ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ଭୟ ଭିତରେ ଭଲ ଖବର

0

ଭୁବନେଶ୍ବର: ସମ୍ଭାବ୍ୟ କରୋନା ତୃତୀୟ ଲହର ଆସିବା ନେଇ ଭୟ ଭିତରେ ଆସିଛି ଭଲ ଖବର। ରାଜ୍ୟରେ ପାଖାପାଖି ୬ ମାସ ପରେ ୧ ପ୍ରତିଶତ ତଳକୁ ସଂକ୍ରମଣ ହାର ଖସିବା ରାଜ୍ୟ ପାଇଁ ଶୁଭ ସଂକେତ ବୋଲି କୁହାଯାଉଛି। ଗତ ୨୪ଘଣ୍ଟା ରେ ସଂକ୍ରମଣ ହାର ରହିଛି ୦.୯୩ ପ୍ରତିଶତ; ଯାହା କରୋନା ଦ୍ୱିତୀୟ ଲହରର ସର୍ବନିମ୍ନ ସଂକ୍ରମଣ।

ମାର୍ଚ୍ଚ ୨୭ରେ ରାଜ୍ୟର ସଂକ୍ରମଣ ହାର ଥିଲା ୦.୭୨% । ଏହା ପରେ ସଂକ୍ରମଣ ହାର ବଢିବଢି ଚାଲିଥିଲା। ପାଖାପାଖି ୬ ମାସ ପରେ ରାଜ୍ୟରେ କରୋନା
ସଂକ୍ରମଣ ହାର ଏବେ ୧ ପ୍ରତିଶତ ତଳକୁ ଖସିଛି । ହେଲେ ଚିନ୍ତାର ବିଷୟ ହେଉଛି ଏବେ ବି ଭୁବନେଶ୍ୱରରେ ୨ ପ୍ରତିଶତ ଉପରେ ସଂକ୍ରମଣ ହାର ରହିଛି। ରାଜ୍ୟର ସମସ୍ତ ଜିଲ୍ଲା ଗ୍ରିନ ଜୋନକୁ ପଳାଇ ଆସିଥିବା ବେଳେ କେବେଳ ଖୋର୍ଦ୍ଧା ଜିଲ୍ଲା ରେଡ ଜୋନରେ ରହିଛି। ସେହିପରି ୨୨ଟି ଜିଲ୍ଲାରେ ୧ ପ୍ରତିଶତ ତଳେ ସଂକ୍ରମଣ ହାର ରହିଥିବା ବେଳେ ୫ ଟି ଜିଲ୍ଲାରେ ଏବେ ବି ୧ ପ୍ରତିଶତ ଉପରେ ପଜିଟିଭ ରେଟ ରହିଛି। ତେବେ ନବରଙ୍ଗପୁର ଜିଲ୍ଳାରେ ଜଣେ ବି ଆକ୍ରାନ୍ତ
ଚିହ୍ନଟ ହୋଇନଥିବା ଏହା ଜିଲ୍ଲାବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି।

ଅଗଷ୍ଟ ପହିଲାରେ ୧୨ ଜିଲ୍ଲାରେ ଟିପିଆର ୧ ପ୍ରତିଶତ ତଳେ ଥିଲା । ହେଲେ ଏବେ ଆଉ ୧୦ ଜିଲ୍ଲାରେ ସଂକ୍ରମଣ ଖସି ମୋଟ ୨୨ଟି ଜିଲ୍ଲାରେ ଟିପିଆର ୧ ପ୍ରତିଶତ ତଳେ ରହିଛି, ଯାହା ରାଜ୍ୟ ପାଇଁ ଭଲ ଖବର। ମାର୍ଚ୍ଚ ମାସରୁ ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଥଲା। ହୁ ହୁ ହୋଇ ବଢି ଚାଲିଥିଲା ସଂକ୍ରମଣ। ଏପରିକି କିଛି ଜିଲ୍ଲାରେ ସଂକ୍ରମଣ ହାର ୩୬ ପ୍ରତିଶତ ମଧ୍ୟ ଟପିଥିଲା।

ଜୁନ ୭ ରେ ରାଜ୍ୟରେ ୧୦ ପ୍ରତିଶତ ତଳକୁ ଖସିଥିଲା ପଜିଟିଭ ହାର । କରୋନା ଦ୍ୱିତୀୟ ଲହର ଆରମ୍ଭରୁ ୪୦ ଦିନରେ ୬ ହଜାର ୧୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଜୁନ ୭ ତାରିଖରେ।ଏପ୍ରିଲ, ମେ’ ରେ ସଂକ୍ରମଣ ହାର ବଢିବା ପରେ ଜୁନ ୭ରେ ୧୦ ପ୍ରତିଶତ ତଳକୁ ସଂକ୍ରମଣ ହାର ଖସିଥିବା ବେଳେ ଏବେ ଅଗଷ୍ଟ ଶେଷକୁ ୧ ପ୍ରତିଶତ ତଳକୁ ଖସିବା ଘଟଣା ସମସ୍ତଙ୍କୁ ଆଶ୍ବସ୍ତ କରୁଛି।

କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବା ବେଳେ ଅଗଷ୍ଟ ପହିଲାରୁ ସରକାର କଟକଣା ମଧ୍ୟ କୋହଳ କରିଛନ୍ତି। କେବଳ କଟକ,ପୁରୀ,ଭୁବନେଶ୍ୱରକୁ ଛାଡିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ କଟକଣା କୋହଳ କରାଯାଇଛି। ଏହି ୩ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଜାରି ରହିଛି। ତେବେ ଏବେ ସଂକ୍ରମଣ ହାର ୧ ପ୍ରତିଶତ ତଳକୁ ଖସିଥିବା ବେଳେ ସେପ୍ଟେମ୍ବର ମାସରେ କରୋନା କଟକଣା ଅଧିକ କୋହଳ ହୋଇପାରେ। କଟକ,ପୁରୀ,ଭୁବନେଶ୍ୱର ସପ୍ତାହାନ୍ତ ସଟଡାଉନ ଉଠାଇବା ନେଇ ସରକାର ଚିନ୍ତା କରିପାରନ୍ତି। ରାଜ୍ୟରେ ନାଇଟ କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ତା ଉପରେ ମଧ୍ୟ ସରକାର ପଦକ୍ଷେପ ନେଇପାରନ୍ତି । ତେବେ ସେପ୍ଟେମ୍ବର କି ଅକ୍ଟୋବରରେ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞ ମାନେ ଆକଳନ କରୁଥିବା ବେଳେ ଆଗକୁ ସତର୍କ ହୋଇ କରୋନା ନିୟମ ପାଳନ କରିବା ଜରୁରୀ ।

Leave A Reply

Your email address will not be published.