ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ବିଜେପି ନେତା ଗଲେ କୁଆଡେ ?

0

ପଞ୍ଚାୟତରେ ଶୋଚନୀୟ ପ୍ରଦର୍ଶନ ପରେ ବି ଆଶ୍ବାସନା ଦେଉନି ଦଳ

ଏଯାଏ କାରଣ ଖୋଜା ବୈଠକ ବସିଲାନି କି କେହି ଦାୟିତ୍ବ ମୁଣ୍ଡାଇଲେନି

ଧର୍ମେନ୍ଦ୍ର, ବୈଜୟନ୍ତ, ସମ୍ବିତଙ୍କ ଭୂମିକା ନେଇ ସବୁଠାରେ ପ୍ରଶ୍ନ ଉଠିଲାଣି

ପୌରାଞ୍ଚଳ ହାତଛଡ଼ା ହେଲେ ଆଗକୁ ବଡ ମୂଲ୍ୟ ଦେଇପାରେ ବିଜେପି

ଦଳର ଶୀର୍ଷ ନେତୃତ୍ବ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ନ କର ଭୁଲ କଲେ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ବିଜେପିର ଶୋଚନୀୟ ପ୍ରଦର୍ଶନ ପରେ ଦଳର କର୍ମୀଙ୍କ ମଧ୍ୟରେ ନିରାଶା ଖେଳିଯାଇଛି। ଉତ୍ତରପ୍ରଦେଶ ସମେତ ଚାରିଟି ରାଜ୍ୟରେ ଦଳ କ୍ଷମତାକୁ ଆସିବା ନେଇ ଗୋଟିଏ ପକ୍ଷ ଖୁସି ଥିଲେ ହେଁ ଏହା କିନ୍ତୁ ବିଜେପିର ତୃଣମୂଳ କର୍ମୀଙ୍କୁ ଆଶ୍ବସ୍ତ କରିପାରିନାହିଁ। ସେମାନେ ଚିନ୍ତାରେ ପଡିଛନ୍ତି ଯେ ବାସ୍ତବରେ ଓଡ଼ିଶାରେ ବିଜେପିର ଆଗକୁ କିଛି ଯୋଜନା ଅଛି ନା ନାହିଁ? ଯଦି ଅଛି ତେବେ ପରାଜୟ ସଂପର୍କରେ ଦଳର ଶୀର୍ଷ ନେତୃତ୍ବ କାହାକୁ ଉତ୍ତରଦାୟୀ ନ କରି ଚୁପ୍ ବସିଛି କେମିତି? ରାଜ୍ୟ ବିଜେପି କେଉଁ କାରଣରୁ ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ କଲା, ସେ ନେଇ ସେମାନଙ୍କୁ ତ କେହି ପଚାରିବେ ନାହିଁ ବା ମତାମତ ନେବେ ନାହିଁ; କିନ୍ତୁ ରାଜ୍ୟ ସଭାପତିଙ୍କୁ ଡାକି ଏ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ସଭାପତି କାହିଁକି ପଚାରୁନାହାନ୍ତି?

ଏଠାରେ ସ୍ମରଣଯୋଗ୍ୟ ଯେ ପଞ୍ଚାୟତ ନିର୍ବାଚନରେ ବିଜେପି ରାଜ୍ୟରେ ଶୋଚନୀୟ ପ୍ରଦର୍ଶନ କରିଛି। ବିଜେଡି ଏହି ଜାତୀୟ ଦଳକୁ ୫୦ ତଳେ (୪୭) ଜିଲ୍ଲା ପରିଷଦ ଆସନରେ ସୀମିତ ରଖିବା ସହିତ ଗୋଟିଏ ବି କେଉଁଠି ପରିଷଦ ଗଠନ କରିବାର ସୁଯୋଗ ଦେଇନାହିଁ। ଅର୍ଥାତ୍ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ଜିଲ୍ଲା ପରିଷଦରେ ଏବେ ବିଜେଡିର ହିଁ ରାଜ ଚାଲିବ। ସେହିଭଳି ୨୫ଟି ପଞ୍ଚାୟତ ସମିତି ବିଜେପି ଦଖଲ କରିପାରିନାହିଁ।

ରାଜନୈତିକ ମହଲରେ ବିଜେପିର ପରାଜୟ ନେଇ ପୋଷ୍ଟମର୍ଟମ ଚାଲିଛି। ଗୋଟିଏ ପକ୍ଷର ମତ ଯେ ରାଜ୍ୟସ୍ତରରେ ଥିବା ଶୀର୍ଷ ନେତୃତ୍ବଙ୍କ ଭିତରେ କନ୍ଦଳ କାରଣରୁ ବିଜେପି ରାଜ୍ୟରେ ଧୂଳି ଚାଟିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ବିଜେପିକୁ ସଶକ୍ତ କରୁଥିଲେ। ଏହି କାରଣରୁ ଦଳର ୮ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହେଲେ। ହେଲେ ଏମାନେ ଜିତିବା ପରେ ଧର୍ମେନ୍ଦ୍ରଙ୍କ ବିରୋଧରେ ଲାଗିଲେ। ସେହିଭଳି ବୈଜୟନ୍ତ ପଣ୍ଡା ଓ ଧର୍ମେନ୍ଦ୍ରଙ୍କ ଭିତରେ ଶୀତଳ ଯୁଦ୍ଧ ମଧ୍ୟ ଅନ୍ୟ ଏକ କାରଣ ହେଲା। ଏହି ନେତାମାନଙ୍କ ଭିତରେ ଲଢେଇ କାରଣରୁ ଧର୍ମେନ୍ଦ୍ର ରାଜ୍ୟ ଛାଡି ଜାତୀୟ ରାଜନୀତିରେ ଏବେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ଏହାର ପରିଣାମ ରାଜ୍ୟ ବିଜେପି ଭୋଗିଲା। ଧର୍ମେନ୍ଦ୍ରଙ୍କ ବିରୋଧରେ ଲାଗିଥିବା ନେତାମାନେ ନା ରାଜ୍ୟରେ ନିଜ ପତିଆରା ପ୍ରଦର୍ଶନ କରିପାରିଲେ ନା ରାଜ୍ୟରେ ଶାସନତନ୍ତ୍ରକୁ ମୁକାବିଲା କରିବାର ସାମର୍ଥ୍ୟ ରଖିଛନ୍ତି। ଏହାର ସୁଯୋଗ ନେଇ ବିଜେଡି ଗାଁରେ ବିଜେପିକୁ ତଳିତଳାନ୍ତ କରିଦେଇଛି। ଯଦିଓ ବିଜେଡିର ଗାଁ ସଂଗଠନରେ ଅସନ୍ତୋଷ ତୀବ୍ର ରହିଛି, ଏହା ସତ୍ତ୍ବେ ସେମାନେ ବିଜେପିକୁ ଏମିତି ପାନେ ଦେଇଛନ୍ତି ଯେ ଦଳର କର୍ମୀ ଏବେ ପଦ୍ମ ଧରିବ ନା ନାହିଁ, ସେ ନେଇ ଦୁଇଥର ଭାବିପାରେ।

ଅନ୍ୟଗୋଟିଏ ମତ ହେଉଛି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଅବର୍ତ୍ତମାନ ସଂପର୍କରେ ଜଣାଇଦେଲେ। ତାଙ୍କୁ ଛାଡି ରାଜ୍ୟ ବିଜେପିର କିଛି ବି ଶକ୍ତି ନାହିଁ ଏକଥା ସେ ପ୍ରମାଣିତ କରିଦେଲେ। ଏକଥା ରାଜ୍ୟ ଓ କେନ୍ଦ୍ର ନେତୃତ୍ବ ବୁଝିଯିବା କଥା। ଉତ୍ତରପ୍ରଦେଶ ଭଳି ଏଠାରେ ଜଣେ ଯୋଗୀ ଆଦିତ୍ୟନାଥ ତିଆରି କରାନଯିବା ପର୍ଯ୍ୟନ୍ତ ବିଜେପିର ସଂଗଠନ ଯେ ଆଗକୁ ବଢ଼ିବ ଏକଥା କେହି ଜୋର ଦେଇ କହିପାରିବେ ନାହିଁ। ଏକଥାଟି ଏଇଥିପାଇଁ ଏବେ ଯୁକ୍ତିକୁ ଆସୁଛି, କାରଣ ୨୦୧୫ରୁ ଧର୍ମେନ୍ଦ୍ର ଓଡ଼ିଶା ରାଜନୀତିରେ ମାତ୍ରାଧିକ ସକ୍ରିୟ ରହିଥିଲେ ହେଁ ବିଜେପିର କେନ୍ଦ୍ରୀୟ ନେତୃତ୍ବ ତାଙ୍କୁ ବାରମ୍ବାର ପ୍ରଶଂସା କଲେ। ମାତ୍ର ଧର୍ମେନ୍ଦ୍ର ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏକଥା ମୋଦୀ କହିଲେ ନାହିଁ କି ଅମିତ ଶାହ। ଖୋଲାଖାେଲି ଭାବେ କହିଦିଆଯାଇଥିଲେ, ଆଜି ଦିନର ଚିତ୍ର ଅଲଗା ହୋଇଥାନ୍ତା। ଏବେ ବି ଯଦି ଦଳ ତାର ଆଭିମୁଖ୍ୟ ସ୍ପଷ୍ଟ ନକରେ, ତେବେ ସ୍ଥିତି ମହଙ୍ଗା ହୋଇଯିବ।

ପଞ୍ଚାୟତ ନିର୍ବାଚନରେ ଅତି ଖରାପ ପ୍ରଦର୍ଶନ କରିଥିବା ବିଜେପି ଏବେ ପୌର ନିର୍ବାଚନ ସାମ୍ନା କରୁଛି। ଏଠାରେ ଯେ ବିଜେଡିକୁ ବଡ ଟକ୍କର ଦେବ, ସେ ସମ୍ଭାବନା ବି କ୍ଷୀଣ। ବିଜେପି ନେତାଙ୍କ ମନୋବଳ ପୂରା ଭାଙ୍ଗିଯାଇଛି। ଆସାମ ପୌର ନିର୍ବାଚନର ସଫଳତା ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶ୍ରେୟ ନେଉଛନ୍ତି। ହେଲେ ସେଠାରେ ନିର୍ବାଚନ ସରିବା ପରେ ବି ସେ ଏଯାଏ ରାଜ୍ୟ ବିଜେପି ନେତାଙ୍କ ପାଖକୁ ଆସୁନାହାନ୍ତି କି ସେମାନଙ୍କ ମନୋବଳ ବଢାଇବା ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ବାଣପୁରରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ମଡ଼ାଇବା ମାମଲା କାରଣରୁ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓଡ଼ିଶା ଗସ୍ତରେ ଆସିଥିଲେ ସତ, ହେଲେ ପୌର ନିର୍ବାଚନ ପ୍ରଚାରରେ ତାଙ୍କ ଭୂମିକା କଣ ରହିବ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତରପ୍ରଦେଶ ସଫଳତା ପାଇଁ ସମସ୍ତେ ପ୍ରଶଂସା କରୁଛନ୍ତି। ଜାତୀୟ ଗଣମାଧ୍ୟମରେ ଏହି ପ୍ରସଙ୍ଗ ଛାଇ ଗଲାଣି। ଏବେ ସେଠାରେ ସରକାର ଗଠନ ପ୍ରକ୍ରିୟା ଜାରି ରହିଛି। ସମ୍ଭବତଃ ଏହି କାରଣରୁ ଧର୍ମେନ୍ଦ୍ର ସେଠାରେ ବ୍ୟସ୍ତ ଅଛନ୍ତି।ହେଲେ ଓଡ଼ିଶା ପୌର ନିର୍ବାଚନ ମଇଦାନକୁ ଓହ୍ଲାଇ ଦଳର କର୍ମୀଙ୍କ ମନୋବଳ ବଢାଇବା ଦିଗରେ ସେ କିଭଳି ଭୂମିକା ନେବେ, ତାହା ସ୍ଥିର ହୋଇନାହଁ। ସେ କେବେ ଓଡ଼ିଶା ଆସିବେ, ସେ ନେଇ ସ୍ପଷ୍ଟ ଚିତ୍ର ମିଳିନାହିଁ। ଏସବୁ କାରଣରୁ ରାଜ୍ୟ ବିଜେପି ଏବେ ସହରାଞ୍ଚଳରେ ମଧ୍ୟ ଶୋଚନୀୟ ପ୍ରଦର୍ଶନ କରିପାରେ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ଆହୁରି ବିସ୍ମୟର କଥା ହେଲା, ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଯାଇଥିବା ସାଂସଦ ତଥା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଭୂୁମିକା କଣ ରହିଲା, ସେ ନେଇ କେହି ଠୋସ୍ ଭାବେ କିଛି କହିପାରୁନାହାନ୍ତି। ସେହିଭଳି ବିବାଦରେ ଫସିବା ପରେ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ଗ୍ରହଣୀୟତା କମିଛି।

ଉଲ୍ଲେଖଥାଉକି, ପଞ୍ଚାୟତ ଅପେକ୍ଷା ବିଜେପିର ସହରାଞ୍ଚଳ ଭୋଟ ଅଧିକ। ଦଳ ମୂଳରୁ ଏହା ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା। ହେଲେ ଏବେ ପୌର ନିର୍ବାଚନ ମଇଦାନକୁ ନେତାମାନେ ଓହ୍ଲାଇବେ କି ନାହିଁ ସେ ନେଇ ସ୍ଥିର କରିପାରୁନଥିବା ଏକ ବଡ କାରଣର ବୋଲି କୁହାଯାଉଛି। ଏପଟେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା, ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ପତିଆରା ନେଇ କାହାର ଦ୍ବନ୍ଦ୍ବ ନାହିଁ। କିନ୍ତୁ ସେ ଯଦି ରାଜ୍ୟର କିଛି ନେତାମାନଙ୍କ ଉପରେ ଅଭିମାନ କରି ପୂରା ପ୍ରକ୍ରିୟାରୁ ଦୂରେଇ ରହିବେ, ତେବେ ବିଜେଡି ସହରାଞ୍ଚଳ ଦଖଲ କରିନେବ, ସେଥିରେ କିଛି ବ ସନ୍ଦେହ ନାହିଁ।

Leave A Reply

Your email address will not be published.