ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ପୁଣି ମାତିଲେ ନବୀନ; ବିରୋଧୀ ଛତ୍ରଭଙ୍ଗ ଦେଲେ କି?

0

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୂରା ଓଡ଼ିଶା ବୁଲିବେ ବିଜେଡି ସୁପ୍ରିମୋ

୫୫ ପ୍ରତିଶତ ଭୋଟ ହାତେଇବା ଲାଗି ନେତାଙ୍କୁ ଟାର୍ଗେଟ ଦେଇଛନ୍ତି

ନିଜେ ବୁଲୁଛନ୍ତି, ଗାଁ ଗଣ୍ଡା ଗଲେଣି ମନ୍ତ୍ରୀ ଓ ଦଳର ବରିଷ୍ଠ ନେତା

ସଂଗଠନ ସଂପାଦକ ବବି ଦାସଙ୍କ ହାତରେ ଏବେ ବଡ ଦାୟିତ୍ବ

ଯେଉଁଠି ରହିଲେ, ବିଜେଡି ବଢୁଛି, ବିରୋଧୀ ଶିବିର ଧୂଳିସାତ୍

ବିଜେଡି ହାତରେ ବରିଷ୍ଠ ବିରୋଧୀ ନେତାଙ୍କ ଲମ୍ବା ତାଲିକା, ମିଶିଯିବେ

ସଭାପତି କିଏ ହେବ, ତାକୁ ନେଇ କଂଗ୍ରେସ ଶିବିରରେ କମ୍ପନ

ବିଜେପି ନେତା ଥରୁଟିଏ ବସିନାହାନ୍ତି, ସବୁ ବରିଷ୍ଠ ଅଲଗା ଅଲଗା ରାସ୍ତାରେ

ଭୁବନେଶ୍ବର: କେଉଁ ଜିଲ୍ଲାକୁ ପ୍ରତ୍ୟକ୍ଷ ଭାବେ ଯାଉଛନ୍ତି, ଆଉ କେଉଁଠି ଭର୍ଚୁଆଲରେ ହେଉଛି ବୈଠକ। ସରକାର ଓ ରାଜ୍ୟ ନିର୍ବାଚନ କମିସନ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସମାନ୍ତରାଳ ଅଭିଯାନ ଚଳାଇଛନ୍ତି। ଯେବେ ରାଜ୍ୟ ନିର୍ବାଚନ କମିସନ ଭୋଟ ତାରିଖ ଘୋଷଣା କରିବେ, ସେବେ ସୁଦ୍ଧା ୩୦ଟି ଜିଲ୍ଲା ବୁଲି ସାରିଥିବେ ମୁଖ୍ୟମନ୍ତ୍ରୀ। ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ହାତରେ ଧରି ନବୀନ ଆରମ୍ଭ କରିଥିବା ଏହି ଗସ୍ତ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରୁଛି।

ପଞ୍ଚାୟତ ନିର୍ବାଚନ ଭୋଟ କ୍ଷେତ୍ରରେ ଏହାକୁ ଦଳ ମାଷ୍ଟର କାର୍ଡ ଭାବେ ବ୍ୟବହାର କରିବାକୁ ଯାଉଛି। ଏହାବ୍ୟତୀତ ନବୀନ ଯେଉଁ ଜିଲ୍ଲାକୁ ଯାଉଛନ୍ତି ବା ବୈଠକ କରୁଛନ୍ତି, ସେଠାରେ ୫୦୦ରୁ ୨ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପ୍ୟାକେଜ୍ ଫିଙ୍ଗିଦେଇ ଆସୁଛନ୍ତି। ନବୀନଙ୍କ ଏଭଳି ରଣନୀତି କାରଣରୁ ହଠାତ୍ ଗାଁ ଗଣ୍ଡା ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠାରେ ବିଜେଡି ଶିବିର ଚଳଚଞ୍ଚଳ। ଏହି ସ୍ବାସ୍ଥ୍ୟ କାର୍ଡ ବାଣ୍ଟିବା ଆଳରେ ପୂରା ଜିଲ୍ଲାରେ ବିଜେଡି ନେତା, ମନ୍ତ୍ରୀ ଗାଁ ଗଣ୍ଡାରେ ଛାଇଯାଉଛନ୍ତି, ଯେମିତି ଆସନ୍ତାକାଲି ନିର୍ବାଚନ ହେବ କି?

କେବଳ ସେତିକିରେ ବିଜେଡି ସନ୍ତୁଷ୍ଟ ନାହିଁ। ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ (ବବି) ଦାସ ମଧ୍ୟ ପ୍ରତିଦିନ ବିଭିନ୍ନ ଜିଲ୍ଲା ଗସ୍ତ କରି ସଂଗଠନ ସଜଡା କାମରେ ଲାଗିଛନ୍ତି। କିଏ କେଉଁଠି ମିଶିବ, ଅସନ୍ତୁଷ୍ଟଙ୍କୁ ମନାଇବା ତଥା ଜିଲ୍ଲା ଭିତରେ ନେତାଙ୍କ ମଧ୍ୟରେ ଥିବା କେଁ କାଁ ଦୂର ପାଇଁ ପ୍ରଣବଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ବବି ଯେଉଁଠିକି ଏକାଧିକ ଥର ଯାଉଛନ୍ତି, ସେଠାରେ ନିଜ ଘର ସଜାଡିବା ସହିତ ବିଜେପି-କଂଗ୍ରେସ ଘର ଭାଙ୍ଗିଯାଉଛି। ବିରୋଧୀ ଦଳର ମାଳ ମାଳ ନେତା ଏବେ ବିଜେଡିକୁ ଚାଲିଆସିବା ଲାଗି ବବିଙ୍କ ସହିତ ଯୋଗାଯୋଗରେ ଥିବା ଅତି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳୁଛି। ଏପରିକି କଂଗ୍ରେସ ଓ ବିଜେପିର କିଛି ରାଜ୍ୟସ୍ତରୀୟ ନେତା ବି ଏହି ତାଲିକାରେ ନିଜ ନାମକୁ ଆଗରେ ରଖିଛନ୍ତି।

ବିଜେଡିର ଶୀର୍ଷସ୍ତର ଜଣେ ନେତା କହିଛନ୍ତି, କଂଗ୍ରେସ ହଠାତ୍ ରାଜନୀତି ମଇଦାନରୁ ଓହରିଯିବା ସ୍ତରକୁ ଆସିଯାଇଛି। ଏଣୁ ଆଗକୁ ବିଜେଡି ସହିତ ବିଜେପିର ମୁହାଁମୁହିଁ ଲଢେଇ ହେବ। ଏଭଳି ସ୍ଥିତିରେ ବିଜେଡି ମୁଖିଆ ଟାର୍ଗେଟ ଦେଇଛନ୍ତି ଯେ ଦଳର ଭୋଟ ପ୍ରତିଶତ ୫୫ରୁ କମ୍ ହେବା ଉଚିତ୍ ନୁହେଁ। ଏହାକୁ ଲକ୍ଷ୍ୟ ରଖି ଯୋଜନା ଆରମ୍ଭ ହୋଇଛି। ସାଧାରଣ ନିର୍ବାଚନରେ ଏହି ସଂଖ୍ୟା ହାସଲ କରିବାକୁ ହେଲେ, ପଞ୍ଚାୟତ ନିର୍ବାଚନ ସମୟରୁ ରଣନୀତି ହେବା ଦରକାର। ଏଣୁ ବିଜେଡି ଯୋଜନା ଚଳାଇଛି ଯେ ପଞ୍ଚାୟତ ନିର୍ବାଚନକୁ ପୂରା ଏକପାଖିଆ ଭାବେ ନିଜ ଆଡକୁ ଟାଣିଆଣିବ, ଯେଉଁଥିରେ ବିରୋଧୀଙ୍କ ଚେର ତୃଣମୂଳସ୍ତରରେ ଦୋହଲି ଯିବ।

ଏଠାରେ ସ୍ମରଣଯୋଗ୍ୟ, ପରିସଂଖ୍ୟାନ କହୁଛି, ୨୦୧୪ ନିର୍ବାଚନରେ ବିଜେଡି ସଂସଦ ନିର୍ବାଚନରେ ୪୪.୮ ପ୍ରତିଶତ ଓ ବିଧାନସଭାରେ ୪୩.୯ ପ୍ରତିଶତ ଭୋଟ ପାଇଥିଲା। ୨୦୧୯ରେ ସଂସଦ ଭୋଟରେ କିନ୍ତୁ ଭୋଟ ପ୍ରତିଶତ କମି ୪୨.୭ ପ୍ରତିଶତ ଛୁଇଁଥିଲା। ହେଲେ ବିଧାନସଭା କ୍ଷେତ୍ରରେ ବଢି ୪୪.୭ ପ୍ରତିଶତ ଭୋଟ ହାତେଇଥିଲା ବିଜେଡି। ଉଭୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତିଆରା ଓ ପ୍ରତିଷ୍ଠା ଶୀର୍ଷସ୍ତରରେ ଥିଲା ବେଳେ କେନ୍ଦ୍ର ସରକାର ବିଜେଡି ଦୁର୍ଗ ଭାଙ୍ଗିବା ଲାଗି ପ୍ରଚଣ୍ଡ ଆକ୍ରମଣ କରିଛନ୍ତି। ଏହା ସତ୍ତ୍ବେ ରାଜ୍ୟର ଭୋଟରମାନେ ନବୀନଙ୍କ ସପକ୍ଷରେ ରହିଯାଇଥିଲେ।

ଅନ୍ୟପଟରେ ପଞ୍ଚାୟତ ନିର୍ବାଚନକୁ ସମ୍ପୂର୍ଣ୍ଣ ଏକପାଖିଆ କରାୟତ କରିବା ଲାଗି ବିଜେଡି ଜବରଦସ୍ତ କସ୍ତରତ ଚଳାଇଥିବା ବେଳେ ବିରୋଧୀ ଶିବିର ସ୍ଥିତି ଯେ କୌଣସି ରାଜନୀତି ବୁଝୁଥିବା ବ୍ୟକ୍ତିକୁ ହତଚକିତ କରିବ। କିଏ ସଭାପତି ହେବ, ନିରଞ୍ଜନ ପଟ୍ଟନାୟକ ରହିବେ ନା ବିଦା ହେବେ ଏହାକୁ ନେଇ କଂଗ୍ରେସ ଶିବିର ବ୍ୟସ୍ତ ରହିଛି। ପଞ୍ଚାୟତ ନିର୍ବାଚନରେ ଦଳ ଗତ ସାଧାରଣ ନିର୍ବାଚନରେ ପାଇଥିବା ଭୋଟ ସୁରକ୍ଷିତ ରଖିବା ଲାଗି ବି କୌଣସି କୌଶଳ କରିନାହିଁ। ପରିସଂଖ୍ୟାନ କହୁଛି, ୨୦୧୪ ନିର୍ବାଚନରେ କଂଗ୍ରେସ (ସଂସଦ) ୨୬.୪ ପ୍ରତିଶତ ଭୋଟ ପାଇଥିଲା, ୨୦୧୯ରେ ଏହା ଖସିଆସି ୧୩.୮ ପ୍ରତିଶତରେ ପହଞ୍ଚିସାରିଛି। ବିଧାନସଭା ଭୋଟ ପ୍ରତିଶତ ଦେଖିଲେ, ୨୦୧୪ରେ ୨୬ ପ୍ରତିଶତ ପାଇଥିବା ବେଳେ ୨୦୧୯ରେ ଏହା ୧୬ ପ୍ରତିଶତକୁ ଖସିଆସିଥିଲା। ସଦ୍ୟ ସମାପ୍ତ ପିପିଲିରେ ଦଳର ଭୋଟ ପ୍ରତିଶତ ଏକ ଅଙ୍କ ଡେଇଁବା ତ ଦୂରର କଥା ୨.୫ ପ୍ରତିଶତ ତଳକୁ ଖସିଆସିଛି। ବାଲେଶ୍ବର ଉପନିର୍ବାଚନରେ ବି ସେତିକି ସାଂଘାତିକ ଥିଲା। ଉଭୟ ନିର୍ବାଚନରେ ପ୍ରାର୍ଥୀ ଅମାନତ ରଖିପାରିନାହାନ୍ତି।

ଏସବୁ ଚିତ୍ର ସୂଚାଇ ଦେଉଛି ଯେ କଂଗ୍ରେସ ନିର୍ବାଚନ ଲଢିବା ସ୍ଥିତିରେ ନାହିଁ। ଅନ୍ୟଥା ଦଳ ଏକାଠି ହେବା ପରିବର୍ତ୍ତେ ସାନି ବିଭାଜନ ମୁହଁକୁ ନିଜକୁ ଠେଲି ଦିଅନ୍ତେ କେମିତି? କଂଗ୍ରେସ ଶୀର୍ଷ ନେତୃତ୍ବର ମଧ୍ୟ ରାଜ୍ୟ ସଂଗଠନ ଉପରେ ନିୟନ୍ତ୍ରଣ ନାହିଁ। ଏଣୁ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭୋଟ କୁଆଡେ ଯିବ, ତାହା ଏବେ ରାଜ୍ୟ ରାଜନୀତିରେ ସବୁଠାରୁ ଜଟିଳ ସମୀକରଣ ସୃଷ୍ଟି କରିବାକୁ ଯାଉଛି। ଅଳ୍ପ କିଛି ଭୋଟ ବିଜେପିକୁ ଯାଇପାରେ, କିନ୍ତୁ ମୂଳ କଂଗ୍ରେସ ଭୋଟ ବିଜେଡିକୁ ଆଉଜି ଯିବା ସମ୍ଭାବନା ଅଧିକ।

ବିଜେପି ସ୍ଥିତି ନ କହିବା ଭଲ। ସବୁ ଉପନିର୍ବାଚନରେ ନିର୍ଘାତ ପରାଜୟ ପରେ ବି ନେତାଙ୍କ ଚୈତନ୍ୟୋଦୟ ହୋଇନାହିଁ। ଏଯାଏ ନେତାମାନେ ଥରୁଟିଏ ଶୀର୍ଷସ୍ତରରେ ମାନସ ମନ୍ଥନ କଲେ ନାହିଁ। ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ କ୍ଷେତ୍ରରେ ମୁଣ୍ଡ ଖେଳାଉଛନ୍ତି ନା ଅଶ୍ବିନୀ ବୈଷ୍ଣବ କିମ୍ବା ବିଶେଶ୍ବର। ସେହିଭଳି ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ବିଜୟ ମହାପାତ୍ର, ଅପରାଜିତା ଷଡଙ୍ଗୀ ପ୍ରମୁଖଙ୍କୁ ପାଖରେ ବସାଇ ରାଜ୍ୟ ସଭାପତି ସମୀର ମହାନ୍ତି ବୈଠକ ନେବା ଲାଗି ଆଗ୍ରହ ଦେଖାଇନାହାନ୍ତି। ଗାଁ ଗଣ୍ଡାରେ କର୍ମୀ ପ୍ରଶ୍ନ କଲେଣି, ସନ୍ଧ୍ୟାବେଳେ ଟିଭି ସାମ୍ନାରେ ଗର୍ଜିଦେଲେ ବୋଧହୁଏ ସଂଗଠନ ହୋଇଯିବ; ଏକଥା ବିଜେପି ନେତାମାନେ ଭାବିନେଇଛନ୍ତି। ଅନ୍ୟଥା କର୍ମୀଙ୍କ କଥା ସେମାନଙ୍କର ମନେ ପଡନ୍ତା ନାହିଁ କେମିତି?

ଏଠାରେ ଉଲ୍ଲେଖଥାଉକି, ବିଜେପି ଗତ ପଞ୍ଚାୟତ ନିର୍ବାଚନରେ ତିନି ନମ୍ବର ସ୍ଥାନରୁ ଦୂୁଇ ନମ୍ବରକୁ ଉନ୍ନୀତ ହୋଇଥିଲା। ଏହା ଥିଲା ବଡ ଉପଲବ୍ଧି। ହେଲେ ଏଥର? ବିଜେପି ୨୦୧୪ ନିର୍ବାଚନରେ ସଂସଦରେ ୨୧.୯ ପ୍ରତିଶତ ଏବଂ ବିଧାନସଭାରେ ୧୮.୨ ପ୍ରତିଶତ ଭୋଟ ପାଇଥିଲା ବେଳେ ୨୦୧୯ରେ ଏହା ବୃଦ୍ଧି ପାଇ ୩୮.୪ ଓ୩୨.୫ ପ୍ରତିଶତ ଛୁଇଁଥିଲା। ଏତିକି ଭୋଟ ପ୍ରତିଶତ ନିଜ ହାତରେ ରଖିବା ଲାଗି ବିଜେପି ଆଜି ଦିନରେ କସରତ କରୁଛି କି?

Leave A Reply

Your email address will not be published.