ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଆମେରିକାର ହ୍ୟୁଷ୍ଟନରେ ଗଡ଼ିଲା ମହାପ୍ରଭୁଙ୍କ ରଥ

0

ହ୍ୟୁଷ୍ଟନ : ଯୁକ୍ତରାଷ୍ଟ୍ର ଆମେରିକାର ଚତୁର୍ଥ ବୃହତ୍ତମ ମହାନଗରୀ ହ୍ୟୁଷ୍ଟନ ଠାରେ ପବିତ୍ର ଚତୁର୍ଦ୍ଦଶ ବାର୍ଷିକ ରଥଯାତ୍ରା ପର୍ବ ମହାସମାରୋହନରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଭୋରରୁ ୩୧୦୧, ଫିକ୍‍ୱେ ମାର୍ଗସ୍ଥିତ ଓଡ଼ିଶା କଲ୍‍ଚର ସେଣ୍ଟର (ଓ.ସି.ସି) ମଧ୍ୟରେ ସ୍ଥାପିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ନୃସିଂହ ହଵନ, ରଥ ବାସ୍ତୁ ପୂଜା, ନାମଯଜ୍ଞ, ମଙ୍ଗଳ ଆଳତୀ, ପ୍ରତାପ ଉପଚାର, ଜଗନ୍ନାଥ ପରିବାର ବନ୍ଦାପନା ଆଦି ପୂଜାର୍ଚ୍ଚନା ଯଥାବିଧି ଅନୁଷ୍ଠିତ ହୋଇଥିଲା।

ଏହାପରେ ଜଗନ୍ନାଥାଷ୍ଟକମ୍‍, ଗୀତ ଗୋବିନ୍ଦ ଓ ଦଶାବତାର ଗାୟନ ତଥା ଭଗବତ ଗୀତା ପାଠ କରାଯାଇଥିଲା। ମଧ୍ୟାହ୍ନରେ କେନ୍ଦ୍ରର ଆନନ୍ଦବଜାର ଭାବରେ ନାମିତ ପାକଶାଳାରେ ପ୍ରସ୍ତୁତ ୫୬ଭୋଗ ଠାକୁରଙ୍କୁ ଅର୍ପଣ କରାଯାଇ ବିଶ୍ରାମ ଦିଆଯାଇଥିଲା। ଅପରାହ୍ନ ଅଢ଼େଇଟାରେ ଦିଅଁମାନଙ୍କର ପରଦା ଉନ୍ମୁକ୍ତ ହେବା ପରେ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଉପଚାର ପୂଜା ଏବଂ ରଥ ପାଇଁ ଆଜ୍ଞାମାଳ ଗ୍ରହଣ ପ୍ରଭୃତି ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା।

ଉପସ୍ଥିତ ପ୍ରାୟ ୫୦୦ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦିପନା ପରିଲ୍ଲଖିତ ହୋଇଥିଲା। ଭକ୍ତମାନଙ୍କର ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀ ତଥା ଶଙ୍ଖ, ଘଣ୍ଟ, କର୍ତ୍ତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗର ଘୋର ଘର୍ଗର ନାଦ ଦ୍ୱାରା ଗଗନ ପବନର ପ୍ରକମ୍ପନ ଭିତରେ ଚାରି ଠାକୁରଙ୍କୁ ପହଣ୍ଡି କରାଯାଇ ରଥ ଉପରକୁ ଅଣାଯାଇଥିଲା। ସୁନ୍ଦର, ସୁଶୋଭିତ ଏବଂ ନାନା ରଙ୍ଗବେରଙ୍ଗ କପଡ଼ାରେ ଓ ସୁସଜ୍ଜିତ ରଥ ଉପରେ ଜଗତର ନାଥ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ଶ୍ରୀସୁଦର୍ଶନଙ୍କର ବିରାଜମାନର ଦୃଶ୍ୟ ବେଶ୍‍ ମର୍ମସ୍ପର୍ଶୀ ଥିଲା।

ସନ୍ଧ୍ୟା ସାଢ଼େ ୭ଟା ବେଳେ ଭୁବନେଶ୍ୱରରୁ ଆସିଥିବା ବଂଶୀଧର ଲେଙ୍କା ରଥ ଉପରେ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମାପନ କରିବା ପରେ ରଥ ଟଣା ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ରଥାରୁଢ଼ ଠାକୁରମାନେ ଭଜନ, ଜଣାଣ, ସଂକୀର୍ତ୍ତନର ସୁମଧୂର ଝଙ୍କାର ଦ୍ୱାରା ସୃଷ୍ଟ ଭକ୍ତିପୂତ ପରିବେଶ ଏବଂ ଐଶ୍ୱରିକ ଭାବାବେଗର ଅପୂର୍ବ ଉନ୍ମାଦନା ମଧ୍ୟରେ ଗୁଣ୍ଡିଚା ଗୃହରେ ପହଞ୍ଚିଥିଲେ।

ଏହି ଅବସରରେ ହ୍ୟୁଷ୍ଟନ ଠାରେ ଅବସ୍ଥାପିତ ଭାରତର କନ୍‍ସୁଲେଟ୍‍ ଜେନେରାଲ ଅସୀମ ମହାଜନ ଏବଂ ସୀତାରାମ ପ୍ରତିଷ୍ଠାନର ଅଧ୍ୟକ୍ଷ ଅରୁଣ ବର୍ମା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ରଥଯାତ୍ରାର ବିଶେଷ ଆକର୍ଷଣ ଭାବରେ ସ୍ଥାନୀୟ ଚିକିତ୍ସକମାନଙ୍କ ଦ୍ୱାରା ଏକ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଥିଲା।

ଶେଷରେ ପ୍ରତିଷ୍ଠିତ ଓ ଉଦୀୟମାନ କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ, ସମ୍ବଲପୁରୀ ଓ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରାଯାଇଥିଲା। ଓଡ଼ିଶା କଲ୍‍ଚର ସେଣ୍ଟର (ଓ.ସି.ସି)ତରଫରୁ ଆୟୋଜିତ ଚଳିତ ବର୍ଷର ରଥଯାତ୍ରା ମହୋତ୍ସବକୁ ସଫଳ ଓ ସ୍ମରଣୀୟ କରାଇବାରେ, ଏହାର ଅଧ୍ୟକ୍ଷ ଡଃ ଆଦିତ୍ୟ ସାମଲ, ସଭାପତି ଡଃ ଦେବାନନ୍ଦ ପତି, ଉତ୍ସବ କମିଟିର ଦୁଇ ଆବାହକ ତପନ ବେହେରା ଏବଂ ଅରୁଣୀ ଆଚାର୍ଯ୍ୟଙ୍କର ଭୂମିକା ବିଶେଷ ଉଲ୍ଲେଖଯୋଗ୍ୟ ଥିଲା।

Leave A Reply

Your email address will not be published.