ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ଅକ୍ଟୋବର ୫ ସୁଦ୍ଧା ସହରର ସବୁ ରାସ୍ତା ମରାମତି କାମ ଶେଷ ହେବ

0

ଭୁବନେଶ୍ବର: ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ସହରର ସବୁ ରାସ୍ତା ମରାମତି କାମ କରିବାକୁ ପୂର୍ତ୍ତ ବିଭାଗ ସ୍ୱତନ୍ତ୍ର ବୈଠକରେ ନିଷ୍ପତ୍ତି ନିଆଯାଇଛି। ପାର୍ବଣକୁ ଦୃଷ୍ଟିରେ ରଖି କଟକ-ଭୁବନେଶ୍ବର ସମେତ ଅନ୍ୟ ପ୍ରମୁଖ ସହରର ରାସ୍ତା ମରାମତି କାର୍ଯ୍ୟ ଅକ୍ଟୋବର ୫ ସୁଦ୍ଧା ଶେଷ ହେବ। ଶୀଘ୍ର ଟେଣ୍ଡର କରି କାମ ଆରମ୍ଭ କରିବାକୁ ନିର୍ଦେଶ ଦେଇଛନ୍ତି ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏହାସହ ଜଳବନ୍ଦୀ ସମସ୍ୟା ଦୂର ପାଇଁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ତ୍ତମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ନିର୍ମାଣସୌଧରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଭୁବନେଶ୍ୱର ଓ କଟକ ସହର ମଧ୍ୟରେ ଥିବା ସମସ୍ତ ରାସ୍ତାର ମରାମତି ଓ ଉନ୍ନତିକରଣ କାମ କରିବାକୁ ନିଷ୍ପତ୍ତି ନିଆଯାଇଛି। କଟକ-ଭୁବନେଶ୍ୱର ଅଞ୍ଚଳରେ ବହୁ ରାସ୍ତା ଖରାପ ଥିବାରୁ ଏ ସମସ୍ତ ରାସ୍ତାକୁ ଅକ୍ଟୋବର ୫ ସୁଦ୍ଧା ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଅନ୍ୟ ସହରର ରାସ୍ତା ମରାମତି ମଧ୍ୟ ଦୁର୍ଗାପୂଜା ପୂର୍ବରୁ ସାରିବାକୁ କୁହାଯାଇଛି।

ବୈଠକରେ ଯୋଗଦେଇ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍‌ କହିଛନ୍ତି, ଆମେ ଗଣେଶପୂଜା ବୁଲିବା ବେଳେ ଅନେକ ରାସ୍ତା ସମସ୍ୟା ଦେଖିଛୁ। ସେ ସବୁର ତାଲିକା କଟକ ମହାନଗର ନିଗମ(ସିଏମ୍‌ସି)କୁ ଦେଇଛୁ। ନିର୍ଦ୍ଧାରିତ ସମୟ ଭିତରେ ରାସ୍ତା ଓ ଡ୍ରେନ୍‌ କାମ ସାରିବାକୁ ଦାବି କରିଛୁ ବୋଲି ସେ କହିଛନ୍ତି। ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ରାସ୍ତା ଓ ନାଳ କାମ ବେଳେ ବିଭାଗ ବିଭାଗ ମଧ୍ୟରେ ସମନ୍ବୟ ରହୁ ନଥିବା କହିବା ସହ କିଭଳି ସମନ୍ୱୟ ରହିବ, ସେ ନେଇ ଗୁରୁତ୍ୱ ଦେବାକୁ କହିଥିଲେ। ଯାତାୟାତ ସୁଗମ କରିବାକୁ କଟକ ଓ ଭୁବନେଶ୍ୱର ରାସ୍ତାର ଅବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ଭୁବନେଶ୍ୱର ଅଞ୍ଚଳର ମୋଟ ୮୧୮ଟି ରାସ୍ତାର ୭୯୮ କି.ମି ମଧ୍ୟରୁ ୪୬୭ ରାସ୍ତାର ୫୬୫ କି.ମି ରାସ୍ତା ଭଲ ଅଛି। ୨୮୯ଟି ରାସ୍ତାର ୧୫୦ କି.ମି ରାସ୍ତା ସାମାନ୍ୟ ମରାମତି ଏବଂ ୬୨ଟି ରାସ୍ତାର ୭୧ କି.ମି ରାସ୍ତା ଅଧିକ ମରାମତି ଆବଶ୍ୟକ ଥିବା ଅଧିକାରୀ ଜଣାଇଥିଲେ।

ସେହିପରି କଟକ ଅଞ୍ଚଳର ମୋଟ ୯୫ଟି ରାସ୍ତାର ୧୯୭ କି.ମି ରାସ୍ତା ମଧ୍ୟରୁ ୬୧ଟି ରାସ୍ତାର ୧୧୭ କି.ମି ରାସ୍ତା ଭଲ ଥିବାବେଳେ ୨୭ଟି ରାସ୍ତାର ୭୦ କି.ମି ରାସ୍ତା ସାମାନ୍ୟ ମରାମତି ଏବଂ ୭ଟି ରାସ୍ତାର ୯ କି.ମି ରାସ୍ତାର ଅଧିକ ମରାମତି ଆବଶ୍ୟକ ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ତାଙ୍କ ଅଞ୍ଚଳର ୧୦ଟି ରାସ୍ତା ଏବଂ ସେତୁ ପାଇଁ ଦୀର୍ଘ ଦିନ ହେଲାଣି ଟେଣ୍ଡର ସରିଥିଲେ ମଧ୍ୟ କାମ ହୋଇପାରୁନଥିବା ଜଣାଇଥିଲେ। ବିଜେପି ନେତା ଜଗନ୍ନାଥ ପ୍ରଧାନ ବିଭାଗ ମଧ୍ୟରେ ସମନ୍ୱୟ ରହୁ ନ ଥିବାରୁ ରାଜସ୍ୱହାନି ସହ ସମସ୍ୟା ହେଉଥିବା କହିଥିଲେ। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମହାନଗର ନିଗମ, ପୂର୍ତ୍ତ ଏବଂ ଜାତୀୟ ରାଜପଥ ପ୍ରାଧିକରଣ ନିକଟରେ ଥିବା ସମସ୍ତ ରାସ୍ତାର ମରାମତି ପାଇଁ ଶୀଘ୍ର ଟେଣ୍ଡର କରି ଅକ୍ଟୋବର ୫ ଭିତରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦେଇଥିଲେ । ଉଭୟ ସହରରେ ଥିବା ନାଳରେ ଢାଙ୍କୁଣି(ସ୍ଲାବ୍‌) ପକାଇବା, ଜାତୀୟ ରାଜପଥ ଏବଂ ସର୍ଭିସ୍‌ ରୋଡ଼ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମେୟର ସୁଲୋଚନା ଦାସ, ଚୌଦ୍ୱାର-କଟକ ବିଧାୟକ ସୌଭିକ୍‌ ବିଶ୍ୱାଳ, ବାରବାଟୀ-କଟକ ବିଧାୟିକା, କଟକ ମହାନଗର ନିଗମ (ସିଏମ୍‌ସି) ମେୟର ସୁବାସ ସିଂହ, ବିଜେପି ନେତା ଦିଲୀପ ମହାନ୍ତି, ନୟନ କିଶୋର ମହାନ୍ତି, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ସ୍ୱତନ୍ତ୍ର ଶାସନ ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.