ଭୁବନେଶ୍ବର: ଦେଶରେ ଏବେ ସବୁ ରାଜ୍ୟରେ ନାମଲେଖା ଋତୁ ଚାଲିଛି। କିଏ ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଛନ୍ତି ତ ଆଉ କିଏ ଓକିଲ ହେବା ପାଇଁ ଚାହୁଁଛନ୍ତି। କିଏ ଆଇଆଇଟି ପାଇଁ କସରତ କରୁଛନ୍ତି, ଆଉ କିଏ ସ୍ନାତକ ଶ୍ରେଣୀ ଅତିକ୍ରମ କରି ସିଭିଲ୍ ସର୍ଭିସ ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି ଯୋଜନା କରିଛନ୍ତି। ଏସବୁ ଭିତରେ କିନ୍ତୁ ଗୋଟିଏ କଥା ଲକ୍ଷ୍ୟ କରାଯାଉଛି ଯେ ପୂରା ଦେଶରେ ହଠାତ୍ ଇଞ୍ଜନିୟରିଂ ପାଠ ପ୍ରତି ଅହେତୁକ ଭାବେ ଆଗ୍ରହ କମିଛି। ବରଂ ଅଧିକରୁ ଅଧିକ ଛାତ୍ର ମ୍ୟାନେଜ୍ମେଣ୍ଟ ପ୍ରତି ଆଗ୍ରହୀ ଥିବା ଜଣାପଡୁଛି।
ଅଲ୍ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (AICTE) ର ତଥ୍ୟ ସୂଚାଉଛି ଯେ ୨୦୨୧-୨୨ଶିକ୍ଷାବର୍ଷରେ ଭାରତରେ ମୋଟ ଇଞ୍ଜିନିୟରିଂ ସିଟ୍ ଗତ ୧୦ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସମାନ୍ତରାଳ ଭାବେ ଶିକ୍ଷାବିତମାନେ କହୁଛନ୍ତି ଯେ ମ୍ୟାନେଜମେଣ୍ଟ ସିଟ୍ ଇତିମଧ୍ୟରେ ୪ଲକ୍ଷ ଡେଇଁଗଲାଣି।
୨୦୨୧-୨୨ ଶିକ୍ଷାବର୍ଷରେ ସମଗ୍ର ଦେଶରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ମୋଟ ୨୩.୬ ଲକ୍ଷ ସିଟ୍ ରହିଛି। ୨୦୧୨-୧୩ ପରଠାରୁ ଏହା ସର୍ବନିମ୍ନତମ ବୋଲି କୁହାଯାଇପାରେ। ସେବେ ୨୬.୯ ଲକ୍ଷ ସିଟ୍ ଉପଲବ୍ଧ ଥିଲା। ୨୦୧୪-୧୫ରେ ଏହା ସର୍ବୋଚ୍ଚସ୍ତରରେ ପହଞ୍ଚିଥିଲା। ଦେଶରେ ଇଞ୍ଜିନିୟରିଂ ପଢିବା ଲାଗି ଛାତ୍ରଛାତ୍ରୀ ଅଭିଭାବକଙ୍କ ମଧ୍ୟରେ ଏଭଳି ଆକର୍ଷଣ ବୃଦ୍ଧି ପାଇଥିଲା ଯେ ସିଟ୍ ସଂଖ୍ୟା ବଢି ୩୧.୮ଲକ୍ଷ ଛୁଇଁଥିଲା। ଓଡ଼ିଶାରେ ମଧ୍ୟ ଶିଖର ଛୁଇଁଥିଲା। ଆଜି ଦିନରେ ରାଜ୍ୟରେ ପ୍ରମୁଖ ଇଞ୍ଜିନିୟରିଂ କଲେଜକୁ ବାଦ୍ ଦେଲେ ଅନ୍ୟମାନେ କଲେଜ ଖୋଲିଥିବା ଏହି ବିଶାଳ କୋଠାକୁ କିଭଳି ବ୍ୟବହାର କରିବେ, କିଭଳି ନିଜ କ୍ୟାମ୍ପସ ପ୍ରତି ଆକର୍ଷଣ ବଢାଇବେ, କେଉଁ ପାଠ୍ୟକ୍ରମ ଆଣିଲେ, ନୂଆପିଢୀ ସେମାନଙ୍କ ଅନୁଷ୍ଠାନକୁ ଫେରିବେ ତାକୁ ନେଇ କସରତ ଚଳାଇଛନ୍ତି। ଅଥଚ ରାସ୍ତା ପାଇପାରୁନାହାନ୍ତି।
ଶିକ୍ଷାବିତମାନେ ଯେଉଁ ବଡ କଥାଟି ଏହା ଭିତରେ ନଜରକୁ ଆଣୁଛନ୍ତି, ତାହା ହେଲା ୨୦୧୯-୨୦ ଶିକ୍ଷାବର୍ଷରୁ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ପ୍ରତି ଆଦର ବଢୁଛି। ସିଟ୍ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇ ୪.୦୪ଲକ୍ଷରେ ପହଞ୍ଚିଲାଣି। ୧୦ବର୍ଷର ପରିସଂଖ୍ୟାକୁ ଲକ୍ଷ୍ୟ କରି ଏକଥା କୁହାଯାଉଛି। ୨୦୧୨-୧୩ ଓ ୨୦୧୩-୧୪ରେ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ପ୍ରତି ଛାତ୍ରଛାତ୍ରୀଙ୍କର ଆଗ୍ରହ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଆକର୍ଷଣ ହରାଇଲେ ଛାତ୍ରଛାତ୍ରୀ। ୨୦୧୭-୧୮ରେ ମୋଟ ସିଟ୍ ସଂଖ୍ୟା ୩.୯୪ଲକ୍ଷକୁ ଖସିଆସିଥିଲା। ୨୦୧୮-୧୯ରେ ୩.୭୪ଲକ୍ଷ ଏବଂ ୨୦୧୯-୨୦ରେ ୩.୭୩ଲକ୍ଷକୁ ଖସିବା ପରେ ଏବେ ପୁଣି ବଢିବା ଆରମ୍ଭ କରିଛି।
ଅତି ସଂକ୍ଷେପରେ କହିବାକୁ ଗଲେ, ଇଞ୍ଜିନିୟରିଂରେ ଲକ୍ଷ ଲକ୍ଷ ସିଟ୍ ଏବେ ଖାଲିପଡିଛି, ପିଲା ନାମଲେଖାଇବାକୁ ଆଗ୍ରହୀ ନାହାନ୍ତି। ଗତ୫ବର୍ଷରେ ୪୫ରୁ ୪୮ ପ୍ରତିଶତ ପର୍ଯ୍ୟନ୍ତ ସିଟ୍ ଦେଶରେ ଖାଲି ପଡିଛି। ମ୍ୟାନେଜମେଣ୍ଟ କ୍ଷେତ୍ରରେ ଏହାର ହାର ୩୪ରୁ ୩୭ ପ୍ରତିଶତ ହେବ।
ଶିକ୍ଷାବିତମାନେ ଏସବୁ ଦିଗକୁ ଲକ୍ଷ୍ୟ କରିବା ପରେ କହୁଛନ୍ତି ଯେ ଇଞ୍ଜିନିୟରିଂ କ୍ଷେତ୍ରରେ ଏବେ ବେରୋଜଗାରୀ ଅଧିକ। ସ୍ନାତକ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ବି ସେମାନଙ୍କୁ ଚାକିରି ମିଳୁନାହିଁ। ଅନେକ ଏହାକୁ ଅଧିକ ପରିପୃଷ୍ଟ କରିବା ଲାଗି ତା ପରେ ଆଉଥରେ ଏମବିଏ କରିବାକୁ ବାଧ୍ୟ ହେଉଚନ୍ତି। ସିଭିଲ୍, ମେକାନିକାଲ୍ ଆଦି କ୍ଷେତ୍ରରେଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ସମସ୍ୟା ଗମ୍ଭୀର ହୋଇଗଲାଣି। ପ୍ରତିଷ୍ଠାନ ସିନା ପାଠ ପଢିବା ଲାଗି ଖୋଲିଗଲା, ହେଲେ ସେମାନଙ୍କୁ ତାଙ୍କ ମୂଳ ପାଠ୍ୟକ୍ରମରେ ଚାକିରି ଦେବା ଲାଗି ଅନୁରୂପ ଭାବେ ଭିତ୍ତିଭୂମି ନାହିଁ। ଆହୁରି ସରଳ ଭାବେ କହିଲେ, ଏସବୁ କ୍ଷେତ୍ରରେ କର୍ପୋରେଟ୍ ଜଗତ ସମୃଦ୍ଧ ହୋଇପାରିଲା ନାହିଁ।
ଆଉ କିଛି ଶିକ୍ଷାବିତ୍ ଉଭୟ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ଉତ୍ତୀର୍ଣ୍ଣଙ୍କୁ ନେଇ ଚିନ୍ତା ବ୍ୟକ୍ତ କରୁଛନ୍ତି। ଏମାନଙ୍କ ମତରେ ସ୍କିଲ ଇଣ୍ଡିଆ ରିପୋର୍ଟକୁ ବିଶ୍ବାସ କରାଗଲେ ୪୦ ପ୍ରତିଶତରୁ ଅଧିକ ଏମବିଏ ଏବଂ ଇଞ୍ଜିନିୟରିଂ ସ୍ନାତକ ନିଯୁକ୍ତି ପାଇଁ ଯୋଗ୍ୟ। ଏଭଳିସ୍ଥଳେ କେନ୍ଦ୍ର ସରକାର ଏବଂ ଶିକ୍ଷାଜଗତରେ ପୁଞ୍ଜିନିବେଶକାରୀମାନେ ନୂଆ ନୂଆ ପାଠ୍ୟକ୍ରମ ଧରି ଆସିବା ଦରକାର ଏବଂ ପୁରୁଣା ପାଠକୁ ନବୀକରଣ କରିବାର ବି ସମୟ ଆସିଯାଇଛି। ଅନ୍ୟଥା କର୍ପୋରେଟ୍ ଜଗତରେ ଯେଭଳି ପରିବର୍ତ୍ତନ ଆସୁଛି, ଏହି ଛାତ୍ରଛାତ୍ରୀମାନେ ଆଉ ଏଥିପାଇଁ ଶତ ପ୍ରତିଶତ ଯୋଗ୍ୟ ହୋଇପାରିବେ ନାହିଁ।
ଗୋଟିଏ ରିପୋର୍ଟ ଅନୁସାରେ, ୪୬.୮୨ ପ୍ରତିଶତ ବି. ଟେକ୍ ବା ଇଞ୍ଜିନିୟରିଂ ଛାତ୍ର ନିଯୁକ୍ତି ପାଇପାରୁଛନ୍ତି। ଏମବିଏ କ୍ଷେତ୍ରରେ ଏହାର ହାର ୪୬.୫୯ ପ୍ରତିଶତ ରହିଛି।