ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ଦ୍ବିତୀୟ ପର୍ଯ୍ୟାୟ ଅଭିଯାନ

0

ପୁରୀ ପ୍ରସଙ୍ଗକୁ ହାତଛଡା କରିବନି ବିଜେପି, ସମ୍ବିତ ପାତ୍ରଙ୍କୁ ଦାୟିତ୍ବ ଦିଆଗଲା

ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୧୫ ଯାଏ ରହି ସଂଗଠନ ଦେଖିବେ

ଦଳର ଦୁଇ ପ୍ରମୁଖ ସଂଗଠନ କେନ୍ଦ୍ରୀୟ ନେତାଙ୍କ ଉପରେ ଚାପ ପକାଇଛନ୍ତି

ଅସନ୍ତୁଷ୍ଟ ବିଜେଡି ନେତା କଂଗ୍ରେସକୁ ଆଖେଇବା ପରେ ରଣନୀତି ବଦଳିଲା

ଚଳିତମାସ ଶେଷ ସପ୍ତାହରେ ମାହାଙ୍ଗାରେ ହୋଇପାରେ ବଡଧରଣର ସଭା

ଭୁବନେଶ୍ବର: ହଠାତ୍ ଓଡ଼ିଶାରେ ବିଜେପି ସକ୍ରିୟ ହେବା ଆରମ୍ଭ କରିଛି। ପ୍ରଥମେ ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ୍ ପାତ୍ରଙ୍କୁ କେନ୍ଦ୍ରୀୟ ନେତା ପୁରୀ ପଠାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହଇଚଇ ଖେଳାଇବା ପରେ ଏବେ ଦ୍ବିତୀୟ ଅସ୍ତ୍ର ପ୍ରୟୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଜେପିର ଶୀର୍ଷ ସ୍ତରରୁ ମିଳୁଥିବା ଖବର ଅନୁସାରେ, ପୁଣି ଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ବିଜେପି ଅଭିଯାନ ଆରମ୍ଭ କରିବ। ରାଷ୍ଟ୍ରପତି ନିର୍ବାଚନ ପରେ ଏହି ଅଭିଯାନକୁ ଜୋରଦାର କରାଯିବ। ସେ ଯାଏ ସମ୍ବିତ୍ ପାତ୍ର ଏହି ପ୍ରସଙ୍ଗକୁ ବଞ୍ଚାଇ ରଖିବେ।

ଅନ୍ୟପକ୍ଷରେ ଆସନ୍ତାକାଲି ଅପରାହ୍ନରେ ଧର୍ମେନ୍ଦ୍ର ଓଡ଼ିଶା ଆସୁଥିବା ସୂଚନା ମିଳୁଛି। ସେ ସିଧା ଅନୁଗୁଳ ଯିବେ ଓ ୧୫ତାରିଖରେ ନୂଆ ଦିଲ୍ଲୀ ଫେରିପାରନ୍ତି। ପୁରୀ ଶ୍ରୀମନ୍ଦିର ପ୍ରସଙ୍ଗରେ ସେ ବିଶେଷ ମୁହଁ ଖୋଲିବେ ନାହିଁ। ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ସମର୍ଥନକୁ ମୋଦୀଙ୍କ ନେତୃତ୍ବାଧୀନ ବିଜେପି ସରକାର ଅପେକ୍ଷା କରୁଛନ୍ତି। ଏଯାଏ ବିଜେଡି ତାର ନିଷ୍ପତ୍ତି ସ୍ପଷ୍ଟ ନ କରି ଝୁଲାଇ ରଖିଛି। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସେ କିଏ ପ୍ରାର୍ଥୀ ହେବ ତାକୁ ଅପେକ୍ଷା କରୁଛନ୍ତି। ଏହା ସତ୍ତ୍ବେ ବିଜେପିର ଆଖି ବିଜେଡି ଉପରେ ରହିଛି। ଖୋଦ୍ ଧର୍ମେନ୍ଦ୍ର ରାଷ୍ଟ୍ରପତି ରଣନୀତିର କର୍ଣ୍ଣଧାର ସାଜିଥିବାରୁ ବିଜେଡି ସହିତ ସେ ବିବାଦ କରୁନାହାନ୍ତି କିମ୍ବା ମୁହଁ ଲଢ଼ାଉ ନାହାନ୍ତି। ହେଲେ ନିର୍ବାଚନ ପରବର୍ତ୍ତୀ ପରିସ୍ଥିତିରେ ବିଜେପିର ଏହି ଆଭିମୁଖ୍ୟରେ ବଡ ପରିବର୍ତ୍ତନ ହେବ।

ଦଳର ଶୀର୍ଷସ୍ତରରୁ ମିଳୁଥିବା ଖବର ଅନୁସାରେ, ଓଡ଼ିଶାରେ କଂଗ୍ରେସକୁ ସଶକ୍ତ କରିବା ଲାଗି ଗୋଟିଏ ବଡ ରଣନୀତି ଆରମ୍ଭ ହୋଇଛି। ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ କଂଗ୍ରେସ ଆଖେଇଛି। ଏଥିପାଇଁ ତିନି ଜଣ ପୂର୍ବତନ ସାଂସଦ ମଙ୍ଗ ଧରିଛନ୍ତି। କିଛି ପୂର୍ବତନ ପ୍ରଶାସନିକ ଅଧିକାରୀ ରାହୁଲ ଗାନ୍ଧୀଙ୍କ ସହିତ ସଂପର୍କ ଅଛନ୍ତି। ଜଣେ ପୂର୍ବତନ ବିଜେଡି ସାଂସଦ ଇତିମଧ୍ୟରେ ଦୁଇଥର ରାହୁଳଙ୍କ ସହିତ କଥା ହୋଇସାରିଲେଣି ବୋଲି ସୂଚନା ମିଳୁଛି।

ଏସବୁ ଏଇଥିପାଇଁ ହେଉଛି ଯେ ଅସନ୍ତୁଷ୍ଟ ବିଜେଡି ନେତାମାନେ ବିଜେପିକୁ ଭରସା କରିପାରୁନାହାନ୍ତି। ବିଜେପି ଓ ବିଜେଡିର ନିବିଡତା ସେମାନଙ୍କୁ ବିଚଳିତ କରୁଛି। ସେମାନଙ୍କୁ ଦଳ କୋଣଠେସା କରି ବିକଳ୍ପ ରାସ୍ତା ବାଛି ନେଇଥିବାରୁ ଏହି ନେତାମାନେ ଏବେ କଂଗ୍ରେସ ଶରଣକୁ ଯିବା ଆରମ୍ଭ କଲେଣି। କଂଗ୍ରେସ ନେତାମାନେ ମୁହଁ ମୋଡୁଥିବା ବେଳେ ଓଡ଼ିଶାରେ କଂଗ୍ରେସର ନବକଳେବର ରୋଡ୍ ମ୍ୟାପ ଦିଲ୍ଲୀରେ ପ୍ରସ୍ତୁତି ଚାଲିଛି। ଏହା ଜାଣି ବିଜେପି ତାର ରଣନୀତିରେ ବ୍ୟାପକ ପରିବର୍ତ୍ତନ କରିଥିବା ଖବର ମିଳିଛି।

ସେପଟେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓ ବିଶ୍ବ ହିନ୍ଦୁ ପରିଷଦର ନେତାମାନେ ଇତିମଧ୍ୟରେ ନୂଆଦିଲ୍ଲୀରେ ବରିଷ୍ଠ ବିଜେପି ନେତାମାନଙ୍କୁ ଭେଟିଛନ୍ତି। ପୁରୀ ପ୍ରସଙ୍ଗକୁ ହାତଛଡା କରି ବିଜେପି ଅନେକ କ୍ଷତି ଘଟାଇ ସାରିଲାଣି ବୋଲି ଅଭିଯୋଗ କରିବା ସହିତ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଚେତାବନୀ ଦେଇଛନ୍ତି। ଉଭୟ ସଂଗଠନର କେନ୍ଦ୍ରୀୟ ଶୀର୍ଷ ନେତୃତ୍ବଙ୍କ ସହିତ ବ୍ୟାପକ ଆଲୋଚନା ପରେ ଏହି ପ୍ରସଙ୍ଗରେ ହାଲ୍ଲାବୋଲ୍ କରିବାକୁ ବିଜେପି ନିଷ୍ପତ୍ତି ନେଇଥିବା ଖବର ମିଳୁଛି। ଏହି କ୍ରମରେ ସମ୍ବିତ ପାତ୍ର ଓଡ଼ିଶା ଆସି ନୂଆ ଅଭିଯାନ କରିଛନ୍ତି। ଏହାଦ୍ବାରା ଅପରାଜିତାଙ୍କ ପୂର୍ବରୁ ଯାହା କରି ବାହା ବା ନେଉଥିଲେ, ତାହା ପ୍ରଭାବିତ ହୋଇଛି ଏବଂ ବିଜେପିକୁ ଏହି ପ୍ରସଙ୍ଗରେ ଆଗକୁ ବଢ଼ିବା ଲାଗି ସୁଯୋଗ ସୃଷ୍ଟି ହୋଇଛି।

ସବୁଠାରୁ ବଡ କଥା ହେଲା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରରେ ଗୋଟିଏ ବଡ ସଭା ଲାଗି ଯୋଜନା ଚାଲିଛି। ଏଥିପାଇଁ ଧର୍ମେନ୍ଦ୍ରଙ୍କ ଅତି ନିକଟତମ କୁହାଯାଉଥିବା ଶାରଦା ପ୍ରଧାନଙ୍କ ମାହାଙ୍ଗାକୁ ବଛାଯାଇଛି। ସମ୍ଭବତଃ ଚଳିତମାସ ଶେଷ ସପ୍ତାହରେ କିମ୍ବା ଆସନ୍ତା ମାସରେ ବର୍ଷାପାଗକୁ ଦେଖି ଏହି ସଭା କରାଯିବ। ଏଥିରେ ଦଳର ଶୀର୍ଷସ୍ତରୀୟ ନେତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ଏହା କେବଳ ଶକ୍ତି ପ୍ରଦର୍ଶନ ଲାଗି କରାଯିବ। ମାତ୍ର ଏହି ସଭାରୁ ବିଜେପି ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି କୁହାଯାଉଛି।

Leave A Reply

Your email address will not be published.