତ ଧକ୍କା ଦେଇଛି। ଏହା ପୂର୍ବରୁ ଏନସିପି-ଶିବ ସେବା-କଂଗ୍ରେସ ମହାରାଷ୍ଟ୍ରରେ ବିଜେପିକୁ ଏଭଳି ଏକ ଧକ୍କା ଦେଇଥିଲେ। ହେଲେ ଯେଉଁ ବଡ଼ ତ୍ରୁଟି ପରିଲକ୍ଷିତ ହେଲା ତାହା ହେଉଛି କଂଗ୍ରେସର ଅନୁପସ୍ଥିତି। ଅଣ କଂଗ୍ରେସ ଓ ଅଣ ବିଜେପି ମିଳିତ ମଞ୍ଚ ଗଠନ କରିବାକୁ ହେଲେ ଆଞ୍ଚଳିକ ଦଳ ନୁହେଁ, ଜାତୀୟ ଦଳର ସଂପୃକ୍ତି ରହିବା ଦରକାର ଓ ଏଥିପାଇଁ ସେମାନେ ଏକ ସର୍ବନିମ୍ନ ମୌଳିକ କାର୍ଯ୍ୟକ୍ରମ ଘୋଷଣା କରିବା କଥା, ଯାହା ଏବେ ଅସମ୍ଭବ ମନେ ହୁଏ। ଏଇଥିପାଇଁ ଯେ ଭାରତବର୍ଷରେ ଶାସନରେ ଥିବା ଅନେକ ଆଞ୍ଚଳିକ ଦଳ ସହିତ ବିଜେପିର ସଂପର୍କ ବେଶ୍ ଭଲ ଅଛି, ଯଦିଓ ସେମାନେ ପରସ୍ପର ନିର୍ବାଚନ ପୂର୍ବରୁ ମୁହାଁମୁହିଁ ହୋଇଥିଲେ।
ସେହିଭଳି ଭାରତବର୍ଷରେ କଂଗ୍ରେସ ଦୁର୍ବଳ ଅଛି, ଏକଥା ଅସ୍ବୀକାର କରାଯାଇପାରିବ ନାହିଁ। କିନ୍ତୁ ଏହା ବିଜେପି ବିରୋଧୀ ମୁଖ୍ୟ ଜାତୀୟ ଶକ୍ତି ଏହାକୁ କେହି ହାଲକା ଭାବେ ନେବା ଉଚିତ୍ ନୁହେଁ। ସାରା ଦେଶରେ ଏହି ଦଳର ଉପସ୍ଥିତି ଆଜି ବି ରହିଛି। ବେଶୀ ଦୂର ନଯାଇ ଯଦି ୨୦୧୯ ନିର୍ବାଚନ ଫଳାଫଳକୁ ଦେଖିବା, ତେବେ ଏକଥା ଜଣାପଡୁଛି ଯେ ବିଜେପି ୨୨ କୋଟି ଭୋଟ ପାଇଥିବା ବେଳେ କଂଗ୍ରେସ ୧୨ କୋଟି ପାଖାପାଖି ଭୋଟ ହାତେଇଥିଲା। ଅର୍ଥାତ୍ ଦେଶର ପାଖାପାଖି ୨୦ ପ୍ରତିଶତ ଭୋଟ ଏବେ ବି କଂଗ୍ରେସ ହାତରେ ରହିଛି।
ଏଣୁ ସ୍ବାଭାବିକ ଭାବେ କଂଗ୍ରେସକୁ ଛାଡ଼ି ବିଜେପି ବିରୋଧୀ ଶକ୍ତି ସୃଷ୍ଟି କରାଯିବା ସମ୍ଭବ ନୁହେଁ। ଯଦିଓ ୨୦୧୪ ଓ ୨୦୧୯ ନିର୍ବାଚନ ପରେ କଂଗ୍ରେସ ସ୍ଥିତି ଅତି ଗମ୍ଭୀର ରହିଛି ଏବଂ ଗତ ଦୁଇ ବର୍ଷ ଭିତରେ ସେମାନେ ଦେଶର ନେତୃତ୍ବ ନେବା ତ ଦୂରର କଥା ନିଜ ଦଳର କିଏ ନେତା ହେବ, ତାହା ସ୍ଥିର କରିପାରୁନାହାନ୍ତି। ଏହା ହିଁ ବିଜେପି ପାଇଁ ସବୁଠାରୁ ବଡ଼ ଶକ୍ତି ପାଲଟିଛି ଓ ବିରୋଧୀଙ୍କୁ ବିଭାଜନ କରାଯାଇପାରିଛି।
ଅନରୂପ ଭାବେ କଂଗ୍ରେସ ଏଭଳି ଏକ ସ୍ଥିତିରେ ଅଛି ଯିଏ କି ନିଜେ ବିଜେପିକୁ ଏକାକୀ ରୋକିପାରିବ। ରାହୁଲ ଗାନ୍ଧୀ ଜାତୀୟସ୍ତରରେ ଯେତେ ବଡ଼ ପାଟିରେ ଚିତ୍କାର କଲେ ବି ତାଙ୍କ ସ୍ବରକୁ ନା ନିଜ ଦଳରୁ ସମର୍ଥନ ମିଳୁଛି ନା ଦଳ ବାହାରେ ଥିବା ଅନ୍ୟ ଆଞ୍ଚଳିକ ଦଳମାନେ ତାଙ୍କୁ ବିଶ୍ବାସକୁ ନେଇ ସେହି ପ୍ରସଙ୍ଗକୁ ଅଧିକ ଶାଣିତ କରୁଛନ୍ତି। ସେହିଭଳି କୌଣସି ଆଞ୍ଚଳିକ ଦଳ ଆଜି ଦିନରେ ରାହୁଲଙ୍କ ସହିତ ଯିବାକୁ ଚାହୁଁନାହାନ୍ତି।
ସମଗ୍ର ଭାରତବର୍ଷର ରାଜନୀତିକୁ ନିରେଖି ଦେଖିଲେ ଗୋଟିଏ ଚିତ୍ର ଜଳ ଦଳ ହୋଇ ଦିଶୁଛି। ତାହା ହେଲା ଓଡ଼ିଶା ସମେତ ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଆଦି ରାଜ୍ୟରେ ଆଞ୍ଚଳିକ ଦଳମାନେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ହେଲେ ସେମାନେ ଗୋଟିଏ ବିଚାର ଧାରାରେ ନାହାନ୍ତି। ଏ କ୍ଷେତ୍ରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକମାତ୍ର ନେତା, ଯିଏ ସମସ୍ତଙ୍କୁ ଏକାଠି କରିପାରିବାର କ୍ଷମତା ରଖିଛନ୍ତି ଓ ଅନେକ ବାର କରିଛନ୍ତି ବି।ଦଳମତ ନିର୍ବିଶେଷରେ ସବୁଠାରେ ତାଙ୍କର ଗ୍ରହଣୀୟତା ରହିଛି। ହେଲେ ନୂଆଦିଲ୍ଲୀ ରାଜନୀତି ପ୍ରତି ତାଙ୍କର ଆଦୌ ଆଗ୍ରହ ନାହିଁ। ଏକଥା ସେ ବାରମ୍ବାର ଜଣାଇଛନ୍ତି। ମମତା ଅତ୍ୟନ୍ତ ପ୍ରଭାବୀ ହୋଇଥିଲେ ହେଁ, ତାଙ୍କର ଆକ୍ରମଣାତ୍ମକ କାର୍ଯ୍ୟକ୍ରମକୁ ଅନ୍ୟମାନେ ଗ୍ରହଣ କରିପାରୁନାହାନ୍ତି। ଏଣୁ ଆଞ୍ଚଳିକ ଦଳମାନେ ନିଜ ନିଜର ରାଜ୍ୟର ସ୍ଥିତିକୁ ଦେଖି ଗୋଟିଚାଳନା କରୁଛନ୍ତି। ଏହା ବିଜେପିକୁ ଆହୁରି ଅଧିକ ସୁହାଉଛି।
ଉତ୍ତରପ୍ରଦେଶ ନିର୍ବାଚନ ଚିତ୍ରକୁ ନିରେଖି ଦେଖିଲେ ଏକଥା ଆହୁରି ସ୍ପଷ୍ଟ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନିର୍ବାଚନକୁ ନେଇ ଯେଭଳି ତତ୍ପରତା ଦେଖାଉଛନ୍ତି, ତାହା ଅନ୍ୟ କେଉଁଠାରେ ଦେଖିବାକୁ ମିଳୁନାହିଁ। କଂଗ୍ରେସ ଏହି ନିର୍ବାଚନରେ କି ଆଭିମୁଖ୍ୟ ଗ୍ରହଣ କରିବ, ସେ ନେଇ ଦଳର ହାଇକମାଣ୍ଡ କୌଣସି ଠୋସ୍ ପଦକ୍ଷେପ ନେବା ସ୍ଥିତିରେ ନାହାନ୍ତି। ସେହିଭଳି ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଚିର ରଣନୀତି ବି ଅସ୍ପଷ୍ଟ ରହିଛି। ବିଜେପିକୁ ଅଟକାଇବା ଲାଗି ଏମାନଙ୍କ ମଧ୍ୟରେ ସର୍ବନିମ୍ନ ବୁଝାମଣା ହୋଇପାରିବ ନାହିଁ କିମ୍ବା ହେବା ସ୍ଥିତିରେ ବି ନାହିଁ। ଏହା ହିଁ ବିଜେପି ପାଇଁ ସବୁଠାରୁ ବେଶୀ ଲାଭଦାୟକ ହେଉଛି।
ରାଜନୀତିର ଯେଉଁ ଦୁଇଟି ଶକ୍ତ ବିଚାରଧାରା ଉପରେ ଗଣତନ୍ତ୍ରର ମହନୀୟତା ପରିସ୍ଫୁଟିତ ହୁଏ, ତାହା ହେଲା ବିରୋଧୀ ଦଳର ଭୂମିକା ସରକାରଙ୍କ ପ୍ରଦର୍ଶନ ଠାରୁ ଅଧିକ ସଶକ୍ତ ହେବା ଆବଶ୍ୟକ। ଅନ୍ୟଥା ଗଣତନ୍ତ୍ରର ସ୍ବାସ୍ଛ୍ୟ ଠିକ୍ ରହିବ ନାହିଁ। ସେହିଭଳି ଜାତୀୟସ୍ତରରେ ସର୍ବୌତ୍କୃଷ୍ଟ ପ୍ରଦର୍ଶନ କରିବାକୁ ହେଲେ, ଦଳ ଭିତରେ ହେଉ କିମ୍ବା ଅନ୍ୟ ରାଜନୈତିକ ଦଳ ସହିତ ସଂପର୍କକୁ ଅଧିକ ନିବିଡ଼ କରିବାକୁ ହେବ। ଏହା ଗଣତନ୍ତ୍ରରେ ରାଷ୍ଟ୍ର ସ୍ବାର୍ଥରେ କେବଳ ବ୍ୟବହାର ହେବା ଦରକାର। ଉଭୟର ଅଭାବ ଭାରତ ରାଜନୀତିରେ ପରିଲକ୍ଷିତ ହେଉଛି।
ବିରୋଧୀ ଏତେ ଦୁର୍ବଳ ଯେ କୋଭିଡ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏତେ ତମ୍ବିତୋଫାନ କରୁଥିଲେ ହେଁ, ଏହାକୁ ସାଧାରଣ ଲୋକଙ୍କ ପାଖରେ ବଞ୍ଚାଇ ରଖିବାରେ ସେମାନେ ଅସମର୍ଥ ହେଲେ। ସେହିଭଳି ଗତ ୭ବର୍ଷ ସରକାରରେ କୌଣସି ଗୋଟିଏ ଦୁର୍ନୀତି ପ୍ରସଙ୍ଗ ଆଣି କେନ୍ଦ୍ର ସରକାରଙ୍କୁ ସେମାନେ ହଲାପଟା କରିପାରିଲେ ନାହିଁ, ଯଦିଓ ଉପା ସରକାରର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ବେଳକୁ ଭାରତ ରାଜନୀତି ଦୁର୍ନୀତିକୁ ନେଇ ଉଠୁଥିଲା ଓ ପଡୁଥିଲା। ଯେହେତୁ ବିରୋଧୀ ଦଳ ମଧ୍ୟରେ ସର୍ବନିମ୍ନ ଏକତା ନାହିଁ, ସମସ୍ତେ ନିଜ ପାଇଁ ରହିଥିବା ସୁଯୋଗ ଓ ସୁରକ୍ଷାକୁ ହାତେଇବାକୁ ଉଦ୍ୟମରତ। ଏଣୁ ଏସବୁ ପ୍ରସଙ୍ଗ ଏବେ କି ନିକଟ ଭବିଷ୍ୟତରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବା ବିଜେପି ସରକାର ବିରୋଧରେ ଉଠିବା ସମ୍ଭାବନା କ୍ଷୀଣ। ଯେଉଁ ସବୁ ପ୍ରସଙ୍ଗ ଉଠିଲେ ମଧ୍ୟ ତାହା ଜାତୀୟସ୍ତର ପର୍ଯ୍ୟନ୍ତ ଟାଣିନେଇ ସମାଜର ତୃଣମୂଳସ୍ତରରେ ବିଞ୍ଛିବା ସ୍ଥିତିରେ କେହି ନାହାନ୍ତି। ନିଜ ରାଜ୍ୟରେ ଶ୍ରେଷ୍ଠ ପ୍ରଦର୍ଶନକୁ ସେମାନେ ବଡ଼ ସଫଳତା ବୋଲି ଦାବି କରୁଛନ୍ତି। ଜାତୀୟସ୍ତରରେ ବିଜେପି ବିରୋଧରେ ଯେଉଁ ୬୩ ପ୍ରତିଶତ ମତ ରହିଛି, ତାହା ଏହି କାରଣରୁ ସବୁବେଳେ ବିଭାଜିତ ହୋଇ ରହିବ।
କେହି ଭୁଲିଯିବା ଉଚିତ୍ ନୁହେଁ ଯେ ଦକ୍ଷିଣ ପନ୍ଥୀ ବିଚାରଧାରାର ମୂଳୋତ୍ପାଟନ କରିବାକୁ ହେଲେ ଐକ୍ୟତା ଯେତିକି ଗୁରୁତ୍ବପୂର୍ଣ୍ଣ, ଲୋକଙ୍କର ବିଶ୍ବାସଭାଜନ ରହିବା ତା ଠାରୁ ବଡ଼ କାର୍ଯ୍ୟ। କାରଣ ଧର୍ମ ପ୍ରତି ବିଶ୍ବାସ ସବୁବେଳେ ରହିଥାଏ। ଏଣୁ ଏହାଠାରୁ ଅଧିକ ବିଶ୍ବସ୍ତ ହେଲେ ଯାଇ ଦକ୍ଷିଣପନ୍ଥୀଙ୍କ ଗତିରୋଧ କରାଯାଇପାରିବ। ଏହି ଜଟିଳ ପାଠ ହାସଲ ପାଇଁ ବୈଠକ ଦରକାର ନାହିଁ। ତୃଣମୂଳସ୍ତରରେ ନେତାମାନଙ୍କୁ ଯୁଝିବାକୁ ପଡିବ। ଏଥିପାଇଁ କଂଗ୍ରେସ ସମେତ ଅନ୍ୟ ରାଜ୍ୟ ଦଳକୁ ନିଜ ସ୍ବାର୍ଥକୁ ବଳିଦାନ ଦେବା ଲାଗି ପ୍ରଥମେ ପ୍ରସ୍ତୁତି କରିବାକୁ ପଡିବ।