ଭୁବନେଶ୍ବର: ସଂସଦରେ ୧୨୭ତମ ସମ୍ବିଧାନ ସଂଶୋଧନ ବିଲ୍ ପାରିତ ହେଲା। ଶିବସେନା ସହିତ ଗୃହରେ ସ୍ବର ମିଳାଇଲା ବିଜେଡି। ମିଶିକି ଦାବି କଲେ ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଅ। ଅଳ୍ପ କେଇ କ୍ଷଣ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖିଲେ। ପରଦିନ ବିଜେଡି ସଂସଦୀୟ ଦଳ ପ୍ରତିନିଧି ଭେଟିଲେ ଶ୍ରୀ ଶାହଙ୍କୁ। ଏପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ‘ଇଣ୍ଡିଆ ଟୁଡେ’ ପତ୍ରିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା କଲେ। ଆଉ ନୂଆଦିଲ୍ଲୀରେ ୧୧ ଜଣିଆ ପ୍ରତିନିଧି ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ଜାତିଭିତ୍ତିକ ଜନଗଣନା ଲାଗି ଚାପ ସୃଷ୍ଟି କଲେ ଶ୍ରୀ କୁମାର। ଏହାର ଅଳ୍ପ କେଇ ଘଣ୍ଟା ପରେ ବିଜେଡି ବି ଅନୁରୂପ ଦାବି ଦୋହରାଇ କେନ୍ଦ୍ର ସରକାରଙ୍କୁ କାଠଗଡାକୁ ଟାଣିବାକୁ ଭୁଲିନାହିଁ। ଆଜି ସକାଳ (ଅଗଷ୍ଟ ୨୫)ର ଚିତ୍ର ହେଉଛି, ଅଣ ବିଜେପି ଅଧିକାଂଶ ରାଜନୈତିକ ଦଳ ଏହି ପ୍ରସଙ୍ଗରେ ଏବେ ଏକାଠି ହୋଇଗଲେଣି।
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଆଗରୁ ସାରା ଭାରତର ପ୍ରମୁଖ ରାଜନୈତିକ ଦଳମାନେ ହଠାତ୍ କେନ୍ଦ୍ର ସରକାରଙ୍କୁ ଚାପରେ ରଖିବା ଘଟଣା ଭାରତର ରାଜନୀତିରେ ଏକ ବଡ଼ ଧରଣର ହଲଚଲ ଆଡକୁ ସଙ୍କେତ ଦେଲେଣି। ରାଜନୀତି ରଣନୀତିକାରମାନେ ଆଉ ପାଦେ ଆସି କହିଲେଣି ଯେ ଏବେ ଅସଲ ଖେଳ ଆରମ୍ଭ ହେଲା। ‘ଇଣ୍ଡିଆ ଟୁଡେ’ ପତ୍ରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଭୀଷଣ ଭାବେ ପ୍ରଭାବିତ ହେବା ଓ ବିରୋଧୀଙ୍କ ରାଜନୈତିକ ଚାଲ୍ କେଉଁଠି ନା କେଉଁଠି ସୂଚାଉଛି ଯେ ଏବେ ରାଜନୈତିକ ଗୋଟି ଓଲଟା ଚାଲିପାରେ। କେନ୍ଦ୍ରରୁ ବିଜେପିକୁ କ୍ଷମତାଚ୍ୟୁତ କରିବା ଲାଗି ଯେଉଁ ଉପକ୍ରମ ଆରମ୍ଭ ହୋଇଛି, ଏହା ତାର ଏକ ଅଂଶବିଶେଷ ବୋଲି କେହି କେହି କହିଲେଣି। ଜାତି କାର୍ଡ ମୋଦୀଙ୍କ ବିଶାଳ ରାଜନୈତିକ ଦୁର୍ଗ ପ୍ରତି ଭୀଷଣ ବିପଦ ଧରି ଆସୁଛି, ଏକଥାକୁ ଏଡାଇ ଦେଇ ହେବ ନାହିଁ।
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଆଗରୁ ନରେନ୍ଦ୍ର ମୋଦୀଙ୍କ ପ୍ରଭାବକୁ ସଙ୍କୁଚିତ କରିବା ଲାଗି ରାଜନୀତି ଆରମ୍ଭ ହୋଇଛି। ଜାତି କାର୍ଡ ହେଉଛି ମାଧ୍ୟମ। ପ୍ରଧାନମନ୍ତ୍ରୀଙ୍କ ପାଇଁ ବିଡମ୍ବନାର ବିଷୟ ହେଉଛି, ଏଥିରେ ନୀତିଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ୍) ଅଛି। ସବୁ ବିପଦ ବେଳେ ରାଜ୍ୟସଭାରେ କେନ୍ଦ୍ରକୁ ସହଯୋଗ କରି ଆସୁଥିବା ବିଜେଡି, ଜଗନମୋହନ ରେଡ୍ଡୀଙ୍କ ଓ୍ବାଇଏସ୍ଆର କଂଗ୍ରେସ ବି ଏହି କାର୍ଡ ଧରିଛନ୍ତି। ବିହାରରେ ତେଜସ୍ବୀ ଯାଦବଙ୍କ ଆରଜେଡି ଏହି ପ୍ରସଙ୍ଗରେ ହାତ ମିଳାଇଛନ୍ତି। ଏହା ଦେଶର ପ୍ରାୟ ସବୁ ଆଞ୍ଚଳିକ ଦଳକୁ ଏକାଠି କରିଦେଇଛି। ପ୍ରଥମ- ଜାତିଭିତ୍ତିକ ଜନଗଣନା ଏବଂ ଦ୍ବିତୀୟ- ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ୫୦ ପ୍ରତିଶତ ସୀମା ବୃଦ୍ଧି ଭଳି ଦୁଇଟି ଦାବି ଉପରେ ଏମାନେ କେନ୍ଦ୍ରକୁ ଅଡୁଆ ଭିତରକୁ ଠେଲି ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨୭ ତମ ସମ୍ବିଧାନ ସଂଶୋଧନ ଆଇନ ପାରିତ ପରେ ଏହି ପ୍ରସଙ୍ଗକୁ ଦାନା ମିଳିଯାଇଛି। ଜାତି ଭିତ୍ତିକ ଜନଗଣନା ଉପରେ ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓ ବହୁଜନ ସମାଜବାଦି ପାର୍ଟିର ନେତ୍ରୀ ସୁଶ୍ରୀ ମାୟାବତୀ ବି କେନ୍ଦ୍ର ବିରୋଧରେ ଗର୍ଜିବା ଆରମ୍ଭ କଲେଣି। ଏପରିକି ବିଜେପିର ସହଯୋଗୀ ଆପ୍ନା ଦଳ ଏବଂ ନିଶାଦ ପାର୍ଟି ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଦକ୍ଷିଣରେ ଡିଏମକେ ଠାରୁ ଆରମ୍ଭ କରି ତୃଣମୂଳ କଂଗ୍ରେସ ପର୍ଯ୍ୟନ୍ତ ସମସ୍ତେ ଏହି ପ୍ରସଙ୍ଗରେ ଏକମତ। କୌତୂହଳର କଥା ହେଲା, ବିଜେପି ସାଂସଦ ସଂଘମିତ୍ରା ମୌର୍ଯ୍ୟ, ଗଣେଶ ସିଂ ମଧ୍ୟ ଏହି ଦାବିକୁ ସମର୍ଥନ କରିବାକୁ ଭୁଲିନାହାନ୍ତି, କାରଣ ତାଙ୍କ ନିର୍ବାଚନମଣ୍ଡଳୀ ହିଁ ସେମିତି।
ଅଗଷ୍ଟ ୨୩ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କିଛି ସମୟ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଥିଲେ, “ଏହି ନିଷ୍ପତ୍ତି (ଜାତି ଜନଗଣନା ଉପରେ) ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଅଛି। ଏହି ପ୍ରସଙ୍ଗରେ ବିହାର ଏବଂ ସମଗ୍ର ଦେଶର ସମାନ ମତ ରହିଛି। ଆମ କଥା ଶୁଣିଥିବାରୁ ଆମେ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞ। ଏବେ ତାଙ୍କୁ ଏକ ନିଷ୍ପତ୍ତି ନେବାକୁ ପଡ଼ିବ।
ଦେଶରେ ଜାତିଭିତ୍ତିକ ଜନଗଣନା ପାଇଁ ଚାପ ପକାଇବା ପାଇଁ ନୀତିଶ ଏକ ୧୧ ଜଣିଆ, ସର୍ବଦଳୀୟ ପ୍ରତିନିଧି ଦଳ ଗଠନ କରିଥିଲେ; ଯେଉଁଥିରେ ରାଷ୍ଟ୍ରୀୟ ଜନତା ଦଳର ନେତା ତଥା ବିହାର ବିଧାନସଭାରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ବି ପ୍ରଧାନମନ୍ତ୍ରୀଙ୍କ ପାଖକୁ ଯାଇଥିଲେ। ତେଜସ୍ବୀ ପରେ ଗଣମାଧ୍ୟମକୁ କହିଥିଲେ ଯେ “ଏହା ଏକ ଐତିହାସିକ ପଦକ୍ଷେପ ହେବ। ସମସ୍ତ ଗରିବ ଲୋକ ଉପକୃତ ହେବେ। ଯେତେବେଳେ ପଶୁ ଏବଂ ଗଛର ଗଣନା କରାଯାଇପାରୁଛି, ସେବେ ଜାତି କାହିଁକି ନୁହେଁ? ତଥ୍ୟ ବିନା ସରକାର ଗରିବଙ୍କ କଲ୍ୟାଣ ନୀତି କିପରି କରିପାରିବେ? ”
ଆଞ୍ଚଳିକ ଦଳମାନେ ଜାଣିଗଲେଣି ଯେ ବୃହତ୍ତର ହିନ୍ଦୁତ୍ବ ଢାଞ୍ଚାରେ ପଛୁଆ ଜାତିମାନଙ୍କୁ ଏକଜୁଟ କରିବା ଲାଗି ଆରଏସଏସ୍ ଓ ବିଜେପି ମିଳିତ ଅଭିଯାନ ଚଲାଇଛନ୍ତି। ଏହା ଭାରତବର୍ଷ ରାଜନୀତିରେ ଏକ ବଡ ବିପର୍ଯ୍ୟୟ ଆଣିବ ଓ ଅଣ ବିଜେପି ରାଜନୈତିକ ଦଳ ଧ୍ବସ୍ତ ବିଧ୍ବସ୍ତ ବା ବିପର୍ଯ୍ୟୟ ମୁହଁକୁ ଠେଲି ହୋଇଯାଇପାରନ୍ତି। ଏହାଦ୍ବାରା ସ୍ବାଭାବିକ ଭାବେ ଆଉ ଗୋଟିଏ ଘଟଣା ବି ଘଟିବ ଯେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଦୂରତା ଆହୁରି ବଢିଯିବ। କେନ୍ଦ୍ର ସରକାର ପଛୁଆ ଜାତିକୁ ଉପରକୁ ଉଠାଇବେ ବୋଲି କହି ଏହି କାର୍ଡ ସହଜରେ ଖେଳିଦେବେ।
ଏଣୁ ଆଞ୍ଚଳିକ ଦଳମାନେ ଏବେ ଜାତିଭିତ୍ତିକ ଗଣନା ପାଇଁ ବାଧ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ପଛୁଆ ଜାତିର କଲ୍ୟାଣ କଥା ହିଁ ସାମ୍ନାକୁ ଆସିବ, ଯେଉଁଥିରେ ପ୍ରକୃତ ଗରିବ ଲୋକଙ୍କ କଥାକୁ ଦେଖି ଆଞ୍ଚଳିକ ଦଳମାନେ ବିଜେପିର ଚାଲ୍କୁ ଭଣ୍ଡୁର କରିପାରିବେ।
ମଣ୍ଡଳ ଆୟୋଗ ରିପୋର୍ଟ ସମୟରେ ୧୯୩୧ ଜନଗଣନା ବ୍ୟବହୃତ ତଥ୍ୟରେ କୁହାଯାଇଥିଲା ଯେ ସାରା ଦେଶରେ ଓବିସି ସଂପ୍ରଦାୟର ଲୋକଙ୍କ ସଂଖ୍ୟା ୫୨ ପ୍ରତିଶତ। ଏଣୁ କୋଟା ୨୭ ପ୍ରତିଶତ ଧାର୍ଯ୍ୟ ହୋଇଥିଲା। ଏବେ ଏହି ଜନସଂଖ୍ୟା ବୃଦ୍ଧି ପାଇଛି ନା ହ୍ରାସ ପାଇଲାଣି, ଏହା ଜାଣିବା କଥା। ଶେଷ ଥର ପାଇଁ ବିଟ୍ରିସ ଶାସନ ସମୟରେ ଏକ ଜାତି ଭିତ୍ତିକ ଜନଗଣନା କରାଯାଇଥିଲା।ଏଣୁ ଏହି ପୁରାତନ ସଂଖ୍ୟା ଆଧାରରେ କିଭଳି ବର୍ତ୍ତମାନ ନିୟମ ପ୍ରସ୍ତୁତ କରାଯାଇପାରିବ ବୋଲି ରାଜନୈତିକ ଦଳ ଆପତ୍ତି ଉଠାଉଛନ୍ତି।
ଆଉ ଗୋଟିଏ ମତ ଆସୁଛି ଯେ ଏବେ ୨୦୨୧ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ। ଏବେ ଯଦି କେନ୍ଦ୍ର ସରକାର ନ କରିବେ, ତେବେ କେବେ କରିବେ?
ହେଲେ ରାଜନୀତି କିନ୍ତୁ ଭିନ୍ନ ଜାଗାରେ। ଏହି ପ୍ରସଙ୍ଗଟି ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ କେବଳ ଏକ ବଡ କାର୍ଡ ହେବ ତା ନୁହଁ, ବରଂ ଏସପି, ବିଏସପି ଭଳି ରାଜନୈତିକ ଦଳ ଯେଉଁମାନେ ଜାତି କାର୍ଡ ଖେଳନ୍ତି, ସେମାନଙ୍କ ଭୋଟ ବ୍ୟାଙ୍କକୁ ଏହା ଆହୁରି ମଜବୁତ କରିବ। ଏହା ବିଜେପିର ନିଜସ୍ବ ସାମାଜିକ ଭୋଟ ବ୍ୟାଙ୍କ ପ୍ରତି ବିପଦ ଆଣିବ।
ସବୁଠାରୁ ବଡ କଥା ହେଲା, ଉତ୍ତର ପ୍ରଦେଶ ନିର୍ବାଚନ ସବୁବେଳେ ଜାତୀୟ ନିର୍ବାଚନ ଉପରେ ବଡ ପ୍ରଭାବ ରଖିଆସିଛି। ସ୍ବାଭାବିକ ଭାବେ ୨୦୨୪ ନିର୍ବାଚନ ପାଇଁ ୨୦୨୨ର ଉତ୍ତରପ୍ରଦେଶ ନିର୍ବାଚନ ଗୋଟିଏ ବଡ କାର୍ଡ। ଏଣୁ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗଟିକୁ ରାଜନୈତିକ ଦଳମାନେ ଠିକ୍ ସମୟରେ ଉଠାଇଛନ୍ତି, ଯାହା କେନ୍ଦ୍ର ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି।
ରାଜନୈତକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଲା, ଗୋଟିଏ ପଟେ କେନ୍ଦ୍ର ସରକାର ରାମ ଜନ୍ମଭୂମି ପ୍ରସଙ୍ଗରେ ଆଗକୁ ବଢୁଥିବା ବେଳେ ଅନ୍ୟପଟେ ଓବିସି କାର୍ଡ ଖେଳିଛନ୍ତି। ଏହା ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ, ଯାହାକୁ ଆୟୁଧ କରି ଅନ୍ୟ ସମସ୍ତଙ୍କୁ ସଙ୍କୁଚିତ କରିବାକୁ ବିଜେପି ସକ୍ଷମ ହେବ। ହେଲେ ଆଞ୍ଚଳିକ ଦଳମାନେ ଅନୁଭବ କରିସାରିଛନ୍ତି ଯେ ଜାତି ଓ ଧାର୍ମିକ ସଂଗଠନ ମଧ୍ୟରେ ବିଜେପି ଭାରସାମ୍ୟ ରଖି ଆଗକୁ ବଢୁଥିବାରୁ ସେମାନଙ୍କ ପାଇଁ ଆଗକୁ ବିପଦ ହିଁ ବିପଦ। ବିଜେପିର ଓବିସି ଜନ ଆଧାର ବଢୁଥିବା ପରିପ୍ରେକ୍ଷୀରେ ଏଥିରେ ଆଗକୁ ରିସ୍କ ଅଛି। ଏଣୁ ଗୋଟିଏ ଜାତି ଭିତ୍ତିକ ଜନଗଣନାକୁ ଗଲେ, ବିଜେପିର ଆକ୍ରମଣାତ୍ମକ ହିନ୍ଦୁଭିତ୍ତିକ ରାଜନୀତିକୁ କାଟିବା ଲାଗି ଏହା ପ୍ରୟୋଗ କରାଯାଇପାରିବ।
ଏବେ ପ୍ରଶ୍ନ ଉଠୁଛି, ପ୍ରଧାନମନ୍ତ୍ରୀଙ୍କ ପାଇଁ ଏହା ଏକ ସହଜ ନିଷ୍ପତ୍ତି ହେବ କି?