ଉଭୟ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ ସୌଜନ୍ୟତା ପ୍ରଦର୍ଶନ କରିନାହାନ୍ତି
ନୂଆ ଶିକ୍ଷା ନୀତିରେ କେବଳ ଅଡୁଆ, କେନ୍ଦ୍ର ନା ରାଜ୍ୟ, ରାସ୍ତା କିଏ କାଢିବ?
ଉଚ୍ଚଶିକ୍ଷା ଚାବି କେନ୍ଦ୍ର ହାତରେ, ସମୀକରଣ ଠିକ୍ ନହେଲେ ଓଡ଼ିଶା ଫସିବ
ନବକଳେବର ପାଇଁ ପାଣ୍ଠି କୁଆଡୁ ଆସିବ ଅରୁଣ ପଚାରୁନାହାନ୍ତି କାହିଁକି?
ନୂଆ ନୀତିରେ ଘରୋଇ ସଂସ୍ଥାକୁ ଅଧିକ ଫାଇଦା, ରାଜ୍ୟ ନୀତିର ପରିପନ୍ଥୀ
ଭୁବନେଶ୍ବର: କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଉଭୟ ଗୋଟିଏ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଏକାଠି ପଢୁଥିଲେ, ନିର୍ବାଚନ ଲଢିଥିଲେ। ସେବେ ଅରୁଣ ଜିତିଥିଲେ, ହାରିଥିଲେ ଧର୍ମେନ୍ଦ୍ର। ସେ ସମୟରେ ଉଭୟ ଯୁବକ ଥିଲେ। ପ୍ରତିଦ୍ବନ୍ଦ୍ବିତା ମନୋଭାବ ଏବେ ଆଉ ନଥିବ। ଉଭୟ ପରସ୍ପରର ଭଲ ବନ୍ଧୁ ପାଲଟି ଯାଇଥିବେ। ଗତବର୍ଷ ଉତ୍କଳ ବିଶ୍ବବିଦ୍ୟାଳୟରେ ଏହାର ଅନେକ ପ୍ରମାଣ ଓଡ଼ିଶା ଦେଖିଛି, ଏଣୁ ଓଡ଼ିଶାବାସୀ ଏଭଳି ଭାବିବା ସ୍ବାଭାବିକ।
ପାଗ ଯୋଗ ଏମିତି ଯେ ଏବେ ଉଭୟ ଶିକ୍ଷା ବିଭାଗ ଦାୟିତ୍ବରେ। କିନ୍ତୁ ଯେଉଁ ମୌଳିକ ପ୍ରଶ୍ନଟି ଏବେ ସମଗ୍ର ରାଜ୍ୟବାସୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ଅଭିଭାବକ ସମସ୍ତଙ୍କୁ ଆନ୍ଦୋଳିତ କରୁଛି, ତାହା ହେଲା, ଜାତୀୟ ଶିକ୍ଷାନୀତି-୨୦୨୦ର ରୂପରେଖ ଓଡ଼ିଶାରେ କିଭଳି ହେବ?
ଧର୍ମେନ୍ଦ୍ର ମନ୍ତ୍ରୀ ହେବାର ତିନି ସପ୍ତାହ ବିତିଲାଣି। ଏହି ସମୟ କିଛି କମ୍ ନୁହେଁ। ହେଲେ ନା ଧର୍ମେନ୍ଦ୍ର ନିଜ ଆଡୁ ଅରୁଣଙ୍କ ସହିତ କଥା ହେଲେଣି କିମ୍ବା ଅରୁଣ ନିଜେ ସୌଜନ୍ୟତା ରକ୍ଷା କରି ଧର୍ମେନ୍ଦ୍ରଙ୍କ ପାଖରେ ବସିବାକୁ ଆଗ୍ରହ ରଖିଛନ୍ତି। ରାଜନୈତିକ ମହଲକୁ ଯେଉଁ ପ୍ରସଙ୍ଗଟି ଏବେ ଅଧିକ ବିଚଳିତ କରୁଛି, ତାହା ହେଲା ଉଭୟ ଯଦି ପରସ୍ପର ଅହଂକାରରେ କିଏ ବଡ, କିଏ ସାନ ବା ବାଣୀବିହାର ରାଜନୈତିକ ବିରୋଧାଭାସ ନେଇ ଶିକ୍ଷା ବିଭାଗରେ ମାତିବେ ତେବେ ଓଡ଼ିଶା ଲାଭରେ ରହିବନି, ବରଂ ପଛେଇ ଯିବ।
ଏକଥା ଆଉ କାହାର ଅବୁଝା ନାହିଁ ଯେ ଜାତୀୟ ଶିକ୍ଷାନୀତି ୨୦୨୦ ଓଡ଼ିଶା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇରହିଛି। ଏହି ନୀତି ସଂପର୍କରେ ରାଜ୍ୟର ଆଭିମୁଖ୍ୟ ଏଯାଏ ଅସ୍ପଷ୍ଟ । ଶିକ୍ଷା ନୀତିର ଚେହେରା ଦେଖିବା ପରେ ଜଣାପଡୁଛି ଯେ କେଉଁଠି ନା କେଉଁଠି ଏହା ସଂଘୀୟ ବ୍ୟବସ୍ଥାକୁ କିଛି ପରିମାଣରେ ପ୍ରଭାବିତ କରିବ। ଗଣଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ କିଛି ପ୍ରଭାବ ରହିପାରେ( ଏଥିଲାଗି କେନ୍ଦ୍ର ସରକାର ନୀତି ନିର୍ମାଣ, ନିୟାମକ, ଶିକ୍ଷାଗତ ବ୍ୟାପାର ଲାଗି ଏକ ସ୍ପଷ୍ଟ ପ୍ରଣାଳୀର ପରିକଳ୍ପନା କରିଛନ୍ତି। ଯେଉଁଥିରେ ରାଜ୍ୟମାନେ ଷ୍ଟେଟ୍ ସ୍କୁଲ ଷ୍ଟାଣ୍ଡାର୍ଡସ ଅଥରିଟି ଗଠନ କରିବେ)। ହେଲେ ଉଚ୍ଚଶିକ୍ଷା କ୍ଷେତ୍ରରେ କିନ୍ତୁ ସେମିତି ହେବାର ନାହିଁ। ଅସଲ ଚାବି କାଠି କେନ୍ଦ୍ର ସରକାରଙ୍କ ହାତରେ ରହିବ।
ଚିକିତ୍ସା ଓ ଆଇନ ଶିକ୍ଷାକୁ ଛାଡ଼ିଦେଲେ ସମସ୍ତ ଉଚ୍ଚଶିକ୍ଷା ଲାଗି ଏକକ ସଂସ୍ଥାନ ରୂପରେ ଭାରତର ଉଚ୍ଚ ଶିକ୍ଷା ଆୟୋଗ କାର୍ଯ୍ୟ କରିବ। ଅର୍ଥାତ୍ ରାଜ୍ୟର କ୍ଷମତା ଏ କ୍ଷେତ୍ରରେ ସଙ୍କୁଚିତ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି। କେବଳ ସେତିକି ନୁହେଁ, ସଂସଦ ବା ବିଧାନସଭାର ଭୂମିକା ଏବେ ଶିକ୍ଷା କ୍ଷେତ୍ରରେ ଗୌଣ ହୋଇଯିବା ସମ୍ଭାବନାକୁ ବି ଏଡ଼ାଇ ଦେଇ ହେଉନାହିଁ। ହେଲେ ଏତେ ବଡ ପ୍ରସଙ୍ଗ ଉପରେ ଆମ ବିଧାନସଭାରେ ଯେମିତି ତର୍କ ହେବା କଥା ତାହା ହୋଇନାହିଁ କିମ୍ବା ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁ ଏହି ପ୍ରସଙ୍ଗକୁ ବିଧାନସଭା ସାମ୍ନାକୁ ନିଜ ଆଡୁ ଆଣି ଏହା ଉପରେ ଅଧିକ ବିତର୍କ ଲାଗି ସୁଯୋଗ ସୃଷ୍ଟି କରିନାହାନ୍ତି।
ସବୁଠାରୁ ବଡ଼ ସମସ୍ୟାଟି ହେଉଛି, କେନ୍ଦ୍ର ସରକାରଙ୍କ ଏହି ଶିକ୍ଷା ନୀତିର ବେଶୀ ଲାଭ ଘରୋଇ ସଂସ୍ଥାକୁ ଯିବ। ଶିକ୍ଷା ବ୍ୟବସ୍ଥାକୁ ଅଧିକ କର୍ପୋରେଟ୍ ଅନୁଷ୍ଠାନ ପଶିଆସିବା ମଧ୍ୟ ବିଚିତ୍ର ନୁହେଁ। ରାଜ୍ୟ ସରକାରଙ୍କ ନୂତନ ଆଦର୍ଶ ବିଦ୍ୟାଳୟ ଏହାଦ୍ବାରା କିଛିଟା ଉପକୃତ ହେବେ। କିନ୍ତୁ ସାଧାରଣ ସରକାରୀ ବିଦ୍ୟାଳୟ ବିଶେଷ ଉପକୃତ ହୋଇପାରିବେ ନାହିଁ। ଏବେ ଓଡ଼ିଶା ସରକାର ଯେବେ ସାଧାରଣ ସରକାରୀ ବିଦ୍ୟାଳୟକୁ ଅଧିକ ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି, ସେବେ ଶିକ୍ଷା ନୀତି ଏହାର ପରିପନ୍ଥୀ ହେଉନି କି? ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଫର୍ମୁଲାଟି କଣ?
ସବୁ ରାଜ୍ୟକୁ ଦୃଷ୍ଟିରେ ରଖି ତଥା ମତାମତ ନେଇ କେନ୍ଦ୍ର ସରକାର ଏହି ନୀତି ପ୍ରସ୍ତୁତ କରିଥିବା କହିଛନ୍ତି। ହେଲେ ଓଡ଼ିଶା ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ଥିତି ଓ ଭିତ୍ତିଭୂମି ଯାହା, ସେଥିରେ କେନ୍ଦ୍ରୀୟ ନୀତିର ମାପଦଣ୍ଡକୁ କାର୍ଯ୍ୟକାରୀ କରିବାକୁ ହେଲେ ସବୁକ୍ଷେତ୍ରରେ ନବକଳେବରର ଆବଶ୍ୟକତା ରହିଛି। ବିଶେଷକରି ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳମାନଙ୍କରେ ଖୋଲିଥିବା ଅନୁଦାନପ୍ରାପ୍ତ ବିଦ୍ୟାଳୟ, ମହାବିଦ୍ୟାଳୟର ପୂର୍ଣ୍ଣ ନବୀକରଣ ଅପରିହାର୍ଯ୍ୟ।
ସେହିଭଳି କେନ୍ଦ୍ର ସରକାର ବିଦ୍ୟାଳୟ କ୍ଷେତ୍ରରେ ଯେଉଁ କ୍ଲଷ୍ଟର ଆଭିମୁଖ୍ୟ ରଖିଛନ୍ତି, ତାହା ରାଜନୈତିକ, ଭୌଗୋଳିକ ଓ ଆର୍ଥିକ ଦୃଷ୍ଟିକୋଣରୁ କାର୍ଯ୍ୟକାରୀ କରିବା ମଧ୍ୟ କାଠିକର ପାଠ। ରାଜ୍ୟ ସରକାର ହାଇସ୍କୁଲ ଓ ଯୁକ୍ତ ଦୁଇ ମିଶ୍ରଣ ପ୍ରସଙ୍ଗରେ ନାକେଦମ୍ ହେଲେଣି। ଏଭଳିସ୍ଥଳେ ନୂଆ ନୀତି ଆହୁରି ବିଷମ ସ୍ଥିତି ସୃଷ୍ଟି କରିବା ଅସମ୍ଭବ ନୁହେଁ। ଏ କ୍ଷେତ୍ରରେ ଉଭୟ ମନ୍ତ୍ରୀ ଆଲୋଚନା କରିବା ଉଚିତ୍ ନୁହେଁ କି?
ଅଙ୍ଗନବାଡ଼ି ଓ ପ୍ରାକ୍ ବିଦ୍ୟାଳୟକୁ ଯେଉଁ ମାନର କରିବା ଲାଗି ନୀତିରେ ମାର୍ଗଦର୍ଶନ କରାଯାଇଛି, ତାହାର କାର୍ଯ୍ୟାନ୍ବୟନ ମଧ୍ୟ ସହଜ ସାଧ୍ୟ ମନେ ହେଉନାହିଁ। କେନ୍ଦ୍ରୀୟ ନୀତିରେ କେବଳ ଶୈଶବର ଯତ୍ନ କୁହାଯାଇନାହିଁ, ତା ସହିତ ଏକ ଉନ୍ନତ ପାଠ୍ୟକ୍ରମ ସଂପର୍କରେ ସୂଚୀତ କରାଯାଇଛି। ରାଜ୍ୟରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ବାରା ନିଯୁକ୍ତି ପାଇଥିବା ଅଙ୍ଗନବାଡି କର୍ମୀ ଏହି ଆବଶ୍ୟକତାକୁ କେତେ ପରିମାଣରେ ଦୂର କରିପାରିବେ, ଶିକ୍ଷା ବ୍ୟବସ୍ଥା ଓ ପାଠ୍ୟଖସଡା ତାଲିମ ଏ କ୍ଷେତ୍ରରେ କେତେ ପ୍ରଭାବ ରଖିବ, ତାହା ଏବେ ଗଭୀର ଅନୁଶୀଳନର ଆବଶ୍ୟକତା ରହୁଛି। ରାଜ୍ୟରେ ପାଖାପାଖି ୨ହଜାର ପଞ୍ଚାୟତରେ ଟେଲି ସେବା ସମସ୍ୟା ରହିଛି। ବିଦ୍ୟୁତ ସେବା କଥା ନ କହିବା ଭଲ। ଅନଲାଇନ୍ ପାଠ୍ୟକ୍ରମ ଉପରେ ନୂଆ ଶିକ୍ଷାନୀତିରେ ଜୋର ଦିଆଯାଇଛି। ଅର୍ଥାତ୍ କ୍ୟାମ୍ପସ ଠାରୁ ଆରମ୍ଭ କରି ସ୍ମାର୍ଟ ଶ୍ରେଣୀ ଗୃହ, ଧନ୍ଦାମୂଳକ ଶିକ୍ଷା ପାଇଁ ବିଭିନ୍ନ ପ୍ରୟୋଗ ଶାଳା ତଥା ଲାବୋରେଟୋରି ଆଦି ନିର୍ମାଣ କରିବା ଲାଗି ବ୍ୟାପକ ଅର୍ଥ ଓ ସମୟର ଆବଶ୍ୟକତା ରହିଛି। ଏ ପ୍ରସଙ୍ଗ ଉପରେ ଉଭୟ ମନ୍ତ୍ରୀ ଏକାଠି ବସି ଖସଡା ପ୍ରସ୍ତୁତି ନ କଲେ, ଆଉ କିଏ କରିବ?
କେନ୍ଦ୍ର ସରକାର ଏହି ନୀତି ଘୋଷଣା କରିବା ବେଳେ ଯଦିଓ ବିଭିନ୍ନ ଲକ୍ଷ୍ୟ ହାସଲ ପାଇଁ ସମୟ ଧାର୍ଯ୍ୟ କରିଛନ୍ତି, କିନ୍ତୁ ଆବଶ୍ୟକ ଭିତ୍ତିଭୂମି ଆଦି ଲାଗି ଆବଶ୍ୟକ ଅର୍ଥ କିଭଳି ଭରଣା ହେବ, କେନ୍ଦ୍ର ସରକାରଙ୍କ ଯୋଗଦାନ ଏ କ୍ଷେତ୍ରରେ କଣ ହେବ, ତାହା କହିନାହାନ୍ତି। ଲିଙ୍ଗ ସମାବେଶନ ପାଣ୍ଠି, ଏସସି, ଏସଟି, ଓବିସି ଓ ଅନ୍ୟ ସ୍ବତନ୍ତ୍ର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଯୋଗ୍ୟତାକୁ ପ୍ରୋତ୍ସାହନ ଦେବା ସଂପର୍କରେ କେବଳ ନୀତିରେ ସୂଚାଇ ଦିଆଯାଇଛି।
ଏଭଳି ଅନେକ ପ୍ରସଙ୍ଗ ଉପରେ ଏବେ ଧର୍ମେନ୍ଦ୍ର-ଅରୁଣ ଏକାଠି ବସି ଆଲୋଚନା କରିବା କଥା। ଅନ୍ୟଥା ଏହି ନୂଆ ନୀତି କାର୍ଯ୍ୟାନ୍ବୟନରେ କେବଳ ଯେ ବିଳମ୍ବ ହେବ ତା ନୁହେଁ, ରାଜ୍ୟ କ୍ଷତି ସହିପାରେ। ଏମିତିରେ ବି ସମସ୍ତେ ଆଶା କରିବେ ଯେ ଧର୍ମେନ୍ଦ୍ର ନିଜ ରାଜ୍ୟରେ ହିଁ ଏହି ନୂଆ ଶିକ୍ଷା ନୀତିର ପ୍ରାଣ ପ୍ରତିଷ୍ଠା ଲାଗି ଆଗ ଉଦ୍ୟମ କରିବା କଥା। ଏହାଦ୍ବାରା ଉଭୟ ରାଜ୍ୟ ଓ ଧର୍ମେନ୍ଦ୍ରଙ୍କର ପ୍ରଭାବ ପଡିବ। କିନ୍ତୁ ଏମିତି କିଛି କାହିଁକି ଦେଖାଯାଉନାହିଁ। ଉଭୟ ମନ୍ତ୍ରୀଙ୍କର ହାବଭାବ ସେମିତି ସଙ୍କେତ ବି ଦେଉନାହିଁ।
କିନ୍ତୁ ଏକଥା ସତ ଯେ ଅରୁଣ ଓ ଧର୍ମେନ୍ଦ୍ରଙ୍କୁ ନେଇ ଆଗକୁ ଶିକ୍ଷା ବ୍ୟବସ୍ଥା ଗଣମାଧ୍ୟମ ଶିରୋନାମାରେ ସବୁବେଳେ ରହିବ।
ଏଠାରେ ଉଲ୍ଲେଖଥାଉକି, ଚତୁର୍ଦଶ ଅର୍ଥ କମିସନଙ୍କ ସୁପାରିସ ପରଠାରୁ ଶିକ୍ଷା କ୍ଷେତ୍ରରେ ଅନୁଦାନ ହ୍ରାସ ପାଇଛି। ଯଦିଓ କେନ୍ଦ୍ର ସରକାର ଶିକ୍ଷା କ୍ଷେତ୍ରରେ ଅଧିକ ନିବେଶ କରିବେ ବୋଲି ଘୋଷଣା କରିଥିଲେ, ୨୦୧୪-୧୫ରୁ ୨୦୧୯-୨୦ ମଧ୍ୟରେ କେନ୍ଦ୍ରୀୟ ବଜେଟ୍ରେ ଶିକ୍ଷା ପାଇଁ ଅନୁଦାନ ପରିମାଣ ୪.୧୪% ରୁ ୩.୪%କୁ ହ୍ରାସ ପାଇଛି। ଗତ ୮ବର୍ଷର ବଜେଟ୍ ଅନୁଦାନକୁ ବିଚାରକୁ ନେଲେ ଏକଥା ବି ଦେଖାଯାଉଛି ଯେ କେରଳ, ମହାରାଷ୍ଟ୍ର, ଓଡ଼ିଶା, ମଧ୍ୟପ୍ରଦେଶ, ରାଜସ୍ଥାନ, ହିମାଚଳ ପ୍ରଦେଶ ଭଳି ରାଜ୍ୟମାନଙ୍କର ଶିକ୍ଷା ବଜେଟ୍ ପରିମାଣ ହାରାହାରି ୧୬.୦୫% ରୁ ୧୩.୫୨%କୁ ଖସିଆସିଛି। ଓଡ଼ିଶାର ବଜେଟର ବଡ଼ ଅର୍ଥ ଦରମା ବାବଦରେ ଖର୍ଚ୍ଚ ହେଉଛି।
ଏବେ କେନ୍ଦ୍ର ସରକାରଙ୍କ ଶିକ୍ଷାନୀତିରେ ଯେଉଁ ବିଶାଳ ପୁଞ୍ଜିନିବେଶର ସଙ୍କେତ ମିଳିଛି, ଶିକ୍ଷା ବ୍ୟବସ୍ଥାରେ ପୂରା ନବୀକରଣର ଆଭାସ ମିଳିଲାଣି ତାହା କିଭଳି ପୂରଣ କରାଯିବ, ଏବେ ବଡ଼ ପ୍ରଶ୍ନ। ସେହିଭଳି ଏଥିରେ କେନ୍ଦ୍ରୀୟ ଯୋଗଦାନ କେତେ ରହିବ, ପ୍ରଶିକ୍ଷିତ ତଥା ଯୋଗ୍ୟ ମାନବ ସମ୍ବଳ ଏତେ ପରିମାଣରେ ଉପଲବ୍ଧ ହେବେ ନା ନାହିଁ ଏଭଳି ଅନେକ ପ୍ରଶ୍ନ ଉପରେ ଏହି ନୀତିର କାର୍ଯ୍ୟାନ୍ବୟନ ନିର୍ଭର କରୁଛି।
କେବଳ ସେତିକି ନୁହେଁ, ୩୪ ବର୍ଷ ତଳର ଶିକ୍ଷା ନୀତି ଏଯାଏ ଶତପ୍ରତିଶତ କାର୍ଯ୍ୟାନ୍ବୟନ ହୋଇପାରିନଥିବା ବେଳେ କେନ୍ଦ୍ର ସରକାର ଏହି ନୀତି ଅନୁପାଳନ ନେଇ ଠୋସ୍ ଭାବେ ସମୟ ବା ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିରେ କୁହାଯାଇଛି, ୨୦୩୦ ସୁଦ୍ଧା ଶତ ପ୍ରତିଶତ ଯୁବକ ଓ ପ୍ରୌଢ଼ଙ୍କୁ ସାକ୍ଷରତା ପ୍ରଦାନ କରାଯିବ। ୨୦୩୫ ସୁଦ୍ଧା ଉଚ୍ଚତର ଶିକ୍ଷାରେ ସକଳ ନାମାଙ୍କନ ଅନୁପାତ ୫୦ ପ୍ରତିଶତକୁ ବଢ଼ିବ। ଏ ସମୟରୁ ଦେଢ ବର୍ଷ ବିତିଗଲାଣି।