ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

୧୫ ଜିଲ୍ଲାର ୬୭ଟି ରୂପାନ୍ତରିତ ସରକାରୀ ଡାକ୍ତରଖାନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ୧୫ ଜିଲ୍ଲାର ୬୭ଟି ରୂପାନ୍ତରିତ ସରକାରୀ ଡାକ୍ତରଖାନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ ସହ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମଜବୁତ କରିବା ପାଇଁ କାର୍ଯ୍ୟକାରୀ ହୋଇଥିବା ରାଜ୍ୟ ସରକାରଙ୍କ ‘ଆମ ହସ୍ପିଟାଲ’ ଯୋଜନାରେ ଏହି ଚିକିତ୍ସାଳୟ ଲୋକାର୍ପଣ ହୋଇଛି। ଏଥିସହ ସୁବର୍ଣ୍ଣପୁରର ୩୦୦ ଶଯ୍ୟା ବିଶିଷ୍ଟ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଝାରସୁଗୁଡ଼ାରେ ବିଏମ ଆରସି ହୃଦରୋଗ ଚିକିତ୍ସାଳୟର ମଧ୍ୟ ଉଦଘାଟନ ହୋଇଛି।

ଆମ ହସ୍ପିଟାଲ ଯୋଜନାର ଆଜି ଦ୍ଵିତୀୟ ପର୍ଯ୍ୟାୟରେ ଅନୁଗୋଳ ଜିଲ୍ଲାରେ ୬, ବଲାଙ୍ଗୀରର ୫, ଦେବଗଡ଼ର ୧, ସୁବର୍ଣ୍ଣପୁରର ୨, ବାଲେଶ୍ଵରରେ ୮, ଭଦ୍ରକରେ ୪, କଟକରେ ୮, ଯାଜପୁରରେ ୫, ନୟାଗଡ଼ରେ ୩, ପୁରୀରେ ୫, ଖୋର୍ଦ୍ଧାରେ ୭ , ବୌଦ୍ଧରେ ୨, କୋରାପୁଟରେ ୪, ନବରଙ୍ଗପୁରରେ ୩, ଗଜପତିରେ ୨ଟି ରୂପାନ୍ତରିତ ସରକାରୀ ଚିକିତ୍ସାଳୟର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆମ ହସ୍ପିଟାଲ ଯୋଜନାର ପ୍ରଥମ ପର୍ଯ୍ୟାୟର ୭୩ଟି ରୂପାନ୍ତରିତ ଚିକିତ୍ସାଳୟର ଲୋକାର୍ପଣ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-ଟି ଉପକ୍ରମରେ ହସ୍ପିଟାଲ ଗୁଡିକର ଭିତ୍ତିଭୂମି ବ୍ୟବସ୍ଥା, ରେଗୀମାନଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଏବଂ ସେବା ଯୋଗାଇବା ପଦ୍ଧତିରେ ଉନ୍ନତି ଆଣାଯାଇଛି। ଗୁଣବତ୍ତାକୁ ମଧ୍ୟ ଏଠାରେ ସୁନିଶ୍ଚିତ କରାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନାକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ଏଥି ପାଇଁ ୨୦୨୩-୨୮ ମଧ୍ୟରେ ୩୩ ଶହ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ସଂପ୍ରତି ୧୪୯ଟି ଡାକ୍ତରଖାନାର ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି ବୋଲି ସେ ସୂଚନା ଦେଇଥିଲେ।

ରାଜ୍ୟର ସ୍ୱାସ୍ଥ୍ୟ ସେବା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଗତ ୧ ବର୍ଷ ମଧ୍ୟରେ ୪,୦୦୦ ଡାକ୍ତର ଓ ୩,୭୦୦ ରୁ ଅଧିକ ନର୍ସଙ୍କୁ ନିଯୁକ୍ତି ଦିଆଯାଇଛି। ଧନୀ, ଗରୀବ ସମସ୍ତଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ସାରା ଓଡିଶାରେ ମଡେଲ ହୋଇଛି। ଓଡିଶାବାସୀଙ୍କ ଚିକିତ୍ସା ଚିନ୍ତା ଦୂର କରିଛି। ‘ମୋ ପାଇଁ ସବୁ ଜୀବନ ମୂଲ୍ୟବାନ’ ଏହି ମନ୍ତ୍ରକୁ କାର୍ଯ୍ୟକାରୀ କରି ଆମେ ସମସ୍ତଙ୍କ ସହଯୋଗରେ ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ର ସ୍ୱପ୍ନ ନିଶ୍ଚୟ ପୂରଣ କରିବୁ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।

Leave A Reply

Your email address will not be published.