ଭୁବନେଶ୍ବର: ରାଜଧାନୀରେ ଡବଲ୍ ଏନକାଉଣ୍ଟର। ଦୁଇ କୁଖ୍ୟାତ ଲୁଟେରାଙ୍କୁ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସ। ପୋଲିସର ଏନକାଉଣ୍ଟରରେ ଦୁଇ ବିହାରୀ ଲୁଟେରା ଆହତ। ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ଗୁରୁବାର ରାତିରେ କୁଆଖାଇ ନଦୀପଠା ବାଙ୍କୁଆଳ ଠାରେ ଏହି ଏନକାଉଣ୍ଟର ହୋଇଥିଲା। ଦୁଇ ଅପରାଧୀ ସୋନୁ ଯାଦବ ଓ ମନୀଷ ଯାଦବ ରାଜଧାନୀର ବିଭିନ୍ନ ସ୍ଥାନରେ ସୁନା ଚେନ ଲୁଟ କରିଥିଲେ । ଏନେଇ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତଦ୍ୱୟ ଟ୍ରେନ୍ରେ ଯାତାୟାତ କରୁଥିବାବେଳେ ବିଭିନ୍ନ ଷ୍ଟେଶନରୁ ବାଇକ୍ ଚୋରି କରୁଥିଲେ। ଉକ୍ତ ଚୋରା ବାଇକରେ ସହର ସାରା ବୁଲି ଲୁଟ୍ କରୁଥିଲେ। ପରେ ବାଇକକୁ ଷ୍ଟେଶନରେ ଥୋଇ ଘରକୁ ଚାଲିଯାଉଥିଲେ। ଗତ ମାର୍ଚ୍ଚ ୨୦ରେ ଲୁଟେରାଦ୍ୱୟ ଭୁବନେଶ୍ୱରରେ ୬ଟି ଲୁଟ୍କାଣ୍ଡ ଭିଆଇ ପୋଲିସର ଚିନ୍ତା ବଢ଼ାଇଥିଲେ। ସେଥିମଧ୍ୟରୁ ଶ୍ରୀଲିଙ୍ଗରାଜ ଥାନା, ମଞ୍ଚେଶ୍ୱର, କ୍ୟାପିଟାଲ, ଚନ୍ଦ୍ରଶେଖରପୁରରେ ଗୋଟିଏ ଓ ବଡ଼ଗଡ ଥାନା ଅଞ୍ଚଳରେ ଦୁଇ ମାମଲା ରହିଥିଲା। ସିସିଟିଭି ଫୁଟେଜ୍ରୁ ଲୁଟେରାଦ୍ୱୟଙ୍କୁ ପୋଲିସ ଚିହ୍ନଟ କରି ସେମାନଙ୍କ ଉପରେ କଡ଼ା ନଜର ରଖିଥିଲା। ଗୁରୁବାର ରାତି ପ୍ରାୟ ୧୦ଟାରେ ଲୁଟେରାଦ୍ୱୟ କଟକ-ପୁରୀ ବାଇପାସ ରୋଡରେ ବୁଲାବୁଲି କରୁଥିବା ପୋଲିସକୁ ସୂଚନା ମିଳିଥିଲା। ସ୍ପେଶାଲ ସ୍କ୍ବାଡ୍ ନେତୃତ୍ୱରେ ପୋଲିସ ଟିମ୍ ଉଭୟଙ୍କୁ କାବୁ କରିବାକୁ ଜାଲ ବିଛାଇଥିଲା। ତେବେ ପୋଲିସ ଟିମ୍ ଖୋଜାଖୋଜି କରୁଥିବା ବେଳେ ସାଇମନ୍ଦିର ଛକ ନିକଟରେ ଲୁଟେରାଙ୍କ ସହ ଭେଟ ହୋଇଥିଲା। ପୋଲିସକୁ ଦେଖି ଲୁଟେରାଦ୍ୱୟ ଟଙ୍କପାଣି ବ୍ରିଜ୍ ଆଡ଼କୁ ଦ୍ରୁତଗତିରେ ବାଇକ୍ ମୁହାଁଇଥିଲେ। ପରେ ସେମାନେ ବାଙ୍କୁଆଳ ବାଲିଯାତ୍ରା ଆଡ଼କୁ ଯାଉଥିବାବେଳେ ଏକ ସିମେଣ୍ଟ ପାଚେରିରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୋଲିସକୁ ଦେଖି ସେମାନେ ବନ୍ଧୁକ ଚଳାଇଥିଲେ। ଏହାର ଜବାବରେ ପୋଲିସ ମଧ୍ୟ ଗୁଳି ଚଳାଇଥିଲା। ଏହି ସମୟରେ ପରସ୍ପର ମଧ୍ୟରେ ୮ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା। ଏହି ଗୁଳିମାଡ଼ରେ ପୋଲିସ ବର୍ତ୍ତି ଯାଇଥିବାବେଳେ ଲୁଟେରାଦ୍ୱୟ ଆହତ ହୋଇ ତଳେ ପଡ଼ିଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୩ ତାରିଖ ପାହାନ୍ତାରେ କଟକ-ପୁରୀ ବାଇପାସ୍ ରୋଡ କେଶୁରା ନିକଟରେ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରା ଗ୍ୟାଙ୍ଗ ଓ ପୋଲିସ ଟିମ୍ ମୁହାଁମୁହିଁ ହୋଇଥିଲେ। ପୋଲିସ ଗୁଳିରେ ଜଣେ ଲୁଟେରା ଆହତ ହୋଇଥିବାବେଳେ ଦୁଇଜଣ ଧରାପଡ଼ିଥିଲେ। ସେହିପରି ଫେବୃଆରୀ ୧୭ ଭୋର ବେଳେ ଆପାର୍ଟମେଣ୍ଟ ଲୁଟେରାଙ୍କୁ ବାଲିଅନ୍ତା ଅଞ୍ଚଳରେ ପୋଲିସ ଏନ୍କାଉଣ୍ଟର କରିଥିଲା। ଏହି ସମୟରେ ୫ଜଣ ଖସି ପଳାଇଥିବା ବେଳେ ଜଣେ ଲୁଟେରା ଆହତ ହୋଇଥିଲେ।