ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ପୁଣି ଖେଳ ଆରମ୍ଭ କଲେ ମମତା

0

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ସହିତ ଜାତୀୟ ରାଜନୀତି ଧୀରେ ଧୀରେ ଉଷ୍ଣ ହେବା ଆରମ୍ଭ କଲାଣି। ଏହି ଆଲୋଚନାକୁ ଅଧିକ ଖୋରାକ ଯୋଗାଇଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନୂଆଦିଲ୍ଲୀ ଗସ୍ତ। ମମତା ନଭେମ୍ବର ୨୨ ଅର୍ଥାତ୍ ଆସନ୍ତାକାଲି ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଏହି ଅଧିବେଶନ ସରଗରମ ହେବ ବୋଲି ଆକଳନ କରାଯାଉଥିବା ପରିପ୍ରେକ୍ଷୀରେ ମମତାଙ୍କ ଏହି ଗସ୍ତକୁ ରାଜନୈତିକ ମହଲ ଗୁରୁତ୍ବ ଦେଉଛନ୍ତି। ବିଜେପିକୁ ହଲାପଟା କରିବା ଲାଗି ମମତା ବିରୋଧୀ ରାଜନୈତିକ ଦଳମାନଙ୍କ ସହିତ ମନ୍ତ୍ରଣା କରିପାରନ୍ତି।

ଇତିମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ପାରିତ ହୋଇଥିବା ତିନିଟି ଚାଷୀ ଆଇନକୁ ରଦ୍ଦ କରାଯିବ ବୋଲି ଘୋଷଣା କରିସାରିଛନ୍ତି। ଏଣୁ ଏହି ଅଧିବେଶନରେ ଆନୁଷ୍ଠାନିକ ଭାବେ ଏ ସଂକ୍ରାନ୍ତରେ ଏକ ବିଲ୍ କେନ୍ଦ୍ର ସରକାର ଆଗତ କରିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ପରେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ସମେତ ଅନ୍ୟ ପ୍ରତିପକ୍ଷ ରାଜନୈତିକ ଦଳ ସେମାନଙ୍କର ବିଜୟ ହୋଇଥିବା ବିଚାର କରିଛନ୍ତି ଓ ଉତ୍ସାହିତ ଅଛନ୍ତି। ଏଣୁ ଏହି ଅଧିବେଶନରେ ସେମାନେ ସରକାରଙ୍କ ଉପରେ ଭରପୂର ଚାପ ପାଇଁ ପ୍ରୟାସ କରିବା ସମ୍ଭାବନା ଅଧିକ।

ଏହାର ଅବ୍ୟବହିତ ପୂର୍ବରୁ ଶ୍ରୀମତୀ ବାନାର୍ଜୀ ଟୁଇଟ୍ କରି ପ୍ରତ୍ୟେକ ଚାଷୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ସହିତ ମୃତ୍ୟୁବରଣ କରିଥିବା ଚାଷୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। କେବଳ ସେତିକି ନୁହେଁ, ବିଜେପିର କ୍ରୁରତା ପାଇଁ ନିନ୍ଦା ବି କରିବାକୁ ଭୁଲିନାହାନ୍ତି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମମତା ଏହି ନୂଆଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିପାରନ୍ତି ବୋଲି କୁହାଯାଉଛି। ଗତ ମାସରେ ଶ୍ରୀମତୀ ବାନାର୍ଜୀ ମୋଦୀଙ୍କୁ ଚିଠି ଲେଖିଥିଲେ ଏବଂ ଦେଶର ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ରର ହସ୍ତକ୍ଷେପ ନେଇ ପ୍ରଶ୍ନ ଉଠାଇଥିଲେ। ବିଶେଷକରି ପଶ୍ଚିମବଙ୍ଗ, ପଞ୍ଜାବ ଏବଂ ଆସାମର ଅନ୍ତର୍ଜାତୀୟ ସୀମାଠାରୁ ବିଏସ୍ଏଫ୍ ଅଧିକାରକୁ ୫୦ କିଲୋମିଟରକୁ ବୃଦ୍ଧି କରାଯିବା ପ୍ରସଙ୍ଗରେ ମମତାଙ୍କର ଏହି ଅସନ୍ତୋଷ ଥିଲା।

ମମତା ଗତ ଜୁଲାଇ ମାସରେ ବି ନୂଆଦିଲ୍ଲୀ ଯାଇଥିଲେ। ଏପ୍ରିଲ-ମେ’ ମାସରେ ତାଙ୍କ ସରକାର ପଶ୍ଚିମବଙ୍ଗରେ ପୁଣି କ୍ଷମତାକୁ ଆସିବା ପରେ ଏହା ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ ଥିଲା। ସେବେ ସେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିଥିଲେ ଏବଂ ୨୦୨୪ ପାଇଁ ରଣନୀତି ଆଲୋଚନା ସମୟରେ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ସେବେ ମମତା କହିଥିଲେ. “ଆମେ ବିରୋଧୀ ଦଳର ଏକତା ବିଷୟରେ ଆଲୋଚନା କରିଥିଲୁ। ଏହା ଏକ ବହୁତ ଭଲ ସଭା, ସକରାତ୍ମକ ବୈଠକ ଥିଲା। ବିଜେପିକୁ ପରାସ୍ତ କରିବାକୁ ସମସ୍ତେ ଏକାଠି ହେବା ଆବଶ୍ୟକ। ସମସ୍ତଙ୍କୁ ଏକାଠି କାମ କରିବାକୁ ପଡିବ” ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ଏବେ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗ ବାହାରେ ନିଜର ଶକ୍ତି ପରୀକ୍ଷା କରୁଛି। ଏଣୁ ଗୋଟିଏ ଗୋଷ୍ଠୀ ଏହାକୁ ନଜରରେ ରଖି ତାଙ୍କୁ ଆସନ୍ତା ଦିନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ମଧ୍ୟ କହିବା ଆରମ୍ଭ କଲେଣି।

Leave A Reply

Your email address will not be published.