ପ୍ରମୁଖ ଖବର

ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ: ଶାର୍ପ ସୁଟର ସହ ୩ ଗିରଫ
ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିଚି ଆସନ ଛାଡିଲେ ବିଜୟ
ମୁମ୍ବଇ-ପୁଣେ ଏକ୍ସପ୍ରେସୱେରେ ସୁପ୍ରିୟା ସୁଲେଙ୍କ କାର୍‌କୁ ଧକ୍କା, ଅଳ୍ପକେ ବର୍ତ୍ତିଲେ ସାଂସଦ
ଜୁଲାଇ ୧ରୁ ଲାଗୁ ହେବ ‘ଭିବି-ଜିରାମ-ଜି’ ଆଇନ
ମୋଦୀଙ୍କ ଦେଶବାସୀଙ୍କୁ ଆହ୍ୱାନ:‘ଗୋଟିଏ ବର୍ଷ ‘ସୁନା କିଣନ୍ତୁ ନାହିଁ,ୱାର୍କ ଫ୍ରମ୍ ହୋମ୍‌ କରନ୍ତୁ -ଇନ୍ଧନ ସଞ୍ଚୟ କରନ୍ତୁ’

ଭେଟେରାନ ଅଭିନେତା ମନୋଜ କୁମାରଙ୍କ ପରଲୋକ

0

ମୁମ୍ବାଇ: ପ୍ରସିଦ୍ଧ ଭେଟେରାନ ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ମନୋଜ କୁମାରଙ୍କ ପରଲୋକ ହୋଇଛି। ୮୭ ବର୍ଷ ବୟସରେ ମୁମ୍ବାଇସ୍ଥିତ କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମନୋଜ କୁମାରଙ୍କ ଶେଷକୃତ୍ୟ ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନରେ କରାଯିବ।

ମନୋଜ କୁମାର ଜଣେ କିମ୍ବଦନ୍ତୀ ନାୟକ ଥିଲେ। ସେ ପରଦାରେ ଅନେକ ସୁପରହିଟ୍‌ ଚରିତ୍ରରେ ଅଭିନୟ କରିଥିଲେ। ମନୋଜ କୁମାର ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ଲୋକଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିଥିଲେ ଏବଂ ସେ ଦେଶାତ୍ମବୋଧକ ଚଳଚ୍ଚିତ୍ର ନିର୍ମାଣ କରିବାରେ ପ୍ରଥମ ବଲିଉଡ ଅଭିନେତା ହୋଇଥିଲେ। ମନୋଜ କୁମାର ନିଜର ଦେଶାତ୍ମକ ଫିଲ୍ମଗୁଡିକ ପାଇଁ ବେଶ୍ ଲୋକପ୍ରିୟ ରହିଥିଲେ। ତାଙ୍କୁ ଶ୍ରଦ୍ଧାରେ ‘ଭାରତ କୁମାର’ ବୋଲି ଡକାଯାଉଥିଲା। ସେ ‘କ୍ରାନ୍ତି’, ‘ଉପକାର’, ‘ମୈଦାନୀ ଜଙ୍ଗ’ ଇତ୍ୟାଦି ଅନେକ ଦେଶାତ୍ମକବୋଧ ଫିଲ୍ମରେ ଅଭିନୟ କରି ବିପୁଳ ଲୋକପ୍ରିୟତା ସାଉଁଟିଥିଲେ। ଭାରତୀୟ ସିନେମା ଜଗତକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୨ରେ ପଦ୍ମଶ୍ରୀ ଏବଂ ୨୦୧୫ରେ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ମନୋଜ କୁମାରଙ୍କ ଜନ୍ମ ୨୪ ଜୁଲାଇ ୧୯୩୭ରେ ପାକିସ୍ତାନର ଆବୋଟାବାଦରେ ହୋଇଥିଲା। ବିଭାଜନ ପରେ ତାଙ୍କ ପରିବାର ପାକିସ୍ତାନରୁ ଦିଲ୍ଲୀ ଆସିଥିଲେ। ତାଙ୍କର ପ୍ରକୃତ ନାଁ ହରିକ୍ରିଷ୍ଣା ଗିରି ଗୋସ୍ୱାମୀ। ତାଙ୍କ ସମଗ୍ର ପରିବାରକୁ ଭାରତରେ ଶରଣାର୍ଥୀ ଶିବିରରେ ଦୀର୍ଘ ସମୟ ବିତାଇବାକୁ ବାଧ୍ୟ କରାଯାଇଥିଲା। ଏହି ସମୟ ମଧ୍ୟରେ ସେ ତାଙ୍କ ସାନ ଭାଇକୁ ମଧ୍ୟ ହରାଇଥିଲେ। ସେ ବଡ଼ ହେବାପରେ ଏହି କ୍ରୋଧ ଏବଂ ଯନ୍ତ୍ରଣାକୁ ଦେଶପ୍ରେମପୂର୍ଣ୍ଣ ଚଳଚ୍ଚିତ୍ରରେ ଏପରି ଭାବରେ ରୂପ ଦେଇଥିଲେ ଲୋକମାନେ ତାଙ୍କ ପ୍ରକୃତ ନାମ ମଧ୍ୟ ଭୁଲିଗଲେ।

ସେ ଚଳଚ୍ଚିତ୍ର ପ୍ରତି ଏତେ ଆଗ୍ରହୀ ଥିଲେ ଯେ ଦିଲୀପ କୁମାରଙ୍କ ଚଳଚ୍ଚିତ୍ର ଶବନମ ପରେ ସେ ତାଙ୍କ ନାମକୁ ମନୋଜ କୁମାର ରଖିଥିଲେ। ଦିଲୀପ କୁମାରଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ତାଙ୍କର ନାମ ରଖିଥିଲେ। ଏହା ପରେ ସେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ। ୧୯୬୦ରେ ‘କାଞ୍ଚ୍ କି ଗୁଡିଆ’ ଫିଲ୍ମ ଜରିଆରେ ରୋମାଣ୍ଟିକ ହିରୋ ଭାବେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ପରବର୍ତ୍ତୀ ସମୟରେ ଅଧିକରୁ ଅଧିକ ଦେଶାତ୍ମକବୋଧ ଫିଲ୍ମରେ ଅଭିୟନ କରି ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ। ସେ ଅନେକ ଫିଲ୍ମରେ ନିର୍ଦ୍ଦେଶନା ବି ଦେଇଥିଲେ। ୨୦୧୫ରେ ସେ ଦାଦାସାହେବ ଫାଲକେ ସମ୍ମାନ ଲାଭ କରିଥିଲେ । ତାଙ୍କର ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।
ମନୋଜ କୁମାରଙ୍କୁ ପଦ୍ମଶ୍ରୀ, ଦାଦାସାହେବ ଫାଲକେ ପୁରସ୍କାର ସହିତ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି। ୧୯୫୭ ମସିହାରେ ତାଙ୍କ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ମନୋଜ କୁମାର ୧୯୫୬ ମସିହାରେ ରାତାରାତି ଷ୍ଟାର ହୋଇଗଲେ। ଶହୀଦ ଚଳଚ୍ଚିତ୍ରରେ ଭଗତ ସିଂହଙ୍କ ଭୂମିକା ନିଭାଇବା ପରେ ତାଙ୍କୁ ସବୁଠି ପ୍ରଶଂସା କରାଯାଇଥିଲା। ଏହା ପରେ ସେ କେବେ ପଛକୁ ଫେରି ଚାହିଁ ନ ଥିଲେ।

ମନୋଜ କୁମାରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ମନୋଜଙ୍କ ଦେହାନ୍ତରେ ମୁଁ ଦୁଃଖିତ। ଭାରତୀୟ ସିନେମାର ଆଇକନ, ଦେଶାତ୍ମକ ଚିନ୍ତାଧାରା ପାଇଁ ସେ ପରିଚିତ ଥିଲେ। ତାଙ୍କ କାର୍ଯ୍ୟ ଜାତୀୟ ଭାବନାକୁ ପ୍ରଜ୍ବଳିତ କରିଥିଲା ଏବଂ ସର୍ବଦା ପ୍ରେରଣା ଦେବ। ଏଥିସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Leave A Reply

Your email address will not be published.