ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

କୁମ୍ଭରାଶିକୁ ବୃହସ୍ପତି ଚଳନ; କାହା ପାଇଁ କେତେ ଲାଭ, କେତେ କ୍ଷତି

0

ଭୁବନେଶ୍ବର: ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ ଦେବଗୁରୁ ବୃହସ୍ପତି ତା୨୦-୧୧-୨୦୨୧ ଶନିବାର ରାତ୍ରି ଘ୧୧:୩୦:୨୮ରେ ମକରରାଶିରୁ ଧନିଷ୍ଠା ନକ୍ଷତ୍ର କୁମ୍ଭରାଶିକୁ ଗମନ କରିଛନ୍ତି। ବୃହସ୍ପତି ଗୋଟିଏ ରାଶିରେ ହାରାହାରି ୧୩ ମାସ ଅବସ୍ଥାନ କରିଥାନ୍ତି। ସ୍ବାଭାବିକ, ବକ୍ର ଓ ଅତିଚାର ଆଦି ଗତି ଦୃଷ୍ଟିରୁ ଏଥିରେ କିଛିଟା ତାରତମ୍ୟ ଦେଖାଦେଇପାରେ। ଏହାପୂର୍ବରୁ ବୃହସ୍ପତି ୨୦୨୧ ସେପ୍ଟେମ୍ବର ୧୪ ତାରିଖ ଦିବା ଘ୦୨:୨୧ରେ କୁମ୍ଭରାଶି ତ୍ୟାଗ କରି ବକ୍ରଗତିରେ ମକରରାଶିକୁ ଯାଇଥିଲେ। ଏବେ କୁମ୍ଭରାଶିରେ ସମ୍ପୂର୍ଣ୍ଣ ଅବଧି ପୂରଣ କରି ତା୧୩-୦୪-୨୦୨୨ ଦିବା ୦୩:୪୯ରେ ମୀନରାଶିକୁ ଚଳିବେ। ବର୍ତ୍ତମାନ କୁମ୍ଭ ରାଶିରେ ଥିବାବେଳେ ଦେବଗୁରୁ ବୃହସ୍ପତି କେଉଁ ରାଶିକୁ କି ଫଳ ଦେବେ ସେ ବିଷୟରେ ସଂକ୍ଷେପରେ ଆଲୋଚନା କରିବା। ତେବେ ବ୍ୟକ୍ତିଗତ ଦଶାଫଳ ମୁଖ୍ୟ ଓ ଗୋଚରଫଳ ଗୌଣ। ଦଶାଫଳ ଓ ଅନ୍ୟ ଗ୍ରହର ବେଧ ମଧ୍ୟ ଗୋଚର ଫଳକୁ ପ୍ରଭାବିତ କରିପାରେ।

ଦୋଳଗୋବିନ୍ଦ ପଣ୍ଡା

ଗୋଚରଫଳ ବିଚାରରେ ବ୍ୟକ୍ତିଗତ ଅଷ୍ଟକବର୍ଗ, ଦଶାଫଳ ଏବଂ ଗ୍ରହବେଧ ବିଚାର କରିବା ଆବଶ୍ୟକ। ତା’ଛଡ଼ା ଜନ୍ମରାଶି ସହ ଜନ୍ମଲଗ୍ନରୁ ମଧ୍ୟ ବିଚାର କରାଯାଇଥାଏ। ମନେକର ଜଣକର କୁମ୍ଭରାଶି ଓ ବୃଷଲଗ୍ନ। ବର୍ତ୍ତମାନ ବୃହସ୍ପତି କୁମ୍ଭକୁ ଚଳିଲା ପରେ ଏ ପ୍ରକାର ବୃହସ୍ପତିଙ୍କୁ କୁହାଯିବ କୁମ୍ଭରାଶିବାଲାଙ୍କର ଜନ୍ମବୃହସ୍ପତି। ଶାସ୍ତ୍ରରେ ଅଛି- ‘ଜନ୍ମରାଶୌ ସୁରାଚାର୍ଯ୍ୟେ ରାମୋ ରାଜା ବନଂ ଗତଃ’- ଅର୍ଥାତ୍ ଜନ୍ମରାଶିରେ ବୃହସ୍ପତି ଥିବାବେଳେ ରାଜା ରାମଙ୍କୁ ରାଜ୍ୟ ହରାଇ ବନବାସ ଦୁଃଖ ଭୋଗ କରିବାକୁ ପଡ଼ିଥିଲା। ତେଣୁ ଜନ୍ମବୃହସ୍ପତି ଅର୍ଥ, ସମ୍ପଦ, ରାଜ୍ୟ ଓ ପଦପଦବୀ ନାଶ କରିଥାନ୍ତି। କିନ୍ତୁ ଉପରୋକ୍ତ ବ୍ୟକ୍ତିଙ୍କର ତାହା ହେବ ନାହିଁ। କାରଣ ବୃହସ୍ପତି ତାଙ୍କର ଜନ୍ମଲଗ୍ନ ବୃଷରୁ ଦଶମ ଭାବରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କର ଶୁଭଦୃଷ୍ଟି ଦ୍ୱିତୀୟ (ଧନ ଭାବ), ଚତୁର୍ଥ (ସୁଖ, ଜମିବାଡ଼ି, ଗାଡ଼ି) ଓ ଷଷ୍ଠ (ଚାକିରି, ରୋଗ, ଶତ୍ରୁ, ଋଣ) ଭାବକୁ ରହିଥିବାରୁ ସେହିସବୁ ଭାବର ଶୁଭଫଳ ମିଳିବ। ତାଙ୍କର ଚାକିରି ଓ କର୍ମ କ୍ଷେତ୍ରରେ ଉନ୍ନତି ହେବ। ପଦୋନ୍ନତି ମିଳିବାର ସମୟ ସନ୍ନିକଟ ହୋଇଥିଲେ ତାହା ମିଳିବ। ରୋଗ, ଋଣ ଓ ଶତ୍ରୁ ନାଶ ହେବ। ଧନ, ସୁଖ, ଗାଡ଼ି, ଜମି ଇତ୍ୟାଦି ଲାଭ ହେବ। ଗୃହନିର୍ମାଣାଦି ବଡ଼କାର୍ଯ୍ୟ ପାଇଁ ଋଣସୂତ୍ରରେ ଅର୍ଥଲାଭର ମଧ୍ୟ ସମ୍ଭାବନା ଅଛି। ଜନ୍ମରାଶିଠାରୁ ଜନ୍ମଲଗ୍ନ ଅଧିକ ବଳବାନ ହୋଇଥିଲେ ଏହି ଫଳ ମିଳିବା ନିଶ୍ଚିତ। ବିଶିଷ୍ଟ ଜ୍ୟୋତିର୍ବିଦ୍ କୃଷ୍ଣମୂର୍ତ୍ତି ତ କେବଳ ଲଗ୍ନରୁ ହିଁ ବିଚାର କରିବାକୁ ପରାମର୍ଶ ଦେଇଛନ୍ତି।

ତା’ଛଡ଼ା ଜ୍ୟୋତିଷଶାସ୍ତ୍ରରେ ଆଉ ଏକ ପାଠ ଅଛି, ଯାହାର ନାମ ଅଷ୍ଟକବର୍ଗ ବିଚାର। ଲଗ୍ନ ଓ ଗ୍ରହଗୁଡ଼ିକର ପାରସ୍ପରିକ ସ୍ଥିତିକୁ ନେଇ ତାହା ବିଚାର କରାଯାଇଥାଏ। ବ୍ୟକ୍ତିଗତ ଜାତକରେ ବୃହସ୍ପତିଙ୍କ ଅଷ୍ଟକବର୍ଗରେ ଯଦି ସେ କୁମ୍ଭରାଶିରେ ଚାରୋଟିରୁ ଅଧିକ ଅର୍ଥାତ୍ ପାଞ୍ଚୋଟି, ଛଅଟି ବା ସାତୋଟି ଶୁଭବିନ୍ଦୁ ପାଇଥାନ୍ତି ତେବେ ଜନ୍ମବୃହସ୍ପତି ହେଲେ ବି ସେ ଶୁଭଫଳ ଦେବେ। ପୁଣି ଶୁଭସ୍ଥାନସ୍ଥ ଗ୍ରହ ବି ଶୁଭଫଳ ଦେଇପାରନ୍ତି ନାହିଁ ଯଦି ସେ ନୀଚସ୍ଥ, ଅସ୍ତଂଗତ ବା ଅନ୍ୟ ପ୍ରକାରେ ଦୁର୍ବଳ ହୋଇଥାନ୍ତି କିମ୍ବା ତାଙ୍କର ବେଧସ୍ଥାନରେ ଅନ୍ୟ ଗ୍ରହ ଅବସ୍ଥାନ କରିଥାନ୍ତି। ଅଶୁଭ ବୃହସ୍ପତିଙ୍କ ବେଧ ସ୍ଥାନରେ ଅନ୍ୟ ଗ୍ରହ ଥିଲେ ସେ ଅଶୁଭ ଫଳ ନ ଦେଇ ସାଧାରଣ ଫଳ ଦେଇଥାନ୍ତି। ବଳାବଳ, ଗ୍ରହବେଧ ଏବଂ ଅନ୍ୟ ଗ୍ରହମାନଙ୍କ ସହ ପାରସ୍ପରିକ ସମ୍ପର୍କ ବିଚାର ବିନା ଗୋଚର ବିଚାର ପୂର୍ଣ୍ଣାଙ୍ଗ ହୋଇ ନ ଥାଏ।

ଶାସ୍ତ୍ରରେ ଅଛି- ‘‘ଜୀବେ ଦ୍ୱିତୀୟେ ଧନଧାନ୍ୟଭୋଗୀ, ସୁତାର୍ଥଲାଭୋ ନବପଞ୍ଚକେଷୁ। ଯାମିତ୍ରସଂସ୍ଥେ ବିପୁଳା ଚ ଲକ୍ଷ୍ମୀଶ୍ଚୈକାଦଶେ ସର୍ବଫଳଂ ଦଦାତି।।’’ ଅର୍ଥାତ୍ ବୃହସ୍ପତି ଜନ୍ମରାଶିରୁ ଦ୍ୱିତୀୟରେ ଥିଲେ ଧନଧାନ୍ୟଭୋଗୀ କରାନ୍ତି, ନବମ ବା ପଞ୍ଚମରେ ଥିଲେ ସୁତ ଓ ଅର୍ଥଲାଭ କରାନ୍ତି, ସପ୍ତମରେ ଥିଲେ ବିପୁଳ ଲକ୍ଷ୍ମୀ (ଧନ ଓ ଐଶ୍ୱର୍ଯ୍ୟ)ର ଅଧିକାରୀ କରାନ୍ତି ଏବଂ ଏକାଦଶରେ ଥିଲେ ଉପରୋକ୍ତ ସବୁ ପ୍ରକାର ସୁଫଳ ଜାତକ ପାଇଥାଏ। ଅର୍ଥାତ୍ ବୃହସ୍ପତି ମେଷ, ମିଥୁନ, ସିଂହ, ତୁଳା ଓ ମକର ରାଶିର ଗୋଚରରେ ଶୁଭଫଳ ପ୍ରଦାନ କରିବେ। ଏତଦ୍ଭିନ୍ନ ରାଶିମାନଙ୍କର ଅଶୁଭଫଳ ପ୍ରଦାନ କରିବେ। ଶାସ୍ତ୍ରରେ ଅଶୁଭସ୍ଥାନସ୍ଥ ବୃହସ୍ପତିଙ୍କ ଫଳ ବିଷୟରେ ଲେଖାଅଛି- ‘‘ଜନ୍ମରାଶୗ ସୁରାଚାର୍ଯ୍ୟେ ରାମୋ ରାଜା ବନଂ ଗତଃ, ତୃତୀୟେ ଚ ବଳିର୍ବଦ୍ଧୋ ଚତୁର୍ଥେ ବିଂଶଲୋଚନଃ। ଦ୍ୱାଦଶେ ସଗରୋ ରାଜା ଦଶମେ ମଧୁକୈଟଭୌ, ଅଷ୍ଟମେ କୁରୁରାଜା ଚ ଷଷ୍ଠେ କର୍ଣ୍ଣୋ ନିପାତିତଃ।।’’ ମୋଟ ଉପରେ ବୃହସ୍ପତି ଜନ୍ମରାଶିରେ ରହିଲେ ଭୟ, ଦ୍ୱିତୀୟରେ ରହିଲେ ଧନଧାନ୍ୟ ଲାଭ, ତୃତୀୟରେ ଶରୀରପୀଡା, ଚତୁର୍ଥରେ ଧନହାନି, ଅପ୍ରିୟତା, ପଞ୍ଚମରେ ସନ୍ତାନସୁଖ ଓ ଧନସମ୍ପଦ ଲାଭ, ଷଷ୍ଠରେ ରୋଗ ଓ ଶତ୍ରୁବୃଦ୍ଧି, ସପ୍ତମରେ ଲକ୍ଷ୍ମୀପ୍ରାପ୍ତି, ସମ୍ମାନଲାଭ, ଅଷ୍ଟମରେ ସ୍ବାସ୍ଥ୍ୟ ଓ ସମ୍ପଦ ନାଶ, ନବମରେ ଧନଲାଭ, ଦଶମରେ ପ୍ରଣୟଭଙ୍ଗ, ପ୍ରୀତିନାଶ, ଏକାଦଶରେ ଧନ ଓ ସମ୍ମାନ ପ୍ରାପ୍ତି ଏବଂ ଦ୍ୱାଦଶରେ ବ୍ୟୟ ବୃଦ୍ଧି ଓ ଶରୀର କ୍ଳେଶ ପରି ଫଳ ପ୍ରଦାନ କରିଥାନ୍ତି।

ବୃହସ୍ପତି ବା ଅନ୍ୟ ଯେକୌଣସି ଗ୍ରହ କେଉଁ ରାଶିର କେଉଁ ନକ୍ଷତ୍ରକୁ ଚଳୁଛନ୍ତି ଏବଂ କର୍ତ୍ତାଙ୍କ ଜନ୍ମରାଶି ଓ ଜନ୍ମନକ୍ଷତ୍ର କ’ଣ ତାହା ଉପରେ ମଧ୍ୟ ସେ କେତେ ପରିମାଣରେ ଶୁଭ ବା ଅଶୁଭ ଫଳ ଦେବେ ତାହା ନିର୍ଭର କରେ। ଏହା ଜାଣିବା ପାଇଁ ଏକ ସୂତ୍ର ଅଛି। ଗ୍ରହର ଚଳନ ନକ୍ଷତ୍ର ସଂଖ୍ୟା (ବର୍ତ୍ତମାନ ବୃହସ୍ପତିଙ୍କ ଚଳନ ନକ୍ଷତ୍ର ସଂଖ୍ୟା ୨୩), କର୍ତ୍ତାଙ୍କ ଜନ୍ମନକ୍ଷତ୍ର ସଂଖ୍ୟା ଓ ଜନ୍ମରାଶି ସଂଖ୍ୟାକୁ ମିଶାଇ ମିଶାଣଫଳକୁ ୮ ଦ୍ୱାରା ଭାଗ କରନ୍ତୁ। ଭାଗଶେଷ ୧ ରହିଲେ ପ୍ରୀତିଲାଭ, ୨ ରହିଲେ ତୀର୍ଥଦର୍ଶନ, ୩ ରହିଲେ ଲକ୍ଷ୍ମୀପ୍ରାପ୍ତି, ୪ ରହିଲେ ଦ୍ରବ୍ୟହାନି, ୫ ରହିଲେ ଦୁଃଖଲାଭ, ୬ ରହିଲେ ଭୂମି ଓ ଅର୍ଥଲାଭ, ୭ ରହିଲେ କଳହ ଓ ସମ୍ମାନହାନି ଏବଂ ଶୂନ ରହିଲେ ଶସ୍ତ୍ରାଘାତ।

ଗ୍ରହ ଚଳନ ସମୟରେ ଚନ୍ଦ୍ର କେଉଁ ରାଶିରେ ଅଛି ତାହା ମଧ୍ୟ ବିଚାର୍ଯ୍ୟ। ଯଦି ବୃହସ୍ପତି ଚଳନ ସମୟରେ କର୍ତ୍ତାଙ୍କ ଜନ୍ମରାଶିକୁ ଚନ୍ଦ୍ର ଶୁଭ ଥିବେ ତେବେ ବୃହସ୍ପତି ଶୁଭ ହୋଇଥିଲେ ପୂର୍ଣ୍ଣ ଶୁଭ ଏବଂ ଅଶୁଭ ହୋଇଥିଲେ ଅଧା ଅଶୁଭ ଫଳ ଦେବେ। ଚନ୍ଦ୍ର ଅଶୁଭ ହୋଇଥିଲେ ଶୁଭ ବୃହସ୍ପତି ଅଧା ଶୁଭ ଏବଂ ଅଶୁଭ ବୃହସ୍ପତି ପୂର୍ଣ୍ଣ ଅଶୁଭ ଫଳ ଦେବେ। ଉପରେ ବୃହସ୍ପତିଙ୍କ କୁମ୍ଭକୁ ଚଳନ ସମୟ ଯାହା ଲେଖା ଅଛି ସେହି ସମୟରେ ଚନ୍ଦ୍ର ବୃଷରାଶିରେ ଥିବେ। ..
ସୁତରାଂ ମିଥୁନ ଓ ସିଂହ ରାଶିର ଗୋଚରରେ ଶୁଭ ଏବଂ ଚନ୍ଦ୍ର ଶୁଭ ହେତୁ ଅତିଶୁଭ ଫଳ ପ୍ରଦାନ କରିବେ। ମେଷ, ତୁଳା ଓ ମକର ରାଶିର ଗୋଚରରେ ଶୁଭ ଓ ଚନ୍ଦ୍ର ଅଶୁଭ ହେତୁ ମଧ୍ୟମ ଶୁଭଫଳ ପ୍ରଦାନ କରିବେ। ବୃଷ, କର୍କଟ, ବିଛା, ଧନୁ, କୁମ୍ଭ ଓ ମୀନ ରାଶିର ଗୋଚରରେ ଅଶୁଭ ମାତ୍ର ଚନ୍ଦ୍ର ଶୁଭ ହେତୁ ସମଫଳ ପ୍ରଦାନ କରିବେ। କନ୍ୟା ରାଶିର ଗୋଚରରେ ଅଶୁଭ ଏବଂ ଚନ୍ଦ୍ର ଅଶୁଭ କାରଣରୁ ଅତି ଅଶୁଭଫଳ ପ୍ରଦାନ କରିବେ।

୨, ୫, ୭, ୯, ୧୧ ବୃହସ୍ପତିଙ୍କର ଶୁଭସ୍ଥାନ ହୋଇଥିବା ବେଳେ ତାଙ୍କର ବେଧସ୍ଥାନଗୁଡ଼ିକ ହେଉଛି ଯଥାକ୍ରମେ ୧୨, ୪, ୩, ୧୦, ୮। ଏଠାରେ ମକର ରାଶିକୁ ୨ୟ ବୃହସ୍ପତି ଶୁଭ। କିନ୍ତୁ ୧୨ଶରେ ଶୁକ୍ର ବେଧ ସ୍ଥାନରେ ଅଛନ୍ତି। ତୁଳାରାଶିକୁ ୫ମ ବୃହସ୍ପତି ଶୁଭ କିନ୍ତୁ ୪ର୍ଥ ବେଧସ୍ଥାନରେ ଶନି ଥିବାରୁ ଶୁଭସ୍ଥାନସ୍ଥ ବୃହସ୍ପତି ମଧ୍ୟ ତୁଳାରାଶିକୁ ଶୁଭଫଳ ଦେଇପାରିବେ ନାହିଁ। ସିଂହରାଶିକୁ ୭ମ ବୃହସ୍ପତି ଶୁଭ, କିନ୍ତୁ ୩ୟ ବେଧସ୍ଥାନରେ ମଙ୍ଗଳ ଓ ବୁଧ ଅଛନ୍ତି। ସେହିପରି ମେଷରାଶିକୁ ୧୧ଶ ବୃହସ୍ପତି ଶୁଭ ହୋଇଥିଲେ ମଧ୍ୟ ୮ମ ବେଧ ସ୍ଥାନରେ ରବି ଓ କେତୁ ଥିବାରୁ ଏଠାରେ ବାଞ୍ଛିତ ଶୁଭଫଳ ମିଳିବ ନାହିଁ।

ଅଶୁଭ ବୃହସ୍ପତିଙ୍କ ପ୍ରତିକାର ପାଇଁ ଗୁଡ, ହଳଦୀଖଣ୍ଡ, ହଳଦିଆ ଧାନ, ହଳଦିଆ ବସ୍ତ୍ର, ପଦ୍ମରାଗ ମଣି, ଲୁଣ ଆଦି ଗ୍ରହବିପ୍ରଙ୍କୁ ଦକ୍ଷିଣା ସହ ଦାନ କରାଯାଏ। ଏତଦ୍‌ବ୍ୟତୀତ ବ୍ରହ୍ମଯଷ୍ଟି ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିଜ ନାମ, ଗୋତ୍ରରେ ଅଭିମନ୍ତ୍ରିତ କରାଇ ୧୦୮ ଆହୁତି ପ୍ରଦାନପୂର୍ବକ ହୋମ କରାଇ ସ୍ତ୍ରୀଲୋକମାନେ ବାମ ଏବଂ ପୁରୁଷଲୋକମାନେ ଦକ୍ଷିଣବାହୁରେ ଧାରଣ କଲେ ଅଶୁଭଫଳ ହ୍ରାସ ପାଇଥାଏ। ଜପ ମନ୍ତ୍ର: ‘ଓଁ ବୃଂ ବୃହସ୍ପତୟେ ନମଃ।’

ଶେଷରେ ଏତିକି କହିବା କଥା ଯେ, ମଣିଷ ତା’ର କର୍ମ ଅନୁସାରେ ଫଳ ପାଇଥାଏ। ଗ୍ରହମାନେ କେବଳ ଅନୁପ୍ରେରିତ କରନ୍ତି। ଯେଉଁମାନେ ସତ୍‌ନିଷ୍ଠ, ଆଦର୍ଶନିଷ୍ଠ, ଗୁରୁନିଷ୍ଠ ସେମାନେ ଖରାପ ଅନୁପ୍ରେରଣାର ବଶୀଭୂତ ହୁଅନ୍ତି ନାହିଁ। ସେମାନେ ପରିବେଶରୁ ଖରାପ କିଛି ଗ୍ରହଣ କରନ୍ତି ନାହିଁ। ତେଣୁ ସେମାନେ ଗ୍ରହଦୋଷ (ଗ୍ରହଣ କରିବାର ଦୋଷ)ରେ ପୀଡ଼ିତ ହୁଅନ୍ତି ନାହିଁ। ଆଦର୍ଶନିଷ୍ଠ ହୁଅନ୍ତୁ, ସତ୍‌କର୍ମ କରନ୍ତୁ, ସବୁ ପ୍ରକାର ଖରାପଠାରୁ ଦୂରରେ ରହନ୍ତୁ, ଗ୍ରହଦୋଷର କୁପ୍ରଭାବ ଦ୍ୱାରା କ୍ଷତିଗ୍ରସ୍ତ ହେବେ ନାହିଁ।

ଦୋଳଗୋବିନ୍ଦ ପଣ୍ଡା, ନିଗମ ବିହାର, ଶ୍ରୀରାମ ନଗର ୩ୟ ଗଳି, ଭୁବନେଶ୍ୱର, ମୋ-୭୦୦୮୯୬୦୫୦୨, ଇମେଲ୍: [email protected]

Leave A Reply

Your email address will not be published.