ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

ସାମ୍ନାକୁ ଆସିବେ ନୂଆ ନେତା, ବଦଳିବେ ସାଂସଦ ପ୍ରାର୍ଥୀ

0

ଆଗୁଆ ନିର୍ବାଚନ ନେଇ କେନ୍ଦ୍ରରେ ବିଜେପିରେ କସରତ ଆରମ୍ଭ

୨୦୨୩ ପ୍ରଥମାର୍ଦ୍ଧରେ ଲୋକସଭା ନିର୍ବାଚନ ପାଇଁ ଯୋଜନା ଚାଲିଛି

୨୦୨୨ ଡିସେମ୍ବର ପରେ ବିଜେପିର ଓଡ଼ିଶାରେ ବଦଳିବ ରଣନୀତି

ଗଣମାଧ୍ୟମ ଜଗତରେ ପଶିବ, ବିଜେଡି ଭିତରେ ଘଣ୍ଟାଚକଟା କରିବ

ବିଜେଡି ବି ପାଇସାରିଲେଣି ସୁରାକ୍, ଭିତରେ ଭିତରେ ପ୍ରସ୍ତୁତି ଚାଲିଛି

୧୮ରୁ ୨୦ ଲୋକସଭା ଆସନରେ ବଦଳିଯିବେ ପ୍ରାର୍ଥୀ, ମୁଣ୍ଡ ଖୋଜା ଆରମ୍ଭ

ପଞ୍ଚାୟତ ନିର୍ବାଚନ ପରେ ଓଡ଼ିଶା ରାଜନୀତିରେ ଚାଲିବ ବଡ଼ ଧରଣର ଖେଳ

ଭୁବନେଶ୍ବର: ବିଜୁ ଜନତା ଦଳ ରାଜନୀତି ପାଣିପାଗରେ ବଡ଼ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ଦଳରେ ଗୋଟିଏ ବଡ ଧରଣର ପିଢି ପରିବର୍ତ୍ତନ ସହିତ ଅନେକ ନୂଆ ନୂଆ ନେତା ସାମ୍ନାକୁ ଆସିବା ଲାଗି ସଜବାଜ ହେଲେଣି। ଏମିତି ଯେ ଆସନ୍ତା ନିର୍ବାଚନରେ ଏମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଟିକେଟ୍ ପାଇବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ। ଏହି ଦ୍ବିତୀୟ ଧାଡିର ନେତାଙ୍କୁ ମାଡିମକଚି ଦେଇଥିବା ବରିଷ୍ଠଙ୍କୁ ଆଡେଇ ବିଜେଡି ଅସଲ ନେତାମାନଙ୍କୁ ଖୋଜା ଆରମ୍ଭ କରିଦେଇଥିବା ପରିପ୍ରେକ୍ଷୀରେ ଏଭଳି ସଙ୍କେତ ମିଳୁଛି। ପୁରୀ ଠାରୁ କୋରାପୁଟ, ବାଲେଶ୍ବର ଠାରୁ ଗଞ୍ଜାମ ସବୁଠାରେ ଭିତରେ ଭିତରେ ଏ କସରତ ଆରମ୍ଭ ହୋଇଗଲାଣି। ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏସବୁ ନେତାମାନଙ୍କର କିଛି କିଛି କଥା ଦଳ ରଖିବ। ନିର୍ବାଚନ ଶେଷ ପରେ ଓଡ଼ିଶା ରାଜନୀତିରେ ବଡ଼ ଧରଣର ପଟ୍ଟ ପରିବର୍ତ୍ତନ ହେବ।

ଏହି କ୍ରମରେ ବିଜେଡି ସାଂସଦମାନଙ୍କ ଭୂମିକା ସଂପର୍କରେ ପ୍ରଥମେ ଆଲୋଚନା କରିବା ଉଚିତ୍ ହେବ। ସଂପ୍ରତି ଲୋକସଭାରେ ବିଜେଡିର ୧୨ଜଣ ସାଂସଦ ଅଛନ୍ତି। ରାଜ୍ୟସଭାରେ ୯। ଏହିଭଳି ୨୧ ସାଂସଦଙ୍କ ମଧ୍ୟରୁ ଅନେକଙ୍କ ରାଜନୀତି ୨୦୨୪ ମସିହାରେ ଶେଷ ହୋଇଯିବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ। ଅତି ବରିଷ୍ଠ କିଛି ନେତାଙ୍କୁ ଦଳ ଏମିତିରେ ହିଁ ଅବସର ସମୟ ହୋଇଥିବା ସଙ୍କେତ ଦେଇସାରିଲେଣି। ଆଉ ଦଳୀୟ ସଭାସମିତିରେ ସେମାନେ ଦିଶୁନାହାନ୍ତି କି ସକ୍ରିୟ ନାହାନ୍ତି। ଆଉ କିଛି ସାଂସଦଙ୍କୁ ସମୟର ଆବଶ୍ୟକତା କ୍ରମେ ରାଜ୍ୟସଭା ପଠାଯାଇଥିଲା। ହେଲେ ସେମାନଙ୍କର ପ୍ରଦର୍ଶନ ଏବେ ଚିନ୍ତାର ବିଷୟ ହୋଇଛି। ଏଣୁ ଏହି ନେତାମାନେ ରାଜ୍ୟସଭା ସମୟ ଅବଧି ଶେଷ ପରେ ବି ରାଜନୀତିରେ ସକ୍ରିୟ ହେବାର ସୁଯୋଗ ଯଥେଷ୍ଟ କମ୍ ବୋଲି ଦଳରେ ଖୋଲା ଆଲୋଚନା ଚାଲିଛି।

ଅନ୍ୟପକ୍ଷରେ ଲୋକସଭା ନିର୍ବାଚନ ଆଗୁଆ ହୋଇପାରେ। ଜାତୀୟ ରାଜନୀତିରେ ଏମିତି ଗୋଟିଏ ଅଙ୍କ ଉପରେ ତର୍ଜମା ଚାଲିଛି। ଉତ୍ତର ପ୍ରଦେଶ ନିର୍ବାଚନରେ ଯଦି ବିଜେପି ବଡ ଧରଣର ସଫଳତା ପାଇଲା, ତେବେ ଏହି ଲୋକପ୍ରିୟତାକୁ ଧରି ୨୦୨୩ ଆରମ୍ଭରୁ ସେମାନେ ନିର୍ବାଚନ କରିପାରନ୍ତି। ୨୦୨୨ ଶେଷ ପର୍ଯ୍ୟାୟରେ ଥିବା ରାଜ୍ୟ ନିର୍ବାଚନକୁ ଅଟକାଇ ଏକାଠି ଲୋକସଭା ସହିତ କରାଯିବ। ସେହିଭଳି ୨୦୨୩ ପ୍ରଥମାର୍ଦ୍ଧରେ ହେବାକୁ ଥିବା ରାଜ୍ୟର ବିଧାନସଭା ନିର୍ବାଚନକୁ ବି କେନ୍ଦ୍ର ସରକାର ଲୋକସଭା ନିର୍ବାଚନ ସହିତ କରାଇବାକୁ ଚିନ୍ତା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୨୨ ମସିହା କାର୍ଡ ଏବେ ଏଭଳି ଏକ ଆଲୋଚନାକୁ ବଳ ଦେଉଛି। ଏହାଦ୍ବାରା ୧୦ଟି ରାଜ୍ୟରେ ବିଜେପି ପ୍ରଭାବ ପକାଇବାରେ ସମର୍ଥ ହେବ। ବିଜେପିର ମନ୍ତ୍ରଣାଦାତାମାନେ ପରାମର୍ଶ ଦେଉଛନ୍ତି ଯେ ବିରୋଧୀଙ୍କୁ ଅଟକାଇବାକୁ ହେଲେ କିଛି ରାଜ୍ୟରେ ଜବରଦସ୍ତ ପ୍ରଦର୍ଶନ କରିବାକୁ ହେବ। ଏଣୁ ଏଭଳି ଫର୍ମୁଲା ଗ୍ରହଣ କରାଯାଉ।

ନୂଆଦିଲ୍ଲୀ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ବିଜେପି ନେତୃତ୍ବ ଚାହାନ୍ତି ନାହିଁ ଲୋକସଭା ସହିତ ଓଡ଼ିଶା ବିଧାନସଭାର ନିର୍ବାଚନ ହେଉ। ଏଣୁ ଏଥର ଯେନତେନ ପ୍ରକାରେ ସେମାନେ ପୃଥକ୍ ନିର୍ବାଚନ କରାଇବେ। ଏମିତି ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଭାବ ଓଡ଼ିଶା ଉପରେ ରହିବ ଓ ବିଜେପି ଅଧିକରୁ ଅଧିକ ଲୋକସଭା ଆସନ ଜିତିପାରିବ। ଉଭୟ ବିଜେଡି-ବିଜେପି ଭୋଟ ମଧ୍ୟରେ ବ୍ୟବଧାନ ଆଉ ବେଶୀ ନାହିଁ। ପାଖାପାଖି ୧୦ଲକ୍ଷ। କଂଗ୍ରେସ ମଇଦାନରୁ ବାହାରିଯାଇଥିବା ପରିପ୍ରେକ୍ଷୀରେ ଓଡ଼ିଶାରୁ ଅଧିକ ୧୦ଟି ଲୋକସଭା ଆସନ ଦଳ ଖାତାକୁ ଆସିବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ ବୋଲି ରଣନୀତିକାରମାନେ ବିଜେପି ଶୀର୍ଷ ନେତୃତ୍ବକୁ ବୁଝାଇଛନ୍ତି।

ଏହାର ଗୋଟିଏ ବଡ ପ୍ରଭାବ ୨୦୨୨ ଆରମ୍ଭରେ ଦେଖିବାକୁ ମିଳିବ। ବିଜେପି କେନ୍ଦ୍ର ନେତୃତ୍ବ ଓଡ଼ିଶା ଗଣମାଧ୍ୟମରେ ପ୍ରବେଶ କରିବା ଲାଗି ସଙ୍କେତ ଦେଇସାରିଲେଣି। ସେହିଭଳି ବିଜେଡି ଅସନ୍ତୁଷ୍ଟ ନେତାମାନଙ୍କ ସହିତ ଯୋଗାଯୋଗ ଆରମ୍ଭ କରିଛନ୍ତି। ଆସନ୍ତାବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେମାନଙ୍କୁ ସଙ୍କେତ ଦିଆଯାଉଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ଆସନ୍ତାବର୍ଷ ମଧ୍ୟଭାଗରୁ ଅର୍ଥାତ୍ ଜୁଲାଇ ପରେ ଓଡ଼ିଶାରେ ବିଜେପି ଆକ୍ରମଣାତ୍ମକ ଅଭିଯାନ ଆରମ୍ଭ କରିବ ଓ ବିଜେଡି ଭାଙ୍ଗିବାକୁ ବଡ ଧରଣର ଯୋଜନା କରିପାରନ୍ତି।

ଏପଟେ ବିଜୁ ଜନତା ଦଳ ମଧ୍ୟ ଏ ସଂପର୍କରେ ଆଭାସ ପାଇଛି। ବିଜେଡି ରଣନୀତିକାରମାନେ ଅନୁରୂପ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ହାତଗଣତି ଦୁଇ ଚାରିଟି ଆସନକୁ ଛାଡିଦେଲେ ବାକି ଆସନରେ ଆସନ୍ତା ଲୋକସଭା ନିର୍ବାଚନରେ ପ୍ରାର୍ଥୀ ପରିବର୍ତ୍ତନ କରିବା ସମ୍ଭାବନା ଜଳ ଜଳ। ଏବେଠାରୁ ବିଜେଡି ଶିବିରରେ ମୁଣ୍ଡ ଖୋଜା ଆରମ୍ଭ ହୋଇଛି। କେଉଁ ଅଞ୍ଚଳ ପାଇଁ କିଏ ଅଧିକ ପ୍ରଭାବୀ ହେବେ, ସେ ନେଇ କସରତ ଚାଲିଛି।

ଗୋଟିଏ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ପୁରୀରେ ପିନାକୀଙ୍କୁ ନେଇ ଦଳ ଆଉ ଆଗକୁ ଯିବ ନାହିଁ। ପିନାକୀ ମଧ୍ୟ କିଛି ସ୍ଥାନରେ ନିଜେ ଏ ସଙ୍କେତ ଦେଲେଣି ଓ ତାଙ୍କର ନଜର ରାଜ୍ୟସଭା ଉପରେ ରହିଛି। ରାଜ୍ୟ ସରକାରଙ୍କର ଜଣେ ଟାଣୁଆ ମନ୍ତ୍ରୀ ଅରୁଣ ସାହୁଙ୍କୁ ପୁରୀରୁ ସଂସଦକୁ ପଠାଯିବା ସମ୍ଭାବନା ଏଡାଇ ଦେଇ ହେବନାହିଁ। ଯଦି ଅରୁଣ ଅରାଜି ହୁଅନ୍ତି, ତେବେ ସେ ଅଞ୍ଚଳରେ ଅତ୍ୟନ୍ତ ଲୋକପ୍ରିୟ ଥିବା ଜଣେ ପ୍ରଶାସକଙ୍କୁ (ସେବେ ଅବସର ନେଇସାରିଥିବେ) ପ୍ରାର୍ଥୀ କରାଯିବାର ସମ୍ଭାବନା ଅଧିକ।

ଭୁବନେଶ୍ବରରେ ମଧ୍ୟ ବିଜେଡି ପ୍ରାର୍ଥୀ ବଦଳାଇବ। ଏଠାରେ ଅତି ଲୋକପ୍ରିୟ ଓ ପ୍ରଭାବୀ ନେତା ସାମ୍ନାକୁ ଆସିବେ। ଚାରି ପାଞ୍ଚ ଜଣଙ୍କ ନାମ ଉପରେ ଏଠାରେ କସରତ ଚାଲିଛି। କଟକରେ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ବିଜେଡି ମୁଖ୍ୟ ସ୍ରୋତରୁ ଦୂରେଇ ଦିଆଯିବା ସମ୍ଭାବନା କ୍ଷୀଣ। ଯଦିଓ ସ୍ଥାନୀୟ ନେତାମାନେ ତାଙ୍କୁ ବିରୋଧ କରୁଛନ୍ତି, ଜାତୀୟ ରାଜନୀତି ସମୀକରଣ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମହତାବଙ୍କ ଆବଶ୍ୟକତାକୁ ବୁଝିଛନ୍ତି। ଏଣୁ ଦଳ ଭିତରୁ ମହତାବଙ୍କୁ ନେଇ ଆସୁଥିବା ଚାପକୁ ନବୀନ ଗ୍ରହଣ ନ କରି ତାଙ୍କ ଉପରେ ଆସ୍ଥା ରଖିଛନ୍ତି। ଏପରିକି ନିକଟରେ ତାଙ୍କୁ ବି ସଂସଦରେ ଶ୍ରମ ବିଭାଗର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଦାୟିତ୍ବ ପୁଣି ଥରେ ଦିଆଗଲା ଓ ନିଜେ ନବୀନ ଏହି ଗୋଟି ଚାଳନା କଲେ। ଅତଏବ ଭର୍ତ୍ତୃହରିଙ୍କ ସ୍ଥାନ ଅପରିବର୍ତ୍ତିତ ରହିବା ସମ୍ଭାବନା ଅଧିକ। ସେଠାରେ ବିଜେପି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଲଢାଇବାକୁ ଯୋଜନା କରୁଥିବା ପରିପ୍ରେକ୍ଷୀରେ ଶ୍ରୀ ମହତାବଙ୍କୁ ନେଇ ଦଳ ବିଶେଷ ରିସ୍କ ନେବନାହିଁ ବୋଲି ଗୋଟିଏ ସୂତ୍ର କହୁଛି।

ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର ଠାରୁ ଆରମ୍ଭ କରି କୋରାପୁଟ ଯାଏ ପାଖାପାଖି ୧୨ ଲୋକସଭା ଆସନରେ ନୂଆ ନେତାଙ୍କୁ ଆଗକୁ ଦେଖିବାକୁ ମିଳିପାରେ। ସେହିପରି ସୁନ୍ଦରଗଡ, ମୟୂରଭଂଜ, କନ୍ଧମାଳ, ଗଞ୍ଜାମରେ ମଧ୍ୟ ସାଂସଦ ପ୍ରାର୍ଥୀ ବଦଳିବା ସମ୍ଭାବନା ଅଧିକ। ଏସବୁ ସ୍ଥାନେରେ ମଧ୍ୟ ତିନି ଜଣ ଅତି ବରିଷ୍ଠ ପ୍ରଶାସକ ରାଜନୀତିରେ ଆବିର୍ଭାବ ହେବେ ଓ ସଂସଦ ପାଇଁ ନିଜ ଲୋକପ୍ରିୟତାର ପ୍ରମାଣ ଦେଇପାରନ୍ତି। ଖୁବ୍ ଶୀଘ୍ର ଏ ସଂକ୍ରାନ୍ତ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଜଣେ ନେତା ନିଜ ନାମ ଗୋପନ ସର୍ତ୍ତରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.