ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ନବୀନଙ୍କ ‘ବବି’ କାର୍ଡ ସଫଳ

0
  • ବିରୋଧୀ ତଟକା, ପ୍ରଣବ ପ୍ରକାଶଙ୍କ ସମସାମୟିକ ମଧ୍ୟ ଛାନିଆ
  • ଅଧିକ ଯୁବ ନେତା ଏବେ ସାମ୍ନାକୁ ଆସିବେ, ପୁରୁଣା ଚେହେରା ବଦଳିବେ
  • ବିଜେପିଠାରୁ ଯୁବ ଶକ୍ତିଙ୍କୁ ଦୂରେଇବାରେ ବବିଙ୍କର ବଡ ଭୂମିକା ରହିଛି

ଭୁବନେଶ୍ବର: ରାଜ୍ୟରେ ବହୁ ଚର୍ଚ୍ଚିତ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ବିଜୁ ଜନତା ଦଳ ଏଥିରେ ସର୍ବକାଳୀନ ରେକର୍ଡ କରିଛି। ବିଜୁ ଜନତା ଦଳ ଗଠନ ପରେ କେବେ ବି ୭୬୬ ଜିଲ୍ଲା ପରିଷଦ ଆସନରେ ଜିତିନଥିଲା। ସେହିଭଳି ପ୍ରାୟ ୯୦ ପ୍ରତିଶତ ପଞ୍ଚାୟତ ସମିତି ଦଖଲ କରିବା ଏବଂ ୩୦ରୁ ୩୦ ଜିଲ୍ଲାରେ ପରିଷଦ ଗଠନ କରିବାରେ ବି ନବୀନ ବିରଳ ରେକର୍ଡ ସ୍ଥାପନ କରିଛନ୍ତି। ଶାସନରେ ଲଗାତାର ୨୨ବର୍ଷ ଧରି ରହିବା ପରେ ବି ମୁଖ୍ୟମନ୍ତ୍ରୀ ବା ବିଜେଡି ବିରୋଧରେ ଜନମତ ଯାଇନି, ବରଂ ନବୀନଙ୍କ ପ୍ରତି ଆସ୍ଥା ବଢ଼ିଥିବା ଏହି ଫଳାଫଳ ବୟାନ କରୁଛି।

ହେଲେ ଏହି ନିର୍ବାଚନ କିନ୍ତୁ ବିଭିନ୍ନ ଦୃଷ୍ଟିକୋଣରୁ ଏବେ ବିଜେଡି ରାଜନୀତିରେ ବଡ ପରିବର୍ତ୍ତନ ଆଣିଛି। ୨୦୧୯ ନିର୍ବାଚନ ଜିତିବା ପରେ ୨୦୨୦ ମାର୍ଚ୍ଚ ୫ ତାରିଖରେ ନିଜେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଗଣମାଧ୍ୟମ ସାମ୍ନାକୁ ଆସି ବିଧାୟକ ପ୍ରଣବ ପ୍ରକାଶ (ବବି) ଦାସଙ୍କୁ ଦଳର ସାଂଗଠିକ ସଂପାଦକ ଭାବେ ନିଯୁକ୍ତି ଦେଇଥିଲେ। ଏଥିରେ ଉଲ୍ଲେଖନୀୟ କଥାଟି ହେଲା, ପ୍ରେସ ବିଜ୍ଞପ୍ତି ନୁହେଁ, ନିଜେ ନବୀନ ଗଣମାଧ୍ୟମ ସାମ୍ନାରେ ଏହି ଘୋଷଣା କରିଥିଲେ। ବବିଙ୍କ ନିଯୁକ୍ତିକୁ ନେଇ ବିଜେଡିରେ ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ଅନେକ ବରିଷ୍ଠ ନେତା ଏହାକୁ ଗ୍ରହଣ କରିପାରିନଥିଲେ, ସମସାମୟିକ ନେତାମାନେ ଈର୍ଷାରେ ଜଳିଯାଇଥିଲେ। ବିଜେଡିରେ ଅସନ୍ତୋଷ କ୍ରମଶଃ ବଢିଥିଲା ଓ ପରୋକ୍ଷ ଏବଂ ପ୍ରତ୍ୟକ୍ଷଭାବେ ଅନେକ ନେତା ଏହା ଉପରେ ଟୀକା ଟିପ୍ପଣୀ ଦେଇ ଆସୁଥିଲେ।

ହେଲେ ପଞ୍ଚାୟତ ନିର୍ବାଚନରେ ଅସମ୍ଭବ ସଫଳତା ପରେ ବିଜେଡିରେ ବବିଙ୍କ ନେତୃତ୍ବକୁ ସମସ୍ତେ ଏବେ ଭୁରି ଭୁରି ପ୍ରଶଂସା କରୁଛନ୍ତି। ବିଜେଡି ଭିତରେ ମଧ୍ୟ ଅନେକ ଏହାକୁ ସ୍ବୀକାର କରୁଛନ୍ତି। ବିରୋଧୀ ରାଜନୈତିକ ଦଳମାନେ ତାଙ୍କ ଗୋଟିଚାଳନାକୁ ସ୍ବୀକୃତି ଦେବାକୁ ଭୁଲୁନାହାନ୍ତି। ଏଇଥିପାଇଁ ଯେ ପୂର୍ବରୁ ଦଳର ଅନେକ ଟାଣୁଆ ନେତା ବିଜେଡି ପାଇଁ ପଞ୍ଚାୟତ ନିର୍ବାଚନ କସରତ କରିଛନ୍ତି। ଏପରିକି ୨୦୧୨ରେ ବିଜେଡିର ତତ୍କାଳୀନ ରାଜ୍ୟସଭା ସାଂସଦ ତଥା ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ର ବି ରଣନୀତି ସରଞ୍ଚନା କରିଥିଲେ। ହେଲେ ଜିଲ୍ଲା ପରିଷଦ ଜୋନ୍ ସଂଖ୍ୟା ୬୫୧ରେ ଅଟକିଥିଲା। ନା ସବୁ ଜିଲ୍ଲାରେ ଦଳ ପରିଷଦ ଗଠନ କରିଥିଲା ନା ଏତେ ପରିମାଣରେ ପଞ୍ଚାୟତ ସମିତି ଦଖଲ କରିପାରିଥିଲା। ୨୦୧୭ରେ ଓଲଟା ଫଳ ଫଳିଥିଲା। ଦଳ ଶତାଧିକ ଆସନରେ ହାରିଥିଲା। ଏଥର କିନ୍ତୁ ବିଜେପିକୁ ମୂଳପୋଛ କରି ବିଜେଡି ଯେଭଳି ପ୍ରଦର୍ଶନ କରିଛି, ତାହାକୁ ଅନେକ ବିଶ୍ବାସ କରିପାରୁନାହାନ୍ତି।

ରାଜନୈତିକ ମହଲ ଏହି ଫଳାଫଳ ପାଇଁ ସ୍ବାଭାବିକ ଭାବେ ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଉଛନ୍ତି। ହେଲେ ଏହା ସହିତ ପ୍ରଣବ ପ୍ରକାଶ ଦାସଙ୍କୁ ବି ଶ୍ରେୟ ଯାଉଛି। କାରଣ ବବି ରାଜ୍ୟ ସାରା ବୁଲି ସଂଗଠନରେ କ୍ରିୟାଶୀଳତା ଆଣିବା ସହିତ ନେତାଙ୍କ ଭିତରେ ମନୋମାଳିନ୍ୟ ଦୂର କରିବା, ସାଂଗଠନିକ ଶକ୍ତି ବଢ଼ାଇବା ଆଦି ଅନେକ କାର୍ଯ୍ୟର ପ୍ରମୁଖ ସାରଥୀ ଥିଲେ। ପୂରା ବିଜେଡିକୁ ନୂଆ ଯୁବକଙ୍କ ସହିତ ଯୋଡିବାରେ ତାଙ୍କର ଗୋଟିଏ ବଡ ଭୂମିକା ରହିଛି। ସମ୍ଭବତଃ ଓଡ଼ିଶାରେ ବିଜେପିକୁ ଯୁବଶକ୍ତିଠାରୁ ଦୂରେଇବାରେ ବବିଙ୍କ ଭୂମିକା ସବୁଠାରୁ ବେଶୀ। ଏବେ ଏହି ସଫଳତା ପରେ ଯେଉଁମାନେ ବବି ଦାସଙ୍କ ବିରୋଧରେ କହୁଥିଲେ, ସେମାନଙ୍କ ମୁହଁ ଏକରକମ ବନ୍ଦ।

ଏହି ମହଲ ଆହୁରି କହୁଛନ୍ତି ଯେ ବବିଙ୍କର ବିଜେଡିରେ ଏବେ ପତିଆରା ବଢ଼ିବ। ଦଳର ଅନ୍ୟ ନେତାମାନେ ତାଙ୍କ ନେତୃତ୍ବ ମାନିବାକୁ ବାଧ୍ୟ ହେବେ। ବବିଙ୍କ ନେତୃତ୍ବକୁ ନେଇ ଯେଉଁ କିଛି ନେତା କେଁ କାଁ କରୁଥିଲେ, ସେମାନଙ୍କ ମୁହଁ ଏବେ ଆପେ ବନ୍ଦ ହୋଇଯାଇଛି। କାରଣ ବିଜେଡିକୁ ବବିଙ୍କ ଭଳି ସେମାନଙ୍କର ଏତେ ବେଶୀ ଅବଦାନ ନାହିଁ। ଆସନ୍ତା ଦିନରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେଉ କିମ୍ବା ସାଂଗଠନିକ ପୁନର୍ବିନ୍ୟାସ ସବୁଥିରେ ବବିଙ୍କ ମତର ଗୋଟିଏ ବଡ ଭୂମିକା ରହିବ, ଏକଥା ସମସ୍ତଙ୍କୁ ସ୍ବୀକାର କରିବାକୁ ହେବ।

ଏହି ମହଲ ଆହୁରି କହୁଛନ୍ତି ଯେ ବିଜେଡିରେ ଆଗକୁ ଅଧିକରୁ ଅଧିକ ଯୁବ ନେତାଙ୍କୁ ଗୁରୁତ୍ବ ମିଳିବା ସମ୍ଭାବନା ଅଧିକ। ବରଂ ଯେଉଁମାନେ ଗତ ୧୫ବର୍ଷ ଧରି ବିଜେଡିର ଆଗଧାଡିରେ ରହିଥିଲେ, ସେମାନଙ୍କୁ ପରିବର୍ତ୍ତନ କରିଦିଆଯାଇପାରେ। ସେମାନଙ୍କ ରାଜନୈତିକ ଜୀବନରେ ମଧ୍ୟ ଏକ ବଡ ପରିବର୍ତ୍ତନ ଆସିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରୁନାହିଁ।

ଏଠାରେ ଉଲ୍ଲେଖଥାଉକି, ୨୦୦୯ ମସିହାରେ ବିଜେଡି ରାଜନୀତିରେ ଯୋଗଦେଇଥିବା ବବି ମାତ୍ର ଗୋଟିଏ ଦଶନ୍ଧି ଭିତରେ ବିଜେଡିର ଆଗଧାଡିକୁ ଚାଲିଯାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ତାଙ୍କ ପ୍ରତି ଆସ୍ଥା ଏବେ ଏ ଦିଗରେ ପ୍ରମୁଖ କାରଣ ଭାବେ ଉଭା ହୋଇଛି। ସେହିଭଳି ବବି ଅନ୍ୟ ସମସାମୟିକ ନେତାଙ୍କୁ ବାଦ୍ ଦେଇ କିଭଳି ଢଙ୍ଗରେ ଆଗକୁ ଚାଲିଗଲେ, ତାହା ବି ଲକ୍ଷ୍ୟ ରଖିବା କଥା। ପୂର୍ବରୁ ବିଜେଡିରେ ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ ଓ ସଂଜୟ ଦାସବର୍ମା ପ୍ରମୁଖଙ୍କର ଦବଦବା ଥିଲା। ଏବେ ସେମାନେ ଆଉ ଆଗଭଳି ଗୁରୁତ୍ବ ପାଉନାହାନ୍ତି। ଆଗକୁ ଏମାନଙ୍କୁ ଛାଡି ଅନ୍ୟ ଯୁବ ନେତାଙ୍କୁ ଦଳ ସାମ୍ନାକୁ ଆଣିବ ଓ ଆଗକୁ ବଢ଼ିବ ବୋଲି ରାଜନୈତିକ ମହଲରେ ପୂର୍ବାନୁମାନ କରାଯାଉଛି।

Leave A Reply

Your email address will not be published.