ଭୁବନେଶ୍ବର: ଦୀର୍ଘ ଦିନ ବ୍ୟବଧାନ ପରେ ଓଡ଼ିଶାରେ ଆଦୃତି ଲାଭ କରିଥିବା ଶିଶୁ ଲେଖା ପୁନଃ ପ୍ରକାଶ ପାଉଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଓଡ଼ିଶାର ପ୍ରାୟ ଅଧିକାଂଶ ପରିବାରରେ ଖୁସି ଆଣି ଦେଇଥିଲା। ଛୋଟ ପିଲାଙ୍କ ଉଦ୍ଦେଶ୍ୟରେ ସରକାରଙ୍କ ଏହି ପୁସ୍ତକ ପ୍ରକାଶନ ପରବର୍ତ୍ତୀ ପିଢି ପାଇଁ ବେଶ୍ ଗୁରୁତ୍ବବହନ କରେ। ନିକଟରେ ରାଜ୍ୟ ସରକାରଙ୍କ ସଂସ୍କୃତି ସଚିବ ସୁରେଶ ଚନ୍ଦ୍ର ଦଳାଇ ଏହାର ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର ସଂଖ୍ୟା ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ଦଳାଇ ଗଣମାଧ୍ୟମକୁ କହିଥିଲେ ଏହି ସ୍ବତନ୍ତ୍ର ସଂଖ୍ୟା ମନୋଜ ଦାସଙ୍କ ଉପରେ କରାଯାଇଛି। ରାଜ୍ୟ ସରକାର ଏହାକୁ ଆସନ୍ତା ଦିନରେ ନିରବଚ୍ଛିନ୍ନ ଭାବେ ଓ ପ୍ରତିମାସରେ ପ୍ରକାଶ କରିବାକୁ ଚାହାନ୍ତି।
ପାଠକେ ଭାବୁଥିବେ, ଏହି ପୁରୁଣା ଖବର କାହିଁକି ବର୍ତ୍ତମାନ ଲେଖାଗଲା?
ଏଇଥିପାଇଁ ଯେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଶିଶୁଲେଖା ପୁନଃ ଆତ୍ମପ୍ରକାଶ କଲା ସତ। ହେଲେ ଏହା ନିର୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାରେ ଏକରକମ ବିଫଳ ହୋଇଛି। ଛପାଯାଉଥିବା ଶିଶୁଲେଖା କାହା ପାଖରେ ପହଞ୍ଚୁଛି? ରାଜ୍ୟର ପ୍ରତି ଶିଶୁ ପାଖରେ ପହଞ୍ଚିବା ଏତେ ସହଜ ନୁହେଁ। କିନ୍ତୁ ରାଜ୍ୟ ସରକାରଙ୍କ ପ୍ରତି ସ୍କୁଲରେ ଏହି ପୁସ୍ତକଟି ପହଞ୍ଚିବା ନିହାତି ଆବଶ୍ୟକ। ରାଜ୍ୟ ସଂସ୍କୃତି ସଚିବ କହିପାରିବେ, ରାଜ୍ୟର କେତୋଟି ସ୍କୁଲରେ ଏହି ପୁସ୍ତକ ସେମାନେ ପହଞ୍ଚାଇପାରିଛନ୍ତି? ଅନ୍ୟଥା କାହା ପାଇଁ ସେମାନେ ଏହି ପୁସ୍ତକ ଛାପୁଛନ୍ତି? କରୋନା କାଳରେ ଯେବେ ସ୍କୁଲ ଆଦି ବନ୍ଦ ରହିଥିଲା, ପିଲାଙ୍କ ପାଖରେ ଏହି ଦୁର୍ଲଭ ପୁସ୍ତକଟି ପହଞ୍ଚାଇବା ଲାଗି ସଂସ୍କୃତି ବିଭାଗ ଆଉ କି ବିକଳ୍ପ ବ୍ୟବସ୍ଥା କରିଥିଲେ?
ଏବେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଜରିଆରେ ଯେଉଁ ଶିଶୁଲେଖା ପ୍ରକାଶ ପାଉଛି, ତାହା ସଂସ୍କୃତି ବିଭାଗ କିଭଳି ପିଲାଙ୍କ ପାଖରେ ପହଞ୍ଚାଇବ? ବିଭାଗ ସ୍କୁଲରେ ଏହି ପତ୍ରିକାକୁ ପହଞ୍ଚାଇବାର ନିଜସ୍ବ ସାଧନ କିଛି ରଖିଛି କି? ମିଳିଥିବା ସୂଚନା ଅନୁସାରେ, ସେମାନେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଏହା ପ୍ରଦାନ କରୁଛନ୍ତି। ହେଲେ ସଂପୃକ୍ତ ଅଧିକାରୀ ଜଣକ ଓଡ଼ିଶାର ଗାଁ ଗଣ୍ଡାର ସ୍କୁଲ ପର୍ଯ୍ୟନ୍ତ କିଭଳି ଏହାକୁ ପହଞ୍ଚାଇବେ?
କିଛି ବରିଷ୍ଠ ସାହିତ୍ୟିକମାନଙ୍କର ଯୁକ୍ତି ହେଉଛି, ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏହି ପୁସ୍ତକ ପ୍ରକାଶନ କରିବାରେ କିଛି ଅସୁବିଧା ନାହିଁ। କିନ୍ତୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଛାଡି ଏ କ୍ଷେତ୍ରରେ କିଛି ବି କରାଯାଇପାରିବ ନାହିଁ। ସଚିବାଳୟରେ ଉଭୟ ମନ୍ତ୍ରୀ ବସୁଥିବା ଚୌକି ଭିତରେ ୧୦୦ ଫୁଟ ବ୍ଯବଧାନ ବି ନାହିଁ। କିନ୍ତୁ ଗାଁ ଗଣ୍ଡାରେ ଉଭୟ ବିଭାଗ ମଧ୍ୟରେ ଯୋଜନ ଯୋଜନ ଦୂରତା ରହିଛି, ଏକଥା ସଂସ୍କୃତି ମନ୍ତ୍ରୀ, ସଚିବ ବୁଝିବା ଦରକାର। ଯଦି ଶିଶୁମାନଙ୍କ ନିକଟରେ ଏହି ବହି ପହଞ୍ଚିପାରିବ ନାହିଁ, ତେବେ କାହାକୁ ପୋଷିବା ଲାଗି ଏହି ପୁସ୍ତକ ପ୍ରକାଶ କରାଯାଉଛି।
ସଂଯୋଗବଶତଃ, ରାଜ୍ୟ ସଂସ୍କୃତି ନିର୍ଦେଶକ ରଂଜନ କୁମାର ଦାସ ଏବେ ଓଡ଼ିଆ ଭାଷା ପ୍ରତିଷ୍ଠାନ ନିର୍ଦେଶକ ଅଛନ୍ତି। ସେ ପୁଣି ଜଣେ ସାହିତ୍ୟିକ। ନିର୍ଦେଶକ, ସଂସ୍କୃତି ସଚିବ ଏବଂ ସଂସ୍କୃତି ମନ୍ତ୍ରୀ ଯଦି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବଙ୍କ ସହିତ ଏକାଠି ବୈଠକ ଏହାର ରାସ୍ତା କାଢିଦିଅନ୍ତେ, ତେବେ ଅତି ଗୁରୁତ୍ବପୂର୍ଣ୍ଣ ଏହି ପତ୍ରିକାଟି ନିଶ୍ଚିତ ଭାବେ ତାର ଉଦ୍ଦେଶ୍ୟ ପୂରଣରେ ସଫଳ ହୁଅନ୍ତା। କେବଳ ସେତିକି ନୁହେଁ, ଶିକ୍ଷା ବିକାଶ ସମିତି ଠାରୁ ଆରମ୍ଭ କରି ଇଂରାଜି ମାଧ୍ୟମ ବିଦ୍ୟାଳୟ ପର୍ଯ୍ୟନ୍ତ ସବୁ ବିଦ୍ଯାଳୟକୁ ଏହା ଯାଇପାରିଲେ, ଓଡ଼ିଆ ଭାଷାର ବିକାଶ କ୍ଷେତ୍ରରେ ଏହା ଏକ ପ୍ରମୁଖ ଭୂମିକା ରଖନ୍ତା।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ବାବୁଙ୍କ ମୁଣ୍ଡକୁ କଣ ଏତିକି ପଶୁନି?ପୁସ୍ତକ ପ୍ରକାଶନରେ ଯେତିକି ଆଗ୍ରହ ରଖୁଛନ୍ତି, ତାହା ଯାହା ଉଦ୍ଦେଶ୍ୟରେ ପ୍ରକାଶ ପାଉଥିବା , ତାହା କିଭଳି ସଫଳ ହେବ ସେ ରାସ୍ତା ସେ କାଢିବେନି ଯଦି ଆଉ କିଏ କାଢିବ?