ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

କଂଗ୍ରେସ ପରାଜୟ ନୁହେଁ, ସୋନିଆଙ୍କ ପାଇଁ ବେଶୀ ଚିନ୍ତା!

0

ସଭାପତି ପଦରେ ରହିବେ ସୋନିଆ, ଗାନ୍ଧୀ ପରିବାର ଇସ୍ତଫା ଖବର ଫୁସ୍

ରାହୁଲଙ୍କୁ କଂଗ୍ରେସ ନେତୃତ୍ବ ଦେବା ପାଇଁ ପୁଣି ଥରେ ଦଳରୁ ସ୍ବର ତେଜିଲା

ସଂସଦ ଅଧିବେଶନ ପରେ କଂଗ୍ରେସ ସଂଗଠନରେ ପରିବର୍ତ୍ତନ ହୋଇପାରେ

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନର କାରଣ କଣ? ଏମିତି ଏକ ପ୍ରଶ୍ନ ଉପରେ ଅନୁସନ୍ଧାନ କରିବା ଲାଗି ରବିବାର କଂଗ୍ରେସ ଓ୍ବାର୍କିଂ କମିଟି ବୈଠକ ଡକାଯାଇଥିଲା। ଦଳ କେତେ ଆତ୍ମସମୀକ୍ଷା କଲା, ତାହା ଆଗାମୀ ଦିନରେ ସମୟ କହିବ। କିନ୍ତୁ ଗୋଟିଏ ବାର୍ତ୍ତା ଅବଶ୍ୟ ତିଆରି କରାଗଲା ଯେ କଂଗ୍ରେସ ମୁଖ୍ୟ ଭାବେ ସୋନିଆ ଗାନ୍ଧୀ ହିଁ ରହିବେ। ଅର୍ଥାତ୍ ପରାଜୟର ବୋଝ କେହି ମୁଣ୍ଡାଇବେ ନାହିଁ।

ବୈଠକ ପରେ ଗଣମାଧ୍ୟମ ସାମ୍ନାକୁ ଆସି ଅଖିଳ ଭାରତ କଂଗ୍ରେସ କମିଟି ଦାୟିତ୍ବରେ ଥିବା କେ ସେ ବେଣୁଗୋପାଳ କହିଥିଲେ ଯେ ଆମର ରଣନୀତି ଅଭାବ କାରଣରୁ ଓ ଚାରିଟି ରାଜ୍ୟରେ ବିଜେପି ଯେଭଳି କ୍ଷମତା ବ୍ୟବହାର କଲା, ସେ କାରଣରୁ ବିପର୍ଯ୍ୟୟ ଘଟିଲା। ପଞ୍ଜାବରେ ସରକାର ବିରୋଧୀ ସ୍ବର ତୀବ୍ର ହେବା କାରଣରୁ କଂଗ୍ରେସ ସେଠାରେ ହାରିଛି।

ତେବେ ଯେଉଁ ପ୍ରସଙ୍ଗ ଉପରେ ବେଣୁଗୋପାଳ ଜୋର ଦେଇଥିଲେ, ତାହା ହେଲା, କଂଗ୍ରେସ ଓ୍ବାର୍କିଂ କମିଟି ସର୍ବସମ୍ମତି କ୍ରମେ ସୋନିଆ ଗାନ୍ଧୀଙ୍କ ଉପରେ ଥିବା ଆସ୍ଥାକୁ ପୁନଃ ପ୍ରମାଣିତ କରିଛି। ଏଥିସହିତ କଂଗ୍ରେସ ସଭାପତିଙ୍କୁ ଅନୁରୋଧ କରାଯାଇଛି ଯେ ସାଂପ୍ରତିକ ରାଜନୈତିକ ଆହ୍ବାନକୁ ସାମ୍ନା କରିବା ଲାଗି ସେ ଆଗକୁ ଆସି ସାଂଗଠନିକ ଦୁର୍ବଳତାକୁ ଦୂର କରନ୍ତୁ। ଆବଶ୍ୟକସ୍ଥଳେ ସାଂଗଠନିକ ସ୍ତରରେ ପରିବର୍ତ୍ତନ କରାଯାଉ। କେବଳ ସେତିକି ନୁହେଁ, ଆସନ୍ତା ସଂସଦ ଅଧିବେଶନ ପରେ ୨୦୨୩ରେ ହେବାକୁ ଥିବା ରାଜ୍ୟ ନିର୍ବାଚନ ଲାଗି ଏବେଠାରୁ ଦଳର ରଣନୀତି ପ୍ରସ୍ତୁତ ହେବା ଦରକାର। ୨୦୨୪ ଲୋକସଭା ନିର୍ବାଚନ ଲାଗି ମଧ୍ୟ ସ୍ବତନ୍ତ୍ର ରଣନୀତି ଲାଗି ଏକ ଚିନ୍ତନ ଶିବିର କରାଯିବା ଉପରେ ମତ ପ୍ରକାଶ ପାଇଛି। ଏବଂ ବରିଷ୍ଠ ନେତାମାନେ ଏଦିଗରେ ଆବଶ୍ୟକ ପରାମର୍ଶ ଦେବା ଲାଗି କୁହାଯାଇଛି।

ଘଣ୍ଟାଏ କି ଦୁଇଘଣ୍ଟା ନୁହେଁ, ପାଖାପାଖି ୪ ଘଣ୍ଟା ଧରି ନୂଆଦିଲ୍ଲୀ ଆକବର ରୋଡରେ ଥିବା ଦଳର ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟତଃ ପରାଜୟ ପାଇଁ ଉତ୍ତରଦାୟିତ୍ବ ଧାର୍ଯ୍ୟ କରିବା ଲାଗି ଯେଉଁ କଥା ଉଠିଛି ଓ ଦଳର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଦାବି କରାଯାଉଛି, ତା ଉପରେ ଆଲୋଚନା ଯୋଜନା ଥିଲା। ଅନ୍ୟପକ୍ଷରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ଯେ କଂଗ୍ରେସ ଠାରୁ ଗାନ୍ଧୀ ପରିବାର ଦୂରେଇଯିବେ। ଏପରିକି ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ କେହି ବି କଂଗ୍ରେସ ନେତୃତ୍ବ ନେବେ ନାହିଁ ବୋଲି କଳ୍ପନାଜଳ୍ପନା ଚାଲିଥିଲା।

ହେଲେ ଏହି ବୈଠକରେ ଏମିତି କିିଛି ବି ହେଲାନାହିଁ। ପୂରା ବୈଠକର ନିଷ୍କର୍ସ ସାମ୍ନାକୁ ଆସିବା ପରେ ରାଜନୈତିିକ ପର୍ଯ୍ୟବେକ୍ଷକ ମହଲ ସମୁଦାୟ ପ୍ରସଙ୍ଗକୁ ଗମ୍ଭୀରତାର ସହିତ ନେଇଛନ୍ତି। ଗୋଟିଏ ଗୋଷ୍ଠୀ ପକ୍ଷରୁ କୁହାଯାଉଛି ଯେ ମତାମତ ଫଳାଫଳରୁ ଧ୍ୟାନ ହଟାଇବା ଲାଗି ଏବଂ ଗାନ୍ଧୀ ପରିବାର ପ୍ରତି ସହାନୁଭୂତି ଗୋଟାଇବା ଲାଗି ସେମାନେ ଇସ୍ତଫା ଦେଉଥିବା ଗୁଜବ ସୃଷ୍ଟି କରାଯାଇଥିଲା।

କୌତୂହଳର କଥା ହେଉଛି, ଗତକାଲି ବୈଠକରେ ୫୭ଜଣ ନେତା ଯୋଗଦେଇଥିଲେ ହେଁ ବରିଷ୍ଠ ନେତା ଅଶୋକ ଗେହେଲଟ୍ ଏବଂ ଡି ଶିବାକୁମାର ସାମ୍ନାକୁ ଆସି ଗୋଟିଏ ନୂଆ ନାଟକ ରଚନ କରିଥିଲେ। ସେମାନେ କହିଥିଲେ ଯେ ବର୍ତ୍ତମାନ ପରିସ୍ଥିତିରେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଦଳର ସଭାପତି କରାଯିବା ଉଚିତ୍। କଂଗ୍ରେସ ଏକତା ପାଇଁ ଗାନ୍ଧୀ ପରିବାର ଗୁରୁତ୍ବପୂର୍ଣ୍ଣ ବୋଲି ସେମାନେ କହିଥିଲେ। ଶିବାକୁମାର ତୁରନ୍ତ ଏଭଳି ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯିବା ଲାଗି ଦାବି କରିଥିଲେ। ଏହା ଦେଶର ଲକ୍ଷ ଲକ୍ଷ କଂଗ୍ରେସ କର୍ମୀଙ୍କ ଇଚ୍ଛା ବୋଲି ମଧ୍ୟ କହିବାକୁ ପଛାଇ ନଥିଲେ। ସେପଟେ ବୈଠକ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ କଂଗ୍ରେସ, ଇଣ୍ଡିଆନ୍ ୟୁଥ୍ କଂଗ୍ରେସ, ନ୍ୟାସନାଲ ଷ୍ଟୁଡେଣ୍ଟ୍ସ ୟୁନିୟନ ଅଫ୍ ଇଣ୍ଡିଆର କର୍ମୀମାନେ ରାହୁଲଙ୍କୁ ସ୍ଥାୟୀ ସଭାପତି ସପକ୍ଷରେ ସ୍ଲୋଗାନବାଜି କରିଥିଲେ।

ଅନ୍ୟପକ୍ଷରେ ଜି-୨୩ ନେତାଙ୍କ ମଧ୍ୟରୁ ଗୁଲାମ ନବି ଆଜାଦ, ଆନନ୍ଦ ଶର୍ମା, କପିଲ ସିବଲ, ମୁକୁଲ ଓ୍ବାସନିକ୍ ଏହି ବୈଠକରେ ଯୋଗଦେଇଥିଲେ ହେଁ ଶନିବାର ଗୁଲାମଙ୍କ ଘରେ ଏକ ବୈଠକରେ ଆଲୋଚନା କରିଥିଲେ। ସେମାନେ କଂଗ୍ରେସ ସଭାପତି ପରିବର୍ତ୍ତନ ନେଇ କିଛି ମନ୍ତବ୍ୟ ଦେବେ ବୋଲି ଆଶା କରାଯାଉଥିଲା। ଗୋଟିଏ ସୂତ୍ରରୁ ଏକଥା ବି କୁହାଯାଉଛି ଯେ ଓ୍ବାସନିକ୍ ସଭାପତି ହୁଅନ୍ତୁ ବୋଲି ସେମାନେ କୁଆଡେ ଚାହୁଁଥିଲେ। ହେଲେ ଏହା କାଟ୍ ଖାଇଥିଲା।

ଏଠାରେ ସୂଚନାଥାଉକି, ୨୦୨୧ ଅକ୍ଟୋବରରୁ ଦଳର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି। ୨୦୨୨ ଅଗଷ୍ଟ-ସେପ୍ଟେମ୍ବରରେ ସଭାପତି ନିଯୁକ୍ତି ସଂପର୍କରେ ନିର୍ବାଚନ ହୋଇପାରେ। ଏହା ପରେ କଂଗ୍ରେସ ଓ୍ବାର୍କିଂ କମିଟି ବୈଠକ ଅନୁଷ୍ଠିତ ହେବ।

Leave A Reply

Your email address will not be published.