ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଫେଲ୍ ମାରିଥିଲେ ପ୍ରତାପ, ବିଶେଶ୍ବର ବି ବିଫଳ

0

ବିଜେପିର ଉତ୍ତର ଓଡ଼ିଶା ରାଜନୀତିକୁ ଜବରଦସ୍ତ ଝଟ୍‌କା

ପଞ୍ଚାୟତ ନିର୍ବାଚନ ଆଗରୁ ଶୁଖି ଶୁଖି ଯାଉଛି ପଦ୍ମ

ଏକାଥରକେ ୧୫ ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡିଦେଲେ

ଗୋଟିଏ ସମୟରେ ବିଜେପିର ଦୁର୍ଗ ଥିଲା ମୟୂରଭଂଜ ଜିଲ୍ଲା

ସାଂସଦ ବିଶେଶ୍ବରଙ୍କୁ ମନ୍ତ୍ରୀ ମୁକୁଟ ପିନ୍ଧାଇଥିଲେ ମୋଦୀ

ପ୍ରତାପ କେନ୍ଦ୍ର ମନ୍ତ୍ରୀ ଥାଇ ବାଲେଶ୍ବର ଆସନ ହରାଇଥିଲେ

ବିଜେଡି ଫୋକସରେ ଏବେ ମୟୂରଭଂଜ ଜିଲ୍ଲା ରାଜନୀତି

ରାଣୀ ରାଜଲକ୍ଷ୍ମୀଙ୍କ ଉପରେ ମଧ୍ୟ ଦଳର ନଜର ରହିଛି

ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ରାଜ୍ୟ ବିଜେପିକୁ ବିପର୍ଯ୍ୟୟ ଘୋଟି ଆସିଲାଣି। ଭୁବନେଶ୍ବରର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ବିଜେଡି ନେତାଙ୍କ ସହିତ ଆଲୋଚନା ଚର୍ଚ୍ଚା ଥମିନି, ଆଜି ବିଜେପିର ଗଡ ବୋଲି କୁହାଯାଉଥିବା ମୟୂରଭଂଜ ଜିଲ୍ଲା ରାଜନୀତି ଦୋହଲିଯାଇଛି। ଜଣେ କି ଦୁଇ ଜଣ ନୁହେଁ, ଏକାଥରକେ ୧୫ ଜଣ ଜିଲ୍ଲା ପରିଷଦ ସଭ୍ୟ ରାଜ୍ୟ ବିଜେପି ସଭାପତିଙ୍କୁ ନିଜର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ପତ୍ର ଧରାଇ ଦେଇଛନ୍ତି। ଏଥିସହିତ ଜିଲ୍ଲା ପରିଷଦ ସଦସ୍ୟ ପଦରୁ ମଧ୍ୟ ସେମାନେ ଇସ୍ତଫା ଦେଇଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଏହି ନେତାମାନେ ଅତ୍ୟନ୍ତ କଠୋର ପଦକ୍ଷେପ ନେଇଗଲେ। ଏହି ଘଟଣା ଆଜି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି।

୨୦୧୭ ନିର୍ବାଚନରେ ବିଜେପି ଏଠାରେ ନିଜର ଶକ୍ତି ଦେଖାଇଥିଲା। ୫୬ଟି ଜିଲ୍ଲା ପରିଷଦ ଆସନ ବିଶିଷ୍ଟ ମୟୂରଭଞ୍ଜ ଜିଲ୍ଲାରେ ୪୯ଟି ପରିଷଦ ଦଖଲ କରିଥିଲା ବିଜେପି। ବିଜେଡିକୁ ଏହି ଘଟଣା ସେବେ ଭୀଷଣ ବିଚଳିତ କରିଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ୍ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ହାତକୁ ୬ଟି ବିଧାନସଭା ଆସନ ଚାଲିଯାଇଥିଲା, ଯେବେ ବିଜେଡିକୁ ମାତ୍ର ୩ଟି ମିଳିଥିଲା। ହେଲେ ବିଜେପି ସଂଗଠନକୁ ଇତିମଧ୍ୟରେ ଘୁଣ ଲାଗିଯାଇଛି।

ଏମିିତି କେବେ ହେଇନଥିବ ଯେ ଇସ୍ତଫା ଦେଇଥିବା ନେତାମାନେ ଦଳର ନେତୃତ୍ବକୁ ପୂର୍ବରୁ ସେମାନଙ୍କର ଅସନ୍ତୋଷ ଜଣାଇନଥିବେ। ବରଂ ତାଙ୍କ କଥା କେହି ଶୁଣିନଥିବେ। ଆରଏନଏ ଗତ ସପ୍ତାହରେ ଲେଖିଥିଲା ଯେ ବିଜେପି ରାଜ୍ୟ ନେତୃତ୍ବ ଦଳର ନେତାଙ୍କ ଠାରୁ ଦୂରେଇ ଯାଉଛନ୍ତି। ଏହି କାରଣରୁ ଡଜନେରୁ ଅଧିକ ନେତା ବିଜେଡି ସହ ସଂପର୍କରେ ଥିବା ସେଥିରେ କୁହାଯାଇଥିଲା। ମୟୂରଭଞ୍ଜ ଘଟଣା ଆଜି ପ୍ରମାଣ କରିଦେଇଛି ଯେ ଏହି ଆକଳନ ଭୁଲନଥିଲା।

ଅତି ବିଶ୍ବସ୍ତ ସୂତ୍ରରୁ ମିଲୁଥିବା ସୂଚନା ଅନୁସାରେ, ମୟୂରଭଂଜର ଆହୁରି ବରିଷ୍ଠ ବିଜେପି ନେତାମାନେ ଏବେ ବିଜେଡି ଶରଣକୁ ଆସିବାକୁ ଚେଷ୍ଟା କରୁଛନ୍ତି। ବିଜୁ ଜନତା ଦଳ ମଧ୍ୟ ଏଠାରେ ବିଜେପିକୁ ପୂରା ମୂଳପୋଛ କରିବା ଲକ୍ଷ୍ୟରେ ଅଛି। ପୂର୍ବରୁ ବିଜେଡି ଦୁଇଟି ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ହରାଇଥିଲା। ଏବେ ଚର୍ଚ୍ଚା ହେଉଛି ଯେ ଦଳ ଛାଡିଥିବା ବିଜେପି ନେତା ବିଜେଡି ଆଡକୁ ଭବିଷ୍ୟତରେ ଢଳିପାରନ୍ତି। ଆହୁରି ବଡ କଥା ହେଲା ଆଗକୁ ବିଜେଡିର ଆଖି ମୟୂରଭଞ୍ଜ ରାଣୀ ରାଜଲକ୍ଷ୍ମୀ ଭଂଜଦେଓଙ୍କ ଉପରେ ରହିଛି। ପୂର୍ବରୁ ରାଜା ପ୍ରବୀଣ ଭଂଜଦେଓ ବିଜେଡିରୁ ବିଧାୟକ ହୋଇଥିଲେ, ମନ୍ତ୍ରୀ ବି। ଏବେ ସେ ବିଜେପିରେ ଅଛନ୍ତି। ଶ୍ରୀ ଭଞ୍ଜଦେଓ ଦଳ ବଦଳ କଲେ ସିନା ହେଲେ ବିଜେପି ତାଙ୍କୁ ରାଜ୍ୟସ୍ତରରେ ଯେଭଳି ଗୁରୁତ୍ବ ଦେବା କଥା ତାହା ଦେଇନାହିଁ।

ଏଠାରେ ସ୍ମରଣଯୋଗ୍ୟ, ବିଜେପି ମୟୂରଭଂଜ ଜିଲ୍ଲାକୁ ଗୋଟିଏ ସମୟରେ ସର୍ବାଧିକ ଗୁରୁତ୍ବ ଦେଇଥିଲା। ପୂର୍ବତନ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ କରିଥିଲେ ନରେନ୍ଦ୍ର ମୋଦୀ। ନିକଟରେ ମୟୂରଭଂଜ ସାଂସଦ ବିଶେଶ୍ବର ଟୁଡୁଙ୍କୁ ମନ୍ତ୍ରୀ ମୁକୁଟ ପିନ୍ଧାଇଛନ୍ତି ମୋଦୀ। ହେଲେ ପ୍ରତିବଦଳରେ-ମାସେ ଯାଇନି, ଜିଲ୍ଲା ବିଜେପି ସଂଗଠନ ଭୁଶୁଡିଗଲା, ମନ୍ତ୍ରୀ କିଛି ବି କରିପାରିଲେ ନାହିଁ। ପୂର୍ବରୁ ବାଲେଶ୍ବର କ୍ଷେତ୍ରରେ ଅନୁରୂପ ଘଟଣା ଦେଖିବାକୁ ମିଳିଥିଲା। ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ମନ୍ତ୍ରୀ ମୁକୁଟ ଦେଇଥିଲେ ମୋଦୀ। ଆଉ ବାଲେଶ୍ବର ଉପନିର୍ବାଚନରେ ବିଜେପି ଶୋଚନୀୟ ପରାଜୟ ହେଲା ଓ ଦଳ ଖାତାରୁ ଗୋଟିଏ ଆସନ ଚାଲିଗଲା ବିଜେଡିକୁ।

ଉଭୟ ଘଟଣା ସୂଚାଇ ଦେଉଛି ଯେ ଉତ୍ତର ଓଡ଼ିଶାରେ ବିଜେପିର ଦୁର୍ଗ ପତନ ଦ୍ରୁତ ବେଗରେ ହେଉଛି। ଯଦି ଏହି ଧାରା ଜାରି ରହେ, ତେବେ ପଞ୍ଚାୟତ ନିର୍ବାଚନରେ ବିଜେପି ଉତ୍ତର ଓଡ଼ିଶାରେ ଶୋଚନୀୟ ପ୍ରଦର୍ଶନ କରିବ।

Leave A Reply

Your email address will not be published.