ପ୍ରମୁଖ ଖବର

ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୯ ପୁଲିସ କର୍ମଚାରୀଙ୍କୁ ମିଳିବ ପଦକ
ସାମ୍ପୁଲ୍ ଟେଷ୍ଟରେ ଫେଲ୍ ହେଲା ୧୩୫ଟି ଔଷଧ
ଓଡ଼ିଶାର ୪ଜଣଙ୍କୁ ପଦ୍ମ ପୁରସ୍କାର
ଚନ୍ଦନପୁର ନିକଟରେ ସିରିଜ ଦୁର୍ଘଟଣା: ୩୦ରୁ ଉର୍ଦ୍ଧ୍ବ ଆହତ
ସୁପ୍ରିମକୋର୍ଟରେ ମାହାଙ୍ଗା ଡବଲ ମର୍ଡର ମାମଲା, ଅଡ଼ୁଆରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା
ସରୋଜ ସାବତ ଗଞ୍ଜାମ ଜିଲ୍ଲାର ନୂତନ ବିଜେପି ସଭାପତି ନିର୍ବାଚିତ

କ’ଣ ସଙ୍କେତ ଦେଇ ଫେରିଲେ ଅଶ୍ବିନୀ, ଧର୍ମେନ୍ଦ୍ର?

0

ଭୁବନେଶ୍ବର: ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବଙ୍କର ଓଡ଼ିଶା ଗସ୍ତ ଆଜି ଶେଷ ହେଉଛି। ୧୯ ତାରିଖରୁ ଚାରିଦିନିଆ ଗସ୍ତରେ ଆସିଥିଲେ ଉଭୟ କେନ୍ଦ୍ର ଶିକ୍ଷା ଏବଂ ରେଳ ମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ମନ୍ତ୍ରୀମାନଙ୍କର ପ୍ରଥମ ଗସ୍ତ ସ୍ବାଭାବିକ ଭାବେ ବିଜେପି ଶିବିରକୁ ଉଲ୍ଲସିତ କରିଥିବ; ଏଥିରେ ନୂଆ କଥା କିଛି ନାହିଁ। ହେଲେ ଉଭୟ ମନ୍ତ୍ରୀଙ୍କ ଗସ୍ତ ଉପରେ ତୀକ୍ଷ୍ଣ ନଜର ରଖିଥିଲେ ରାଜନୀତି ରଣନୀତିକାର, ବିରୋଧୀ ରାଜନୈତିକ ଦଳ। କିଏ ମାନୁ କି ନ ମାନୁ, ହତାଶା ଭିତରକୁ ଚାଲିଯାଉଥିବା ବେଳେ ରାଜ୍ୟ ବିଜେପିକୁ ଉଭୟ ମନ୍ତ୍ରୀଙ୍କର ଗସ୍ତ ସଂଜୀବନୀ ସଦୃଶ ହୋଇଛି। କେବଳ ସେତିକି ନୁହେଁ, କେନ୍ଦ୍ରର ବିଜେପି ନେତା ଓଡ଼ିଶା ପାଇଁ ଯେଉଁ ରାଜନୈତିକ ଗୋଟିଚାଳନା କରିଛନ୍ତି, ତାହା ନିଷ୍ପ୍ରଭ ବା ପ୍ରଭାବହୀନ ହୋଇନପାରେ ଏକଥା ଏହି ଗସ୍ତ ପରେ ଅନ୍ତତଃ ଏତିକି କହିହେବ।

ଓଡ଼ିଶାରୁ ବିଜେଡି-ବିଜେପି ଭୋଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ଅଶ୍ବିନୀ ବୈଷ୍ଣବ। ଶ୍ରୀ ବୈଷ୍ଣବ କେନ୍ଦ୍ର ରେଳ ମନ୍ତ୍ରାଳୟ ଦାୟିତ୍ବରେ, ଆଇଟି ବିଭାଗର ବି ମନ୍ତ୍ରୀ। କେବେ ଜିଲ୍ଲାପାଳ ଭାବେ ପୂରା ଓଡ଼ିଶାକୁ ଦେଖିଥିବା କିମ୍ବା ବ୍ୟାବସାୟିକ କାର୍ଯ୍ୟରେ ତାଙ୍କର ବୁଲିବା ଏବଂ ଏବେ ମନ୍ତ୍ରୀ ଭାବେ ତାଙ୍କର ଏହି ଗସ୍ତ ମଧ୍ୟରେ ଆକାଶପାତାଳ ଫରକ। ତାଙ୍କ ଗସ୍ତ ସୂଚାଇଦେଇଛି ଯେ ସେ ଉତ୍ତରଦାୟୀ ରହିବାକୁ ଚେଷ୍ଟା କରୁଛନ୍ତି। ସଂଗଠନରେ ଓ ସରକାରୀ କାର୍ଯ୍ୟରେ ବି।

ରାଜ୍ୟ ସରକାରଙ୍କୁ ଆଦୌ ଟାଣ କରି କିଛି କହିନାହାନ୍ତି, ବରଂ ରେଳବାଇ ଓ ଆଇଟି କ୍ଷେତ୍ରରେ ଅନେକ ଆଶା ଦେଖାଇଛନ୍ତି। ସେପଟେ ରାଜ୍ୟ ବିଜେପିର ମନ କିଣିବାକୁ କୌଣସି ସୁଯୋଗ ହାତ ଛ଼ାଡ କରିନାହାନ୍ତି। ସାଧାରଣ ଲୋକଙ୍କ ଭିତରେ ଗୋଟିଏ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଯେ ସେ ସେମାନଙ୍କ ମଧ୍ୟରୁ ଜଣେ। କେବେ ରାସ୍ତା କଡରେ ମକା ଖାଇଛନ୍ତି, ଚା’ ପାଇଛନ୍ତି। ଆଉ କେବେ ଆଦିବାସୀଙ୍କ ସହିତ ନୃତ୍ୟ କରିଛନ୍ତି, ବରିଷ୍ଠ ଓ ଦ୍ବିତୀୟ ଧାଡିର ବିଜେପି ନେତାଙ୍କୁ ସାଙ୍ଗରେ ନେବାକୁ ଚେଷ୍ଟା କରିଛନ୍ତି। କେଉଁଠି ନା କେଉଁଠି ସେ ସଙ୍କେତ ଦେଇଛନ୍ତି ଯେ ସେ ନବାଗତ ହେଲେ ବି ପୋଖତଙ୍କ ଠାରୁ କମ୍ ନୁହେଁ।

ଅଶ୍ବିନୀ ବୁଲିଥିବା ଅଞ୍ଚଳର କିଛି ବିଜେପି ନେତାଙ୍କ ପ୍ରତିକ୍ରିୟା ଅନେକ ଆଶା ସୃଷ୍ଟି କରେ। ଗସ୍ତ କରିବା ପୂର୍ବରୁ ସେ ଆଗଧାଡିର ବିଜେପି ନେତାଙ୍କ ସହିତ ଟେଲିଫୋନରେ ସଂପର୍କ ରକ୍ଷା କରିଥିଲେ। ସେମାନଙ୍କ ଅଞ୍ଚଳକୁ ଗସ୍ତ କରୁଛନ୍ତି ବୋଲି ସୂଚନା ଦେଇଥିଲେ। ଆଉ ସ୍ଥାନୀୟ ଅଞ୍ଚଳରେ ବୁଲିବା ବେଳେ କିିଛି ନେତାଙ୍କ ନାମ ମନେ ରଖି ତାଙ୍କୁ ସେହି ନାମରେ ଡାକିଥିଲେ ଓ ଅବର୍ତ୍ତମାନରେ ଖୋଜିଥିଲେ। ଆଦୌ ଅହଂକାର ତାଙ୍କ ଚେହେରା ଏବଂ କଥାରେ ସ୍ଥାନ ପାଇନଥିଲା। ଅଶ୍ବିନୀଙ୍କର ଏହି କୌଶଳ ଅଳ୍ପ ବହୁତେ କାମ ଦେଇଛି। ସବୁଠାରୁ ବଡ କଥା ହେଲା, କିଛି ଆଗଧାଡିର ଅସନ୍ତୁଷ୍ଟ ନେତା, ଯେଉଁମାନେ ବିଜେପି ପ୍ରତି ବିମୁଖ ହୋଇପଡିଥିଲେ, ସେମାନେ ଅଶ୍ବିନୀଙ୍କର ଏହି ଗସ୍ତ ପରେ ମନ ବଦଳାଇଥିବା ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି। ମତ ଦେଇ ଜଣାଇଛନ୍ତି ଯେ ଓଡ଼ିଶା ବିଜେପିକୁ ଏଭଳି ଜଣେ ନେତାଙ୍କର ଆବଶ୍ୟକତା ଥିଲା, ଯିଏ ଆମ କଥା ଶୁଣିବେ ଓ ଆମର ଯେ ଦଳରେ ଆବଶ୍ୟକତା ଅଛି ଏ ଅନୁଭବ ବି ଦେବେ ବୋଲି ଆଶା କରୁଛୁ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ ହେଉଛି, ବିଜେପିର ଫୋକସରେ ଓଡ଼ିଶା ଅଛି। ହେଲେ କୌଣସି ନା କୌଣସି କାରଣରୁ ରାଜ୍ୟ ବିଜେପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପଞ୍ଚମ ପାଳି ସରକାରର ପ୍ରଥମ ଦୁଇବର୍ଷ ଏଭଳି ଆଚରଣ ପ୍ରଦର୍ଶନ କଲା ଯେ ଜଣାପଡିଲାନି ସେମାନେ ବିରୋଧୀ ଦଳରେ କି ସରକାରର ସହଯୋଗୀ ଦଳ। ଏବେ ସେ ଦୃଷ୍ଟିରୁ ଦେଖିବାକୁ ଗଲେ ଅଶ୍ବିନୀଙ୍କର ଆବିର୍ଭାବ ବିଜେପିକୁ ଆଦୌ ସହାୟକ ହେବ ନାହିଁ। ହେଲେ ରାଜ୍ୟ ବିଜେପିରେ ଏମିତି ଗୋଟିଏ ଭୂମିକାରେ ସେ ଅବତୀର୍ଣ୍ଣ ହେବେ, ଯାହାଦ୍ବାରା ତାଙ୍କୁ ସଙ୍କଟମୋଚକ ବୋଲି କୁହାଯାଇପାରିବ। ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରତ୍ୟକ୍ଷ ସଂପର୍କ ଥିବାରୁ ତାଙ୍କର ପ୍ରଭାବକୁ ଅଣଦେଖା କରାଯାଇପାରିବ ନାହିଁ। ବିରୋଧୀ ଶିବିରକୁ ମଧ୍ୟ ସେ ପ୍ରଭାବିତ କରିବାର କ୍ଷମତା ରଖିଛନ୍ତି, ଯାହା ଦକ୍ଷିଣ ଓଡ଼ିଶାରେ ଦେଖାଗଲା। କିଛି କଂଗ୍ରେସ ଓ ବିଜେଡି ନେତାଙ୍କ ସହିତ ତାଙ୍କର ଏହି ଗସ୍ତ କାଳରେ ଆଳାପ ହୋଇଥିବା ଖବର ଆସୁଛି। ଏହାକୁ ହାଲକା ଭାବେ ନିଆଯାଇପାରିବ ନାହିଁ। ଆଗକୁ ଦେଖିବା କଥା, ସେ ଆଲୋଚନା କରିଥିବା ନେତାଙ୍କର ମତିଗତି କିଭଳି ରହୁଛି।

ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସୂଚନା ମିଳୁଛି ଯେ ଅଶ୍ବିନୀଙ୍କୁ ଆସନ୍ତା ଦିନରେ କଟକରୁ ବିଜେପି ଲୋକସଭା ପ୍ରାର୍ଥୀ କରିପାରେ। ତାହା ବି ଏଡାଇ ଦେଇ ହେବନାହିଁ। ତାଙ୍କର ଗ୍ରହଣୀୟତା ସୂଚାଇ ଦେଲାଣି, କଟକ ରାଜନୀତିରେ ଅଶ୍ବିନୀଙ୍କର ପ୍ରଭାବ ବର୍ତ୍ତମାନର ବିଜେଡି ଉପରେ ଭାରି ପଡିବ ହିଁ ପଡିବ। ଭୁବନେଶ୍ବରରେ ଅପରାଜିତା ଓ କଟକରେ ଅଶ୍ବିନୀଙ୍କୁ ଯଦି ବିଜେପି ପ୍ରାର୍ଥୀ କରେ, ତେବେ ଉପକୂଳ ଦୋହଲିଯାଇପାରେ।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ଗସ୍ତ ବି କିଛି କମ୍ ପ୍ରଭାବ ରଖିନାହିଁ। ଧର୍ମେନ୍ଦ୍ରଙ୍କ ଚେହେରାରେ ଅନେକ ପରିବର୍ତ୍ତନ ଆସିଛି। ସେ ପେଟ୍ରୋଲିୟମ ବିଭାଗର ମନ୍ତ୍ରୀ ଥିବା ବେଳେ ଯେଭଳି ଆକ୍ରମଣାତ୍ମକ ଥିଲେ, ଏବେ ଶିକ୍ଷାମନ୍ତ୍ରୀ ଭାବେ ସେତିକି ଅଧିକ ସଂଯମ, ବିଜ୍ଞତା ପ୍ରକାଶ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ସହିତ ସତ୍ୟବାଦୀରେ ବକୁଳ ବନ ପରିଦର୍ଶନ ତାଙ୍କର ପରିବର୍ତ୍ତିତ ରାଜନୀତିରେ ଗୋଟିଏ ବଡ ଅଙ୍ଗ। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା କାର୍ଡରେ ପରୋକ୍ଷରେ ଏକ ପ୍ରଚଣ୍ଡ ଚୋଟ ମାରିଛନ୍ତି ଧର୍ମେନ୍ଦ୍ର। ଶ୍ରୀ ପ୍ରଧାନ କଥା କଥାରେ ତିନିଟି ସଙ୍କେତ ଦେଇଛନ୍ତି।

ପ୍ରଥମତଃ, ସତ୍ୟବାଦୀ ବନ ବିଦ୍ୟାଳୟ ଓ ଓଡ଼ିଆ ବିଶ୍ବବିଦ୍ୟାଳୟ ବିକାଶରେ ତାଙ୍କର ବି ଭୂମିକା ରହିବ। ଅର୍ଥାତ୍ ସରକାରଙ୍କ ଲାଭରେ ସେ ଭାଗ ବସାଇଦେଲେ। ସବୁଠୁ ବଡ କଥା ହେଲା, ସତ୍ୟବାଦୀ ବନ ବିଦ୍ୟାଳୟକୁ ପ୍ରୟୋଗଶାଳା କରିବା ଲାଗି ଆଇଆଇଟି ଛାତ୍ରଙ୍କୁ ଦାୟିତ୍ବ ଦେବା ଆଗକୁ ଗୋଟିଏ ବଡ ନିଷ୍ପତ୍ତିର ଅଙ୍ଗ ବୋଲି ବିବେଚନା କରାଯାଉଛି। ଦ୍ବିତୀୟତଃ, ଯେବେ ଓଡ଼ିଶାରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି, ସେବେ ୫୦ହଜାର ସ୍କୁଲର ବିକାଶ ପାଇଁ କେନ୍ଦ୍ରର ପ୍ରୟାସ ସଂପର୍କରେ ଠାରିବାକୁ ସେ ଭୁଲିନାହାନ୍ତି। ତୃତୀୟ ଗୁରୁତ୍ବପୂର୍ଣ୍ଣ କଥା ହେଲା, ପୁରୀ ଜିଲ୍ଲାର ଶାସନ ବାଡରେ ହାତ ମାରିଦେଇ ଫେରିଛନ୍ତି ଧର୍ମେନ୍ଦ୍ର। ମୁକ୍ତିମଣ୍ଡପ ପଣ୍ଡିତ ସଭା ଠାରୁ ଆରମ୍ଭ କରି ଶ୍ରୀଜଗନ୍ନାଥଙ୍କ ଶାସନ ଗ୍ରାମ ପ୍ରତି ତାଙ୍କର ଆକର୍ଷଣ ପଛରେ କି ରାଜନୀତି ଲୁଚି ରହିଛି, ତାହା ପୁରୀ ଜିଲ୍ଲା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

ଗୋଟିଏ ବିମାନ, ଗୋଟିଏ ଗାଡିରେ ଧର୍ମେନ୍ଦ୍ର-ଅଶ୍ବିନୀଙ୍କ ଓଡ଼ିଶା ଗସ୍ତ, ମହାପ୍ରଭୁଙ୍କ ସାମ୍ନାରେ ଉଭୟଙ୍କର ବିନମ୍ର ପ୍ରଣିପାତ ରାଜ୍ୟ ରାଜନୀତି ପାଇଁ ଉଲ୍ଲେଖନୀୟ। ଏହାର ସ୍କ୍ରିପ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ- ଅମିତ ଶାହ ଲେଖିଥିବା କୁହାଯାଉଛି। ହେଲେ ଏତେ ସବୁ ସତ୍ତ୍ବେ ଯେଉଁ ଅଭାବ ଏହି ଗସ୍ତବେଳେ ଜଳ ଜଳ ହୋଇ ଦିଶିଲା, ତାହା ହେଲା ରାଜ୍ୟ ବିଜେପିର ସବୁ ନେତାଙ୍କୁ ଉଭୟ ମନ୍ତ୍ରୀ ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଏକାଠି କରିପାରିଲେ ନାହିଁ। ବିଶେଷ କରି ସବୁ ସାଂସଦ, ବିଧାୟକ, ବରିଷ୍ଠ ନେତାମାନଙ୍କ ସହିତ ଗୋଟିଏ ମୁହୂର୍ତ ବିତାଇ ଦେଇଥିଲେ, ଏହା ବିଜେପିକୁ ଅନେକ ବଳ ଦେଇଥାନ୍ତା। ଏକଥାଟିର ଅଭାବ, ତାଙ୍କର ଅନେକ ସଫଳତା ଭିତରେ ବଡ ବିଫଳତା ବୋଲି ବିବେଚନା କରାଯାଇପାରେ।

Leave A Reply

Your email address will not be published.