ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଚିର ନିଦ୍ରାରେ ସାରସ୍ୱତ ସାଧିକା ନିର୍ମଳପ୍ରଭା

0

ଭୁବନେଶ୍ୱର : ବିଶିଷ୍ଟ ସାରସ୍ୱତ ସାଧିକା ଶ୍ରୀମତୀ ନିର୍ମଳପ୍ରଭା ନାୟକଙ୍କର ଆଜି ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ସାହିତ୍ୟ, ରାଜନୀତି ଓ ସମାଜସେବା ସହ ଜଡିତ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

ଶ୍ରୀମତୀ ନାୟକ ପାଟକୁରା ଗାନ୍ଧୀ ଭାବେ ପରିଚିତ ରାଜକିଶୋର ନାୟକଙ୍କର ପତ୍ନୀ ଥିଲେ । ବିବାହ ପରେ ନିଜ ଚେଷ୍ଟାରେ ପାଠ ପଢି ସେ ଶିକ୍ଷୟତ୍ରୀ ଭାବେ ୩୫ବର୍ଷରୁ ଅଧିକ ସମୟ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ତାଙ୍କ ଲିଖିତ ସାୟାହ୍ନର ସ୍ମୃତି ପୁସ୍ତକ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛି । ଏଥିଲାଗି ଏକାଡେମୀ କର୍ତ୍ତୃପକ୍ଷ ସମ୍ମାନ ବାବଦରେ ତାଙ୍କୁ ପ୍ରଦାନ କରିଥିବା ଲକ୍ଷାଧିକ ଟଙ୍କା ସେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଦେଇଥିଲେ ।

ଏଠାରେ ଉଲ୍ଲେଖନୀୟ ଯେ ସାୟାହ୍ନର ସ୍ମୃତି ପୁସ୍ତକଟି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ୍‍ ସରକାରଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପରବର୍ତ୍ତୀ ସମୟ ଏହି ପୁସ୍ତକଟି ପାଠକୀୟ ଆଦୃତି ଲାଭ କରିବା ଯୋଗୁଁ ତାହାର ଅନେକ ସଂସ୍କରଣ ପ୍ରକାଶ ପାଇଛି । ଏମିତିକି ଏହାର ଇଂରାଜୀ ଅନୁବାଦ ‘ଟୁଇଲାଇଟ୍‍ ମେମୋରିଜ୍‍’ ମଧ୍ୟ ଇତି ମଧ୍ୟରେ ବେଶ୍‍ ଚର୍ଚ୍ଚିତ ହୋଇଛି । ଶ୍ରୀମତୀ ନାୟକଙ୍କର ଅନେକ ପୁସ୍ତକ ଇତି ମଧ୍ୟରେ ପ୍ରକାଶ ପାଇଛି । ଏହାଛଡା ବିଭିନ୍ନ ପତ୍ର ପତ୍ରିକା ପାଇଁ ସେ ନିୟମିତ ଭାବେ ଲେଖା ଲେଖୁଥିଲେ ।

ଅସୁରେଶ୍ୱର ଗୋରକ୍ଷଣୀ ସହିତ ସେ ଜଡିତ ଥିଲେ । ସେଠାରେ ଅର୍କମଣ୍ୟ ଗୋମାତାମାନଙ୍କ ସେବାରେ ନିଜ ପେନ୍‍ସନ ପଇସା ସମ୍ପୂର୍ଣ୍ଣ ଭାବେ ବ୍ୟୟ କରୁଥିଲେ । ଏହାଛଡା ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଓ ଅନ୍ୟ ସମୟରେ ମଧ୍ୟ ଶ୍ରୀମତୀ ନାୟକ ତାଙ୍କ ସେବା କାର୍ଯ୍ୟର ପରାକାଷ୍ଠା ପ୍ରଦର୍ଶନ କରିଯାଇଛନ୍ତି । ସର୍ବୋଦୟ ନେତ୍ରୀ ମା ରମାଦେବୀ, ଅନ୍ନପୂର୍ଣ୍ଣା ମହାରଣା ଇତ୍ୟାଦିଙ୍କ ନିକଟ ବଳୟରେ ସେ କାମ କରିବା ସହ ୱର୍ଦ୍ଧା ଓ ସେବାଗ୍ରାମ ଆଶ୍ରମରେ ମଧ୍ୟ ତାଲିମ ନେଇଥିଲେ ।

ତାଙ୍କ ସ୍ୱାମୀ ସ୍ୱର୍ଗତ ରାଜକିଶୋର ନାୟକ ଦୁଇ ଦୁଇଥର ବିଧାୟକ ଓ ରାଜ୍ୟ ଖଦିବୋର୍ଡର ଅଧ୍ୟକ୍ଷ ଥିଲେ ମଧ୍ୟ ଶ୍ରୀମତୀ ନାୟକ କେବେହେଲେ ଦିନକ ପାଇଁ ଖଦିବୋର୍ଡ ଗାଡି ବ୍ୟବହାର କରିନଥିଲେ । ଗାନ୍ଧୀ ଆଦର୍ଶରେ ପ୍ରଭାବିତ ହେବା ସହ ଶ୍ରୀମତୀ ନାୟକ ଠାକୁର ନିଗମାନନ୍ଦଙ୍କ ଆଧ୍ୟାତ୍ମିକ ମାର୍ଗରେ ଆକର୍ଷିତା ହୋଇଥିଲେ । ତାଙ୍କର ଦୁଇ ପୁଅ ଓ ତିନି ଝିଅ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ । ସାନ ପୁଅ ଅତନୁ ସବ୍ୟସାଚୀ ନାୟକ ଏବେ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟତମ ସଦସ୍ୟ ରହିଛନ୍ତି ।

ନିର୍ମଳପ୍ରଭା କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ସମସ୍ୟା ଭୋଗୁଥିଲେ ଏବଂ ଚାରି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟର ଅବନତି ହେବାରୁ ତାଙ୍କୁ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ଚିକିତ୍ସାଧିନ ଅବସ୍ଥାରେ ଆଜି ରାତି ପ୍ରାୟ ସାଢେ ୯ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୋମବାର ରାତିରେ ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେଉଛି ।

Leave A Reply

Your email address will not be published.