ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ସେନସେକ୍ସରେ କମ୍ପନ: ୬୦ହଜାର ପଏଣ୍ଟ ଟପିଲା

0

ଅର୍ଥନୀତିକୁ ନେଇ ନିବେଶକ ଉତ୍ସାହିତ

ମୁମ୍ବାଇ, ୨୪/୯: ଅର୍ଥନୀତିକୁ ନେଇ ନିବେଶକମାନଙ୍କ ମନରେ ଥିବା ଆଶଙ୍କା ଧୀରେ ଧୀରେ ଦୂର ହେବାରେ ଲାଗିଛି। କରୋନା ପ୍ରକୋପ କମିବା ସହିତ ଦେଶରେ ଟିକାକରଣ ଆଗକୁ ବଢ଼ୁଛି। ଏଥିସହିତ ଲକଡାଉନ୍ ଭଳି କଟକଣା ହଟିବା ପରେ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏଥିଯୋଗୁ ପୁଞ୍ଜିବଜାର ନିବେଶକମାନେ ଉତ୍ସାହିତ ହୋଇ ପଡ଼ିଛନ୍ତି। ଆଜି ସକାଳୁ ସକାଳୁ ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ୬୦ ହଜାର ପଏଣ୍ଟର ମାଇଲଖୁଣ୍ଟ ଅତିକ୍ରମ କରିଛି।

୧୦୦୦ ପଏଣ୍ଟରୁ ୬୦,୦୦୦ ପଏଣ୍ଟ ଛୁଇଁବା ଲାଗି ସେନସେକ୍ସକୁ ୩୧ ବର୍ଷରୁ ସାମାନ୍ୟ କିଛି ଅଧିକ ସମୟ ଲାଗିଛି। ସେନସେକ୍ସ ପ୍ରଥମ ଥର ପାଇଁ ୧୯୯୦ ମସିହା ଜୁଲାଇ ୨୫ ତାରିଖରେ ୧୦୦୦ ପଏଣ୍ଟ ଛୁଇଁଥିଲା। ୨୦୧୫ ମାର୍ଚ୍ଚ ୪ ତାରିଖରେ ସେନସେକ୍ସ ୩୦ ହଜାର ପଏଣ୍ଟରେ ପହଞ୍ଚିଥିଲା। ୧୦୦୦ ପଏଣ୍ଟରୁ ୩୦୦୦୦ ପଏଣ୍ଟକୁ ଯିବାଲାଗି ସେନସେକ୍ସକୁ ପାଖାପାଖି ୨୫ ବର୍ଷ ସମୟ ଲାଗିଥିଲା। କିନ୍ତୁ ୩୦୦୦୦ ପଏଣ୍ଟରୁ ୬୦୦୦୦ ପଏଣ୍ଟକୁ ଯିବା ଲାଗି ସେନସେକ୍ସକୁ ମାତ୍ର ୬ ବର୍ଷ ସମୟ ଲାଗିଛି। ସେନସେକ୍ସ ୩୬୦ ପଏଣ୍ଟ ବୃଦ୍ଧି ଘଟି ୬୦୨୪୪ ପଏଣ୍ଟ ଛୁଇଁଥିଲା। ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ମଧ୍ୟ ୧୦୦ ପଏଣ୍ଟ ବୃଦ୍ଧି ପାଇ ୧୭୯୨୩ ପଏଣ୍ଟ ଭଳି ରେକର୍ଡ ସ୍ତରରେ ପହଞ୍ଚିଛି। ଖୁବ୍ଶୀଘ୍ର ଏହା ୧୮୦୦୦ ପଏଣ୍ଟର ଐତିହାସିକ ଅଙ୍କ ଛୁଇଁବା ସମ୍ଭାବନା ରହିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ ଅର୍ଥନୀତିରେ ଚାହିଦା ଯେଉଁମାତ୍ରାରେ ପୂର୍ବାବସ୍ଥାକୁ ଫେରିବ ବୋଲି ପୂର୍ବରୁ ଅନୁମାନ କରାଯାଇଥିଲା ତାହା ତୁଳନାରେ ଅଧିକ ମାତ୍ରାରେ ଏଥିରେ ସୁଧାର ଆସୁଛି। ଏହାର ପ୍ରଭାବ ନିବେଶକମାନଙ୍କ ଉପରେ ପଡ଼ିଛି। ନିବେଶକମାନେ ଉତ୍ସାହିତ ହୋଇ ପୁଞ୍ଜି ବଜାରରେ ସେୟାର କିଣିବା ସହିତ ଟଙ୍କା ଖଟାଇବାରେ ଲାଗିଛନ୍ତି। କେବଳ ସେତିକି ନୁହେଁ, ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ଆସନ୍ତାବର୍ଷ ଏହାର ସୁଧ ହାର ବଢ଼ାଇବାର ସଙ୍କେତ ଦେଇଛି। ଏଥିସହିତ ଅର୍ଥନୀତିରେ ସୁଧାର ଯଦି ଜାରି ରହେ ତାହେଲେ ଆମେରିକା ଏହାର ବଣ୍ଡ୍ କ୍ରୟ ପ୍ରକ୍ରିୟାକୁ ମଧ୍ୟ ମନ୍ଥର କରିବା ସମ୍ଭାବନା ରହିଛି। ବିଶ୍ବର ସର୍ବବୃହତ ଅର୍ଥନୀତିରୁ ଏଭଳି ଖବର ଆସିବା ପରେ ବିଶ୍ବର ନିବେଶକମାନଙ୍କ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଛି। ଫଳରେ ଭାରତ ସମେତ ଏସିଆ ଓ ବିଶ୍ବର ଅନ୍ୟ ଷ୍ଟକ ବଜାର ଗୁଡ଼ିକର ସୂଚକାଙ୍କ ବଢ଼ିବାରେ ଲାଗିଛି।

ବିଶେଷକରି ଭାରତରେ ଗତ ୫ ସପ୍ତାହ ହେଲା ସେନସେକ୍ସ ଉପରକୁ ଉଠୁଛି। ଏଥିରୁ ବୁଝାଯାଉଛି ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ନିବେଶକମାନେ ଆଉ ସେତେଟା ଚିନ୍ତିତ ନାହାନ୍ତି। ସେନସେକ୍ସ ୫୦୦୦୦ ପଏଣ୍ଟରୁ ୬୦୦୦୦ ପଏଣ୍ଟରେ ପହଞ୍ଚିବା ଲାଗି ମାତ୍ର ୨୪୫ ଦିନ ସମୟ ନେଇଛି।
ଏଠାରେ ସ୍ପଷ୍ଟ କରାଯାଇ ପାରେ ଯେ, ୧୯୮୬ ମସିହା ଜାନୁଆରି ୨ ତାରିଖରେ ସେନସେକ୍ସ ଲାଇଭ ହେଲା। ସେହି ସମୟରେ ସେନସେକ୍ସର ମୂଳ ବା ବେସ୍କୁ ୧୦୦ ଭାବେ ନିଆଯାଇଥିଲା। ଏଥିପାଇଁ ମୂଳବର୍ଷ ଥିଲା ୧୯୭୮-୭୯।

ପ୍ରଥମ ଥର ପାଇଁ ୧୯୯୦ ମସିହା ଜୁଲାଇ ୨୫ ତାରିଖରେ ସେନସେକ୍ସ ୧୦୦୦ ପଏଣ୍ଟରେ ପହଞ୍ଚିଥିଲା। ଅର୍ଥାତ୍ ୧୦୦ ପଏଣ୍ଟରୁ ୧୦୦୦ ପଏଣ୍ଟରେ ପହଞ୍ଚିବା ଲାଗି ସେନସେକ୍ସକୁ ପାଖାପାଖି ୧୨ ବର୍ଷ ସମୟ ଲାଗିଥିଲା। ସେହି ସମୟରେ ନିବେଶକମାନେ ପୁଞ୍ଜିବଜାରରୁ ସେମାନଙ୍କ ପ୍ରଥମ ୯୦୦ ପ୍ରତିଶତ(୧୦୦ରୁ ୧୦୦୦ ପଏଣ୍ଟ) ପାଇବା ପାଇଁ ୪୨୨୩ ଦିନ ଅପେକ୍ଷା କରିଥିଲେ। ଏହାପରେ ଦ୍ବିତୀୟ ୯୦୦ ପ୍ରତିଶତ (୧୦୦୦ରୁ ୧୦୦୦୦ ପଏଣ୍ଟ) ରିଟର୍ଣ୍ଣ ପାଇଁ ସେମାନଙ୍କୁ ୫୬୭୫ ଦିନ ସମୟ ଲାଗିଥିଲା। ୨୦୦୬ ଫେବ୍ରୁଆରି ୭ ତାରିଖରେ ସେନସେକ୍ସ ପ୍ରଥମ ଥର ପାଇଁ ୧୦୦୦୦ ପଏଣ୍ଟ ଟପିଥିଲା। ତେବେ ୨୦୦୭ ଅକ୍ଟୋବର ୨୯ରେ ସେନସେକ୍ସ ୨୦୦୦୦ ପଏଣ୍ଟରେ ପହଞ୍ଚିଯାଇଥିଲା। କିନ୍ତୁ ୩୦୦୦୦ ପଏଣ୍ଟର ମାଇଲଖୁଣ୍ଟ ଛୁଇଁବାକୁ ସେନସେକ୍ସକୁ ଏକ ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ୨୦୧୭ ଏପ୍ରିଲ ୨୬ରେ ସେନସେକ୍ସ ୩୦୦୦୦ ପଏଣ୍ଟ ଛୁଇଁଥିଲା। ଅର୍ଥାତ୍ ପାଖାପାଖି ସାଢ଼େ ୯ ବର୍ଷ ଧୈର୍ଯ୍ୟ ଧରିବାକୁ ପଡ଼ିଥିଲା। କିନ୍ତୁ ୩୦୦୦୦ରୁ ୪୦୦୦୦ ପଏଣ୍ଟରେ ପହଞ୍ଚିବା ଲାଗି ୭୬୭ ଦିନ ଲାଗିଥିଲା। ୨୦୧୯ ଜୁନ ୩ ତାରିଖରେ ସେନସେକ୍ସ ୪୦୦୦୦ ପଏଣ୍ଟ ଛୁଇଁଥିଲା। କିନ୍ତୁ ୫୦୦୦୦ ଏବଂ ୬୦୦୦୦ ପଏଣ୍ଟ ମାଇଲଖୁଣ୍ଟ ସେନସେକ୍ସ ଗୋଟିଏ ବର୍ଷରେ ହାସଲ କରିଛି। ୨୦୨୧ ଜାନୁଆରି ୨୧ରେ ସେନସେକ୍ସ ୫୦୦୦୦ ପଏଣ୍ଟ ଟପିଥିଲା। ୪୦୦୦୦ ରୁ ୫୦୦୦୦ ପଏଣ୍ଟରେ ପହଞ୍ଚିବା ଲାଗି ୫୯୭ ଦିନ ଲାଗିଥିଲା। କିନ୍ତୁ ୫୦୦୦୦ ପଏଣ୍ଟରୁ ୬୦୦୦୦ ପଏଣ୍ଟରେ ପହଞ୍ଚିବା ଲାଗି ସେନସେକ୍ସକୁ ମାତ୍ର ୨୪୫ ଦିନ ସମୟ ଲାଗିଛି। ସେପ୍ଟେମ୍ବର ୨୪ ତାରିଖ, ୨୦୨୧ରେ ଏହି ସଫଳତା ମିଳିଛି। ସେନସେକ୍ସ ଏହି ଧାରାରେ ଆଗକୁ ବଢ଼ିଲେ ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ଏହା ୧ ଲକ୍ଷ ପଏଣ୍ଟ ଛୁଇଁବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

Leave A Reply

Your email address will not be published.