ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ଅପରାଜିତାଙ୍କୁ ଚେକମେଟ୍!

0

ଭୁବନେଶ୍ବର: ହିନ୍ଦୀରେ ଏକ ଲୋକକଥା ରହିଛି କହିଁ ପେ ନିଗାହୈ, କହିଁ ପେ ନିଶାନା। ଭୁବନେଶ୍ୱର ମେୟର ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ଘୋଷଣା ହେଲା ପରେ ଓଡ଼ିଶା ରାଜନୀତିରେ ଏହି ଲୋକକଥାକୁ ନେଇ ତର୍ଜମା ଚାଲିଛି। ପ୍ରଥମଥର ପାଇଁ ଭୁବନେଶ୍ୱର ଦେଖିବ ମହିଳା ମେୟର। ଯେତେବେଳେ ଶାସକ ଦଳର ଅନେକ ତୁଙ୍ଗ ନେତା ଏହି ପଦବିକୁ ଆଖେଇଛନ୍ତି, ସେତେବେଳେ କାହିଁକି ଏହି ଆସନକୁ ହଠାତ ମହିଳାଙ୍କ ଲାଗି ସଂରକ୍ଷିତ ରଖାଗଲା, ତାହା ଏବେ ରାଜନୈତିକ ମହଲରେ ତର୍ଜମାର ବିଷୟ ହୋଇଛି। ପ୍ରାଥମିକ ଆକଳନ କହୁଛି, ମହିଳାଙ୍କ ପାଇଁ ମେୟର ପଦବି ସଂରକ୍ଷିତ ରହିବା ଶାସକ ବିଜେଡିକୁ ବଡ ଫାଇଦା ଦେବ। ରାଜଧାନୀର ଶାସନ ଡୋରି ଭବିଷ୍ୟତରେ ନିଜ ହାତରେ ରଖିବାକୁ ଏହା ଏକ ଟ୍ରମ୍ଫ କାର୍ଡ ଭାବେ ବ୍ୟବହାର ହେବ।

ଏକଥା ବି ଆକଳନ କରାଯାଉଛି ଯେ ରାଜ୍ୟ ସରକାରଙ୍କ ଏହି କାର୍ଡ ଦ୍ବାରା ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ମହିଳାଙ୍କୁ ରାଜନୀତିରେ ଆଗକୁ ଆଣିବାକୁ ବିଜେଡି ପ୍ରତିବଦ୍ଧ। ଏହାଠାରୁ ଆହୁରି ଗୁରୁତ୍ବପୂର୍ଣ୍ଣ ହେଉଛି, ବିଜେଡିର ଛାମୁଆ କିଛି ନେତା ଯେଉଁଭଳି ଲବି ଚଳାଇଥିଲେ, ସେଥିରେ ଏବେ ପୂର୍ଣ୍ଣଛେଦ ପଡ଼ିଯାଇଛି। ଏକ ବଡ ଧରଣର କନ୍ଦଳକୁ ଏଡାଇବାରେ ସକ୍ଷମ ହେବ ବିଜେ଼ଡି।

ରାଜନୈତିକ ପର୍ଯ୍ୟବେକ୍ଷକ ଅନ୍ୟ ଯେଉଁ ଦିଗଟିକୁ ସଙ୍କେତ ଦେଉଛନ୍ତି, ତାହା ହିଁ ଅସଲ ଖେଳ ବୋଲି କୁହାଯାଇପାରେ। ଭୁବନେଶ୍ୱର ସାଂସଦ ତଥା ବିଜେପିର ଫାୟାରବ୍ରିଗେଡ ନେତ୍ରୀ ଅପରାଜିତାଙ୍କୁ ଚେକ୍ ଦେବାକୁ ମହିଳା ମେୟର ହିଁ ବିଜେଡି ପାଇଁ ବଡ ଅସ୍ତ୍ର ସାଜିବେ। ମେୟର ପଦବି ପାଇଁ ଘୋଷଣା ପୂର୍ବରୁ ବିଜେଡି ଶିବିରରୁ ଏନେଇ ଆଭାସ ମଧ୍ୟ ମିଳିବା ଆରମ୍ଭ ହୋଇଥିଲା । ବିଏମସି ମେୟର ପଦବି ହାତକୁ ଆସିଲେ ହିଁ ରାଜଧାନୀରେ ଅପରାଜିତାଙ୍କ ପ୍ରଭାବକୁ ହ୍ରାସ କରିହେବ ଏକଥା ବେଶ ଭଲ ଭାବେ ବୁଝିଗଲେଣି ବିଜେଡିର ଥିଙ୍କଟ୍ୟାଙ୍କ । ଯେଉଁଥିପାଇଁ ଅପରାଜିତାଙ୍କୁ କାଉଁଣ୍ଟର ଆଟାକ କରିବାକୁ ଭୁବନେଶ୍ୱରରେ ସେହିଭଳି ଜଣେ ଟାଣୁଆ ମହିଳା ଚେହେରାଙ୍କୁ ସାମ୍ନାକୁ ଆଣିବାକୁ ବିଜେଡି ପକ୍ଷରୁ ବ୍ଲୁ-ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହେଉଛି।

ବିଏମସି ପାଇଁ ମେୟର ପଦକୁ ଆୟୁଧ କରି ଏହି ଲକ୍ଷ୍ୟରେ ସଫଳତା ହାସଲ ପାଇଁ ବିଜେଡି ପ୍ରସ୍ତୁତି କରିବ। ଏବେ ବିଜେଡିର ଥିଙ୍କଟ୍ୟାଙ୍କ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି । କାରଣ ମେୟର ମହାଲଢେଇ ପାଇଁ ପୂର୍ବରୁ କିଛି ସମ୍ଭାବ୍ୟ ମହିଳା ପ୍ରାର୍ଥୀଙ୍କୁ ବିଜେଡି ପ୍ରସ୍ତୁତ କରି ରଖିଥିବା କୁହାଯାଉଛି । ଯେଉଁମାନଙ୍କ ମଧ୍ୟରୁ ଜଣେ ଯୋଗ୍ୟ ନେତ୍ରୀଙ୍କୁ ମେୟର କରି ରାଜଧାନୀ ରାଜଗାଦି ହାସଲ କରିବ ବିଜେଡି ଏବଂ ଅପରାଜିତାଙ୍କ ରାଜନୈତିକ କ୍ୟାରିୟର ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିବ।

ସେହିଭଳି କିଛି ଚେହେରାଙ୍କ ମଧ୍ୟରୁ ରେସରେ ଆଗରେ ରହିଛନ୍ତି ଶ୍ରୀମୟୀ ମିଶ୍ର। ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ, ସୁଲତା ଦେଓଙ୍କ ଭଳି ପରିଚିତ ଚେହେରାକୁ ବି କିଛି ନେତା ଆଗକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ଶ୍ରୀମୟୀ ମିଶ୍ର ଏବେ ଓଟିଡିସିର ଚେୟାରମ୍ୟାନ ଥିବା ବେଳେ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଆଗଧାଡ଼ିର ଚେହେରା ଭାବେ ସାମ୍ନାକୁ ଆସୁଛନ୍ତି। ଶ୍ରୀମୟୀ ୨୦୧୯ରେ ବିଧାନସଭା ଟିକେଟ ଆଶାୟୀ ଥିଲେ ମଧ୍ୟ ତାଙ୍କୁ ଏଥିରୁ ବଞ୍ଚିତ କରାଯାଇ ଭୁବନେଶ୍ୱର ମେୟର ମୁଆଁ ଖୁଆଇବାକୁ ପ୍ରତିଶ୍ରୁତି ମିଳିଥିବା ନେଇ ବିଜେଡି ଶିବିରରେ ଚର୍ଚ୍ଚା ହେଉଥିଲା। ଦୀର୍ଘଦିନ ଧରି ଭୁବନେଶ୍ୱରରେ ସଙ୍ଗଠନ ସହ ଜଡିତ ଥିବା ଶ୍ରୀମୟୀ କଲେଜ ସମୟରୁ ବିଜେଡି ରାଜନୀତିରେ ଥିବାରୁ ଦଳ ତାଙ୍କୁ ମେୟର ପ୍ରାର୍ଥୀ ଭାବେ ପୁରସ୍କୃତ କରିପାରେ। ଏମିତିରେ ବି ଶ୍ରୀମୟୀ ବିଜେଡିର ଶୀର୍ଷ ମହଲରେ ସ୍ବତନ୍ତ୍ର ସ୍ଥାନରେ ଅଛନ୍ତି।

ଏହାବାଦ୍ ଅପରାଜିତାଙ୍କୁ ମୁହଁତୋଡ ଜବାବ ଦେବାକୁ ଶ୍ରୀମୟୀ ହିଁ ଫରଫେକ୍ଟ ବୋଲି ଦଳର ଅନ୍ଦରମହଲରେ ଚର୍ଚ୍ଚା ହେଉଛି। ଶ୍ରୀମୟୀଙ୍କ ପରେ ଏହି ରେସରେ ରହିଛନ୍ତି ପ୍ରୀତିନନ୍ଦା ରାଉତରାୟ । ପୂର୍ବରୁ ବିଏମସିର କର୍ପୋରେଟର ରହି ସାରି୍‌ଥିବା ପ୍ରୀତିନନ୍ଦାଙ୍କ ଆଉ ଏକ ପରିଚୟ ହେଲା ପୂର୍ବତନ ମନ୍ତ୍ରୀ ଦାମ ରାଉତଙ୍କ ଝିଅ । ତେଣୁ ପୂର୍ବରୁ ପାୱାର କରିଡର ସହ ପରିଚିତ ଥିବା ପ୍ରୀତିନନ୍ଦାଙ୍କ ପାଇଁ ମେୟର ଟିକେଟ ହାତେଇବା ଏତେ କଷ୍ଟ ହୋଇନପାରେ । ପ୍ରୀତିନନ୍ଦାଙ୍କ ପଛରେ ଦଳର ଏକ ପାୱାରଫୁଲ ଗୋଷ୍ଠୀର ଆର୍ଶୀବାଦ ଥିବା କୁହାଯାଉଛି, ତେଣୁ ତାଙ୍କୁ ମଧ୍ୟ ସାମ୍ନାକୁ ଆଣିପାରେ ଦଳ ।

ଶ୍ରୀମୟୀ ଓ ପ୍ରୀତିନନ୍ଦାଙ୍କ ବାଦ୍ ସୁଲତା ଦେଓଙ୍କୁ ନେଇ ମଧ୍ୟ ଚର୍ଚ୍ଚା କିଛି କମ ନୁହେଁ । ୨୦୧୯ ନିର୍ବାଚନ ପରଠାରୁ ଦଳରେ ସୁଲତାଙ୍କର ଗୁରୁତ୍ୱ ଯଥେଷ୍ଟ ଅଧିକ ବଢିଛି । ବିଭିନ୍ନ ଟିଭି ଡିବେଟରେ ଦଳକୁ ସୁଲତା ଡିଫେଣ୍ଡ କରୁଥିବା ବେଳେ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସୁଲତାଙ୍କ ଉପସ୍ଥିତି କିଛି ଏଭଳି ସଂକେତ ଦେଉଛି । ଏସବୁ ବାଦ୍ ମହିଳା ମେୟର ପଦବୀ ଘୋଷଣା ଦ୍ୱାରା ବିଜେଡି ବଡ ଧରଣର ବିସ୍ଫୋରଣରୁ ବର୍ତ୍ତି ଯାଇଛି । ଯଦି ମେୟର ପଦବି ଅଣ ସଂରକ୍ଷିତ ରହିଥାନ୍ତା ତେବେ ଦଳରେ ବଡ ଧରଣର ବିଦ୍ରୋହ ଦେଖିବାକୁ ମିଳିଥାନ୍ତା । କାରଣ ବିଜେଡିରେ ଅନେକ ମେୟର ଆଶାୟୀ ରହିଥିଲେ । ଯେଉଁମାନଙ୍କ ପାଖରେ ପ୍ରତିଶ୍ରୁତି କିମ୍ବା ଥଇଥାନ ଫର୍ମୁଲା କାମ କରିନଥାନ୍ତା । ତେଣୁ ଦଳକୁ ଏକ ବଡ ଝଟକା ଲାଗିଥାନ୍ତା ।

ଏପରିକି ଆବଶ୍ୟକ ପଡିଥିଲେ ଦଳରୁ ଅନେକ ବିଦ୍ରୋହୀ ପ୍ରାର୍ଥୀ ବାହାରିଥାନ୍ତେ । ଯାହାଙ୍କୁ ମ୍ୟାନେଜ କରିବା ବିଜେଡି ପାଇଁ ସହଜ ହୋଇନଥାନ୍ତା । ତେବେ ମେୟର ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ହେବା ବିଜେଡି ପାଇଁ ଆର୍ଶୀବାଦ ପାଲଟିଛି । ଗୋଟିଏ ପଟେ ଦଳରେ ବିଦ୍ରୋହର ସମ୍ଭାବନା କମିଛି ଆଉ ଅନ୍ୟପଟେ ଦଳର ବିଜୟ ସମ୍ଭାବନା ମଧ୍ୟ ବଢିଛି । କାରଣ ଭୁବନେଶ୍ୱର ମହାନଗର ନିଗମରେ ବିରୋଧୀ ବିଜେପି ଓ କଂଗ୍ରେସର ସେହିଭଳି ପରିଚିତ ମହିଳା ଚେହେରା ସାମ୍ନାକୁ ଆସିନାହାନ୍ତି । ଅନ୍ୟପଟେ ଦଳର ଠାରୁ ଅଲଗା ହୋଇ ସମାନ୍ତରାଳ ସଙ୍ଗଠନ କରୁଥିବା ଅପରାଜିତାଙ୍କ ମହିଳା ୱିଙ୍ଗରୁ ବିଜେପି କାହାକୁ ମେୟର ପ୍ରାର୍ଥୀ କରିବ ତାହାର ସମ୍ଭାବନା କ୍ଷୀଣ । ତେଣୁ ଏଭଳିସ୍ଥଳେ ମହିଳା ମେୟର ପଦ ହାତେଇ ଅପରାଜିତାଙ୍କୁ ଚେକମେଟ୍ ଦେବାକୁ ବିଜେଡି ପାଖରେ ବଡ ସୁଯୋଗ ରହିଛି ।

Leave A Reply

Your email address will not be published.