ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଚିର ନିଦ୍ରାରେ ସାରସ୍ୱତ ସାଧିକା ନିର୍ମଳପ୍ରଭା

0

ଭୁବନେଶ୍ୱର : ବିଶିଷ୍ଟ ସାରସ୍ୱତ ସାଧିକା ଶ୍ରୀମତୀ ନିର୍ମଳପ୍ରଭା ନାୟକଙ୍କର ଆଜି ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ସାହିତ୍ୟ, ରାଜନୀତି ଓ ସମାଜସେବା ସହ ଜଡିତ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

ଶ୍ରୀମତୀ ନାୟକ ପାଟକୁରା ଗାନ୍ଧୀ ଭାବେ ପରିଚିତ ରାଜକିଶୋର ନାୟକଙ୍କର ପତ୍ନୀ ଥିଲେ । ବିବାହ ପରେ ନିଜ ଚେଷ୍ଟାରେ ପାଠ ପଢି ସେ ଶିକ୍ଷୟତ୍ରୀ ଭାବେ ୩୫ବର୍ଷରୁ ଅଧିକ ସମୟ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ତାଙ୍କ ଲିଖିତ ସାୟାହ୍ନର ସ୍ମୃତି ପୁସ୍ତକ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛି । ଏଥିଲାଗି ଏକାଡେମୀ କର୍ତ୍ତୃପକ୍ଷ ସମ୍ମାନ ବାବଦରେ ତାଙ୍କୁ ପ୍ରଦାନ କରିଥିବା ଲକ୍ଷାଧିକ ଟଙ୍କା ସେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଦେଇଥିଲେ ।

ଏଠାରେ ଉଲ୍ଲେଖନୀୟ ଯେ ସାୟାହ୍ନର ସ୍ମୃତି ପୁସ୍ତକଟି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ୍‍ ସରକାରଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପରବର୍ତ୍ତୀ ସମୟ ଏହି ପୁସ୍ତକଟି ପାଠକୀୟ ଆଦୃତି ଲାଭ କରିବା ଯୋଗୁଁ ତାହାର ଅନେକ ସଂସ୍କରଣ ପ୍ରକାଶ ପାଇଛି । ଏମିତିକି ଏହାର ଇଂରାଜୀ ଅନୁବାଦ ‘ଟୁଇଲାଇଟ୍‍ ମେମୋରିଜ୍‍’ ମଧ୍ୟ ଇତି ମଧ୍ୟରେ ବେଶ୍‍ ଚର୍ଚ୍ଚିତ ହୋଇଛି । ଶ୍ରୀମତୀ ନାୟକଙ୍କର ଅନେକ ପୁସ୍ତକ ଇତି ମଧ୍ୟରେ ପ୍ରକାଶ ପାଇଛି । ଏହାଛଡା ବିଭିନ୍ନ ପତ୍ର ପତ୍ରିକା ପାଇଁ ସେ ନିୟମିତ ଭାବେ ଲେଖା ଲେଖୁଥିଲେ ।

ଅସୁରେଶ୍ୱର ଗୋରକ୍ଷଣୀ ସହିତ ସେ ଜଡିତ ଥିଲେ । ସେଠାରେ ଅର୍କମଣ୍ୟ ଗୋମାତାମାନଙ୍କ ସେବାରେ ନିଜ ପେନ୍‍ସନ ପଇସା ସମ୍ପୂର୍ଣ୍ଣ ଭାବେ ବ୍ୟୟ କରୁଥିଲେ । ଏହାଛଡା ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଓ ଅନ୍ୟ ସମୟରେ ମଧ୍ୟ ଶ୍ରୀମତୀ ନାୟକ ତାଙ୍କ ସେବା କାର୍ଯ୍ୟର ପରାକାଷ୍ଠା ପ୍ରଦର୍ଶନ କରିଯାଇଛନ୍ତି । ସର୍ବୋଦୟ ନେତ୍ରୀ ମା ରମାଦେବୀ, ଅନ୍ନପୂର୍ଣ୍ଣା ମହାରଣା ଇତ୍ୟାଦିଙ୍କ ନିକଟ ବଳୟରେ ସେ କାମ କରିବା ସହ ୱର୍ଦ୍ଧା ଓ ସେବାଗ୍ରାମ ଆଶ୍ରମରେ ମଧ୍ୟ ତାଲିମ ନେଇଥିଲେ ।

ତାଙ୍କ ସ୍ୱାମୀ ସ୍ୱର୍ଗତ ରାଜକିଶୋର ନାୟକ ଦୁଇ ଦୁଇଥର ବିଧାୟକ ଓ ରାଜ୍ୟ ଖଦିବୋର୍ଡର ଅଧ୍ୟକ୍ଷ ଥିଲେ ମଧ୍ୟ ଶ୍ରୀମତୀ ନାୟକ କେବେହେଲେ ଦିନକ ପାଇଁ ଖଦିବୋର୍ଡ ଗାଡି ବ୍ୟବହାର କରିନଥିଲେ । ଗାନ୍ଧୀ ଆଦର୍ଶରେ ପ୍ରଭାବିତ ହେବା ସହ ଶ୍ରୀମତୀ ନାୟକ ଠାକୁର ନିଗମାନନ୍ଦଙ୍କ ଆଧ୍ୟାତ୍ମିକ ମାର୍ଗରେ ଆକର୍ଷିତା ହୋଇଥିଲେ । ତାଙ୍କର ଦୁଇ ପୁଅ ଓ ତିନି ଝିଅ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ । ସାନ ପୁଅ ଅତନୁ ସବ୍ୟସାଚୀ ନାୟକ ଏବେ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟତମ ସଦସ୍ୟ ରହିଛନ୍ତି ।

ନିର୍ମଳପ୍ରଭା କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ସମସ୍ୟା ଭୋଗୁଥିଲେ ଏବଂ ଚାରି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟର ଅବନତି ହେବାରୁ ତାଙ୍କୁ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ଚିକିତ୍ସାଧିନ ଅବସ୍ଥାରେ ଆଜି ରାତି ପ୍ରାୟ ସାଢେ ୯ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୋମବାର ରାତିରେ ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେଉଛି ।

Leave A Reply

Your email address will not be published.