ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

କ୍ୟାବିନେଟ୍ ବୈଠକରେ କି ନିଷ୍ପତ୍ତି ହେଲା, ଜାଣନ୍ତୁ

0
  • ରାସ୍ତାରେ ଚାଲିବ ବିଦ୍ୟୁତଚାଳିତ ଗାଡି, ନୀତି ପ୍ରସ୍ତୁତ କଲେ ସରକାର
  • ଆର୍ଥିକ ରିହାତି ସହିତ ଗାଡି ପଞ୍ଜୀକରଣ ଦେୟ ଓ ରୋଡ୍ ଟ୍ୟାକ୍ସ ଛାଡ
  • ବାଲି ଚୋରାଚାଲାଣ ରୋକିବାକୁ ବି ପ୍ରସ୍ତୁତ ହେଲା ସ୍ବତନ୍ତ୍ର ବାଲି ନୀତି
  • କାନୁପୁର ପ୍ରକଳ୍ପ ପାଇଁ ୨୦୦କୋଟିରେ ହେବ ପ୍ଲାଷ୍ଟିକ୍ କଂକ୍ରିଟ୍ କାନ୍ଥ
  • ପ୍ରାଣୀ ଚିକିତ୍ସା ସେବା କ୍ୟାଡର ପୁନର୍ଗଠିତ, ଅଦିକ ୪୫୯ ପଦବି ସୃଷ୍ଟି
  • ଆଦର୍ଶ ବିଦ୍ୟାଳୟ ରକ୍ଷଣାବେକ୍ଷଣ କାର୍ଯ୍ୟ ପଞ୍ଚାୟତ ସମିତି କରିବ

ଭୁବନେଶ୍ବର: ରାଜ୍ୟରେ ଅଧିକରୁ ଅଧିକ ବିଦ୍ୟୁତ ଚାଳିତ ଗାଡି ଚଳାଚଳ ଉପରେ ସରକାର ଗୁରୁତ୍ବାରୋପ କରିଛନ୍ତି। ଏଥିପାଇଁ ଏକ ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରାଯାଇଛି। ସେହିଭଳି ଲଘୁ ଖଣିଜ ସଂପଦ ରାଜସ୍ବ ବୃଦ୍ଧି ପରେ ସରକାର ବାଲିନୀତି ପ୍ରସ୍ତୁତ କରିଛନ୍ତି। ଏଥିସହିତ ରାଜ୍ୟ କ୍ୟାବିନେଟରେ ଆଜି ୧୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଆଜି ଅପରାହ୍ନ ସାଢେ ପାଞ୍ଚଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା।

କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ଓଡ଼ିଶା ବୈଦ୍ୟୁତିକ ମୋଟରଯାନ ନୀତି ଆଜି ମନ୍ତ୍ରିମଣ୍ଡଳ ବୈଠକରେ ଅନୁମୋଦନ ଲାଭ କରିଛି। ଗତ କିଛି ବର୍ଷ ଧରି ବିଶ୍ବ ତାପାୟନ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ପାରମ୍ପରିକ ଇନ୍ଧନ ବ୍ୟବହାର କାରଣରୁ ହେଉଥିବା ପ୍ରଦୂଷଣ ଏହାର ଅନ୍ୟତମ କାରଣ। ଏଥିରେ ହ୍ରାସ ଲାଗି ରାଜ୍ୟ ସରକାର ବୈଦ୍ୟୁତିକ ଯାନ ଚଳାଚଳ ଉପରେ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ଏହି ବୈଦ୍ୟୁତିକ ମୋଟର ଯାନ ନୀତି ପ୍ରସ୍ତୁତ କରାଯାଇଛି।

ସରକାର ଲକ୍ଷ୍ୟ ରଖିଛନ୍ତି, ୨୦୨୫ ସୁଦ୍ଧା ବୈଦ୍ୟୁତିକ ଯାନ ଚଳାଚଳ ୨୦ ପ୍ରତିଶତ ଯାଏ ବଢାଇବେ। ବୈଦ୍ୟୁତିକ ଯାନ, ଏହାର ଯନ୍ତ୍ରାଂଶ ଓ ବ୍ୟାଟେରି ଉତ୍ପାଦନକାରୀ ଉଦ୍ୟୋଗଙ୍କୁ ଉତ୍ସାହିତ ଲାଗି ଏଥିରେ ଗୁରୁତ୍ବ ଦିଆଯାଇଛି।ଏ କ୍ଷେତ୍ରରେ ନବୀକରଣ ଓ ଗବେଷଣାକୁ ପ୍ରୋତ୍ସାହନ ଦିଆଯିବ। ଉତ୍ପାଦନକାରୀ କଂପାନି, ଯାନ ବ୍ୟବହାରକାରୀ ଜନସାଧାରଣଙ୍କୁ ଆର୍ଥିକ ରିହାତି ସହିତ ଗାଡି ପଞ୍ଜୀକରଣ ଦେୟ ଓ ରୋଡ୍ ଟ୍ୟାକ୍ସ ଛାଡ କରାଯିବ। ପୁରୁଣା ଗାଡିକୁ ରଦ୍ଦ ପାଇଁ ପ୍ରୋତ୍ସାହନ, ବୈଦ୍ୟୁତିକ ଗାଡି କିଣିବା ପାଇଁ ଋଣ ବାବଦକୁ ସୁଧ ଛାଡ ବ୍ୟବସ୍ଥା କରାଯାଇଛି। ମଧ୍ୟମ, କ୍ଷୁଦ୍ର ଓ ଅଣୁ ବିଭାଗର ଷ୍ଟାର୍ଟ ଅପ୍ ନୀତିରେ ଏହି ବୈଦ୍ୟୁତିକ ଯାନ ଉଦ୍ୟୋଗ ପାଇଁ ବି ପ୍ରୋତ୍ସାହନ ବ୍ୟବସ୍ଥା ରହିଛି।

ରାଜ୍ୟରେ ନଦୀବାଲିର ସୁ-ବିନିଯୋଗ ଏବଂ ସୁ ପରିଚାଳନା ନିମନ୍ତେ ଓଡ଼ିଶା ବାଲି ନୀତି ସରକାର ପ୍ରସ୍ତୁତ କରିଛନ୍ତି। ବାଲି ଚାହିଦା, ଯୋଗାଣ ଅଟକଳ, ବାଲି ଉତ୍ସ ଚିହ୍ନଟ, ବାଲିଉତ୍ସର ଡିଜିପିଏସ୍ ସର୍ବେକ୍ଷଣ, ବାଲି ଖନନର ନିଲାମ ଅଧିକାର, ମାଇନିଂ ପ୍ଲାନ୍ ଅନୁମୋଦନ, ପରିବେଶ ମଞ୍ଜୁରୀ, ଅନ୍ୟାନ୍ୟ ବୈଷୟିକ ମଞ୍ଜୁରୀ, ବାଲିଖାଦାନ ପରିଚାଳନା, ଆନ୍ତଃ ରାଜ୍ୟ ପରିବହନ, ତଦାରଖ, ପ୍ରବର୍ତ୍ତନକୁ ଏଥିରେ ସାମିଲ କରାଯାଇଛି। ମୁଖ୍ୟତଃ ବେଆଇନ ବାଲି କାରବାର ରୋକିବା ଲାଗି ଏହି ନୀତି କାର୍ଯ୍ୟ କରିବ।

କେନ୍ଦୁଝର ଜିଲ୍ଲାର କାନୁପୁର ଜଳସେଚନ ପ୍ରକଳ୍ପର ବାମପଟ ମାଟିବନ୍ଧ ପାର୍ଶ୍ବରେ ନିର୍ମିତ ହେବାକୁ ଥିବା ୧୦୦୦ ମିମି ଚଉଡାର ପ୍ଲାଷ୍ଟିକ୍ କଂକ୍ରିଟ୍ କାନ୍ଥ ପାଇଁ ୧୯୯ କୋଟି ୬୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି କାମ ୧୧ମାସରେ ଶେଷ ହେବ। ଏହାଦ୍ବାରା ମାଟିକାନ୍ଥରେ ଜଳକ୍ଷରଣ ବା ସିପେଜ୍ ଆଉ ହେବ ନାହିଁ। କାନୁପୁର ଜଳସେଚନ ପ୍ରକଳ୍ପକୁ ୨୦୨୩ ସୁଦ୍ଧା ସାରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହି କ୍ୟାଡରରେ ଅଧିକ ୪୫୯ଟି ନୂଆ ପଦବି ସୃଷ୍ଟି କରାଯାଇଛି। ଏଥିସହିତ ମୋଟ ପଦବି ସଂଖ୍ୟା ୧୪୮୧ରୁ ୧୯୪୦କୁ ବୃଦ୍ଧି ପାଇଛି।ରାଜ୍ୟ ସରକାର ଗ୍ରୁପ-ବି ସ୍ତରୀୟ ପ୍ରାଣୀ ଚିକିତ୍ସାସ୍ତରୀୟ ପ୍ରବେଶସ୍ତରୀୟ ନିଯୁକ୍ତିକୁ ଗ୍ରୁପ-ଏ ପାହ୍ୟାକୁ ଉନ୍ନୀତ କରିଛନ୍ତି। ଫଳରେ ପଦୋନ୍ନତି ପାଇଁ ଏବେ ଅଧିକ ସୁଯୋଗ ସୃଷ୍ଟି ହେବ।

ରାଜ୍ୟ ସରକାର ହସ୍ତଶିଳ୍ପର ବିକାଶ ଲାଗି ରୁଲ୍ସ ଅଫ୍ ବିଜିନେସ୍‌ରେ ସଂଶୋଧନ କରିଛନ୍ତି। ଏଥିରେ ହସ୍ତ ଓ କୁଟୀର ଶିଳ୍ପ ସ୍ଥାନରେ କେବଳ ହସ୍ତଶିଳ୍ପ ଲେଖାଯିବ ଏବଂ କୁଟୀରଶିଳ୍ପକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗରୁ ବାଦ୍ ଦିଆଯିବ। ହସ୍ତଶିଳ୍ପ ସଂପର୍କିତ ସମସ୍ତ ଯୋଜନା, କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପକୁ ଏହାର ଅନ୍ତର୍ଭୁକ୍ତ କରାଯିବ। ଓଡ଼ିଶା ହସ୍ତଶିଳ୍ପ ନୀତି, ଓଡ଼ିଶା ହସ୍ତତନ୍ତ ସେବା ନିୟମ କ୍ୟାଡର, ଓଡ଼ିଶା ଅଧସ୍ତନ ହସ୍ତଶିଳ୍ପ ସେବା ନିୟମ କ୍ୟାଡର ବି। ଓଡ଼ିଶା ଶିଳ୍ପ ସଂଗ୍ରହାଳୟ-କଳାଭୂମି, ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦ ଏବଂ ଅର୍ବାନ ହାଟ, ହସ୍ତଶିଳ୍ପ ପାଇଁ ମାର୍କେଟ ବି ଏଥିରେ ସାମିଲ ହେବ।

ଖଣିଜ ରାଜସ୍ବ ଆୟରେ ବୃଦ୍ଧି ଲାଗି ରାଜ୍ୟ ସରକାର ଓଡ଼ିଶା ଅଧସ୍ତନ ଖଣିଜ ପ୍ରଶାସନ ସେବା କ୍ୟାଡର ୨୦୨୧ୁ ସୃଷ୍ଟି କରିଛନ୍ତି। ୨୦୧୮ ଜୁନ୍ ମାସରେ କରାଯାଇଥିବା କ୍ୟାଡର ପୁନର୍ଗଠନକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ରାଜ୍ୟରେ ଥିବା ଜିଲ୍ଲା ଓ ଅଧସ୍ତନ ନ୍ୟାୟାଳୟରେ କାର୍ଯ୍ୟରତ ଗ୍ରୁପ ଡି କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟା ଓ ସେବା ସର୍ତ୍ତାବଳୀକୁ ଫଳପ୍ରଦ କରିବା ଲାଗି ପୃଥକ୍ ନିୟମାବଳୀ ପ୍ରଣୟନ ଆବଶ୍ୟକତା ରହିଥିଲା। ଏହାକୁ ଆଜି ମନ୍ତ୍ରିମଣ୍ଡଳ ଅନୁମୋଦନ ଦେଇଛନ୍ତି। ସେହିପରି ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଆଦର୍ଶ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଦାୟିତ୍ବ ପଞ୍ଚାୟତି ସମିତିକୁ ହସ୍ତାନ୍ତର କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।

ଏହାବ୍ୟତୀତ ଓଡ଼ିଶା ସାମାଜିକ ସୁରକ୍ଷା ସେବା (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତ) ସଂଶୋଧନ ନିୟମାବଳୀ, ଓଡ଼ିଶା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡିକର କର୍ମଚାରୀମାନଙ୍କର ଅବସରକାଳୀନ ହିତ ନିୟମାବଳୀ, ୧୯୮୧ ସଂଶୋଧନ ପ୍ରସ୍ତାବ, ଓଡ଼ିଶା ଅଧସ୍ତନ ଖଣିଜ ଓ ରସାୟନ ବିଶ୍ଳେଷଣ ସେବା କ୍ୟାଡର ନିୟମକୁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି।

Leave A Reply

Your email address will not be published.