- ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀ କରିବ ବୋଲି ଘୋଷଣା କରିଦେଲା ବିଜୁ ଜନତା ଦଳ
- ପଛୁଆ ବର୍ଗ କାର୍ଡ ଖେଳ ଆରମ୍ଭ କରିଥିଲା କେନ୍ଦ୍ର, ଅକଳରେ ପକାଇଲେ ନବୀନ
- ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ନେଇ ରାଜ୍ୟ ରାଜନୀତିରେ ବିଜେଡିର ମାଷ୍ଟର ଷ୍ଟ୍ରୋକ୍
- ୩୩ ପ୍ରତିଶତ ମହିଳା ପ୍ରାର୍ଥୀ କାର୍ଡ ଖେଳି ଗତ ନିର୍ବାଚନରେ ମାତ୍ ଦେଇଥିଲା ଦଳ
- ମହିଳା ସଂରକ୍ଷଣ ଅଡୁଆ ତୁଟିନି, ଏବେ ପଛୁଆ ବର୍ଗ ଭୋଟ ବ୍ୟାଙ୍କ ବିରୋଧୀଙ୍କୁ ବିପଦ
ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ଏକ ବଡ଼ ରାଜନୈତିକ ନିଷ୍ପତ୍ତି ନେଇ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଲାଗି ୨୭ ପ୍ରତିଶତ ଆସନ ସଂରକ୍ଷଣ ରଖିବା ଲାଗି ନିଷ୍ପତ୍ତି ନେଇଛି। ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତି ସଂପର୍କରେ ଆଜି ଦଳର ଦୁଇ ବରିଷ୍ଠ ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମନ୍ତ୍ରୀ ଅରୁଣ କୁମାର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୂର୍ବରୁ ଆରଏନ୍ଏ ପୂର୍ବାନୁମାନ କରିଥିଲା ଯେ କେନ୍ଦ୍ର ଯେଉଁଠି ଖେଳ ଶେଷ କରିଛି, ନବୀନ ତା ପରଠାରୁ ଖେଳ ଆରମ୍ଭ କରୁଛନ୍ତି। ଏହି କ୍ରମରେ ଆଜିର ନିଷ୍ପତ୍ତି ଏବେ ବିଜେପି ଓ କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଉଭୟ ଦଳ ଏହାକୁ କାହିଁକି ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଅନୁପାଳନ କରାଯାଇନାହିଁ ବୋଲି ଯୁକ୍ତି ରଖିଛନ୍ତି। ହେଲେ ରାଜନୈତିକ କାର୍ଡ ଖେଳିବା ସଂପର୍କରେ କୌଣସି ମତମନ୍ତବ୍ୟ ଦେଇପାରିନାହାନ୍ତି। ନବୀନଙ୍କ ଏଭଳି ପଦକ୍ଷେପକୁ ରାଜନୈତିକ ମହଲ ମାଷ୍ଟର କାର୍ଡ ବୋଲି କହୁଛନ୍ତି।
ବିଜେଡି ଆଜି କହିଛି ଯେ କେବଳ ପଞ୍ଚାୟତ ନିର୍ବାଚନ ନୁହେଁ ପରବର୍ତ୍ତୀ ନିର୍ବାଚନରେ ମଧ୍ୟ ଦଳ ୨୭% ପଛୁଆବର୍ଗ ପ୍ରାର୍ଥୀ ଦେବ । ଅଦାଲତ କଟକଣା, କେନ୍ଦ୍ରୀୟ ଆଇନ୍ ନଥିବାରୁ ଏଭଳି ରାଜନୈତିକ ନିଷ୍ପତ୍ତି ନିଆଯାଇଛି । ଅନ୍ୟ ଦଳଗୁଡିକ ମଧ୍ୟ ଏପରି ଘୋଷଣା ପାଇଁ ବିଜେଡି ଆହ୍ବାନ ଦେବା ସହିତ ବିଧାନସଭା ଓ ଲୋକସଭାରେ ୩୩% ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଚ୍ୟାଲେଞ୍ଜ କରିଛି।
ସ।।ମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଅନ୍ୟାନ୍ୟ ପଛୁଆ ବର୍ଗ ତଥା ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗଙ୍କ ସଠିକ୍ ପରିସଂଖ୍ୟାନ ଅଭାବରୁ ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷଣ ସୀମାକୁ ୫୦% ମଧ୍ୟରେ ସୀମିତ ରଖିବା ପାଇଁ ବାଧ୍ୟ କରୁଛନ୍ତି । ତେଣୁ ପଛୁଆବର୍ଗଙ୍କର ସଂଖ୍ୟାର ସଠିକ୍ ଆକଳନ ପାଇଁ ଜାତିଭିତ୍ତିକ ଜନଗଣନା କରାଗଲେ ତାହାକୁ ଭିତ୍ତିକରି ୫୦%ରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ନ୍ୟାୟାଳୟମାନେ କୌଣସି ଅଙ୍କୁଶ ଲଗାଇ ପାରିବେ ନାହିଁ।
ସଂରକ୍ଷଣ ସୀମା ୫୦% ସୀମିତ ଥିବା ଏବଂ ଆମ ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ପ୍ରାୟ ୩୯% ଥିବାରୁ ପଛୁଆବର୍ଗଙ୍କୁ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ମିଳୁଛି । ରାଜ୍ୟ ସରକାରଙ୍କ ପଛୁଆବର୍ଗ ଆଇନ୍ ୨୦୦୮ରେ ସାମାଜିକ ଏବଂ ଶିକ୍ଷାଗତ ଅନଗ୍ରସର ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ, ବିଭିନ୍ନ ନ୍ୟାୟାଳୟର ଆଦେଶ ଦୃଷ୍ଟିରୁ ଉକ୍ତ ୨୭% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁ ନାହିଁ।
ରାଷ୍ଟ୍ରପତିଙ୍କ ଦ୍ୱାରା ଘୋଷିତ ଓବିସି ତାଲିକା ଅନୁସାରେ ସରକାରୀ ଚାକିରି ଓ ଅନ୍ୟାନ୍ୟ କ୍ଷେତ୍ରରେ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଛି । ରାଜ୍ୟଗୁଡିକ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ତାଲିକା ପ୍ରସ୍ତୁତି କରୁଥିଲେ ଏବଂ ଏବେ ମଧ୍ୟ କରିପାରିବେ । କେନ୍ଦ୍ରର ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସରକାରୀ ଚାକିରୀ ଏବଂ ଶିକ୍ଷାନୁଷ୍ଠାନମାନଙ୍କରେ ନାମ ଲେଖାଇବାକୁ ସଂରକ୍ଷଣର ସୁବିଧା ପାଉଛନ୍ତି।ସେହିପରି ରାଜ୍ୟର ପଛୁଆବର୍ଗ ତାଲିକା ଅନୁସାରେ ସାମାଜିକ ଏବଂ ଶିକ୍ଷାଗତ ପଛୁଆ ବର୍ଗର ପ୍ରାର୍ଥୀମାନେ ରାଜ୍ୟ ସରକାରଙ୍କ ଅଧିନରେ ଥିବା ସରକାରୀ ଚାକିରିରେ ସଂରକ୍ଷଣର ସୁବିଧା ପାଉଛନ୍ତି।
ଏ ପର୍ଯ୍ୟନ୍ତ ରାଜ୍ୟର ୨୦୯ ଜାତି ଓ ଉପଜାତି ପଛୁଆବର୍ଗ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଅନ୍ୟ ପକ୍ଷରେ ରାଜ୍ୟ ସରକାର କୌଣସି ଜାତିକୁ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଜାତୀୟ ପଛୁଆବର୍ଗ କମିସନଙ୍କୁ ତଥ୍ୟ ସହିତ ଉପଯୁକ୍ତ ଦାବି ଉପସ୍ଥାପନ କରିବାକୁ ପଡିଥାଏ । ଯଦି ତାହା କେନ୍ଦ୍ର
ସରକାରଙ୍କ ଦ୍ୱାରା ଅନୁମୋଦିତ ହୁଏ ତେବେ ସେହି ଜାତି ଓବିସି ତାଲିକାଭୁକ୍ତ ହୁଏ । .୨୦୧୮ ମସିହା ଅଗଷ୍ଟ ୧୧ ତାରିଖ ପୂର୍ବରୁ ଆମ ରାଜ୍ୟରେ ୨୦୦ଟି ଜାତି ଏବଂ ଉପଜାତି ଓବିସି ତାଲିକା ଅନ୍ତର୍ଭୁକ୍ତ ହୋଇଛି। ପୂର୍ବଭଳି ରାଜ୍ୟଗୁଡିକ ପଛୁଆବର୍ଗ ତାଲିକା ପ୍ରସ୍ତୁତ ପାଇଁ ସମ୍ବିଧାନ ସଂଶୋଧନରେ ବ୍ୟବସ୍ଥା ଥିବାରୁ ଲୋକସଭାରେ କୌଣସି ବିରୋଧି ଦଳ ଏହାକୁ ବିରୋଧ କରିନାହାନ୍ତି । ହେଲେ ସଂରକ୍ଷଣରେ ଥିବା ୫୦% ସୀମାକୁ ଉଠାଇବାକୁ ସମସ୍ତ ବିରୋଧି ଦଳ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛନ୍ତି।
ସମ୍ବିଧାନର ୧୦୨ତମ ସଂଶୋଧନ ମାଧ୍ୟମରେ ସମ୍ବିଧାନର ଅନୁଚ୍ଛେଦ ୩୩୮ଇ ପରେ ୩୩୮ ଈ ଏବଂ ଅନୁଚ୍ଛେଦ ୩୪୨ ପରେ ୩୪୨ ଇ (ଏହି ଦୁଇଟି ଅନୁଚ୍ଛେଦ) ସଂଯୋଗ କରାଯାଇଛି । ତତ୍ପରେ ସମ୍ବିଧାନର ୧୨୭ତମ ସଂଶୋଧନ ମାଧ୍ୟମରେ ଉପରୋକ୍ତ ଦୁଇଟି ଅନୁଚ୍ଛେଦରେ କେତେକ ପରିବର୍ତ୍ତନ
କରାଯିବା ସଂଗେ ସଂଗେ ଅନୁଚ୍ଛେଦ ୩୬୬ରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ କରି ପଛୁଆବର୍ଗର ସଂଜ୍ଞା ଉଲ୍ଲେଖ କରାଯାଇଛି । ଯଦି ସମ୍ବିଧାନର ୧୨୭ତମ ସାମ୍ବିଧାନିକ ସଂଶୋଧନ କାର୍ଯ୍ୟକାରୀ ହୁଏ ତେବେ ୧୧.୦୮.୨୦୧୮ (୧୦୨ତମ ସାମ୍ବିଧାନିକ ସଂଶୋଧନ) ପୂର୍ବରୁ ଏବଂ ୦୨.୦୪.୧୯୯୩ (ଜାତୀୟ
ପଛୁଆ ବର୍ଗ କମିଶନ-ଆଇନ୍) ପରେ ଯେପରି ରାଜ୍ୟଗୁଡିକ ସାମାଜିକ ଏବଂ ଶିକ୍ଷାଗତ ପଛୁଆବର୍ଗ ତାଲିକା ପ୍ରସ୍ତୁତି କରୁଥିଲେ ସେହିପରି କରିପାରିବେ ବୋଲି ଶ୍ରୀ ସ୍ୱାଇଁ ଓ ଡକ୍ଟର ସାହୁ କହିଛନ୍ତି ।