ପ୍ରମୁଖ ଖବର

କୋଲାବ ଜଳଭଣ୍ଡାରରେ ବୁଡ଼ି ୩ ନବୋଦୟ ଛାତ୍ରଙ୍କ ମୃତ୍ୟୁ
ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ପୋଖରୀରେ ବୁଡ଼ି ୨ ନାବାଳିକା ମୃତ
ଭିଜିଲାନ୍ସ ଜାଲରେ ଡେରାବିଶ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ହିନ୍ଦୀ ଶିକ୍ଷକ ଅଟକ

କାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ

0

ଭୁବନେଶ୍ବର: ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନ। ମଙ୍ଗଳବାରଠୁ ଆରମ୍ଭ ହେଉଥିବା ବିଧାନସଭାର ବଜେଟ୍ ଅଧିବେଶନ ୨୦୨୬ ନେଇ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୨୯ ଦିନ ଧରି ଚାଲିବାକୁ ଥିବା ଏହି ସେସନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୦ ତାରିଖରେ ଗୃହରେ ବଜେଟ୍ ଉପସ୍ଥାପନ କରିବେ।

ଏଥର ଅଧିବେଶନ ଗରମ ହେବାର ସମ୍ଭାବନା ରହିଛି। ଧାନ ମଣ୍ଡି ସମସ୍ୟା, ମହାନଦୀ ଜଳ ବିବାଦ, ମୋଟରଯାନ ପ୍ରଦୂଷଣ ପ୍ରମାଣପତ୍ର କଟକଣା, ଆଇନଶୃଙ୍ଖଳା ଓ ଏସଆଇଆର୍ ଭଳି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ବିଜୁ ଜନତା ଦଳ ଓ ଭାରତୀୟ ଜାତୀୟ କଂଗ୍ରେସ ପ୍ରସ୍ତୁତ ହୋଇଛନ୍ତି। ତାହାକୁ ପ୍ରତିଉତ୍ତର ଦେବା ପାଇଁ ଶାସକ ଭାରତୀୟ ଜନତା ପାର୍ଟି ମଧ୍ୟ ରଣନୀତି ତିଆରି କରୁଛି।
ଅଧିବେଶନ ସୁଚାରୁ ଚାଲିବା ପାଇଁ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ସାମିଲ ହୋଇଥିଲେ। ଗୃହ କିପରି ଶାନ୍ତି ଓ ଶୃଙ୍ଖଳାରେ ଚାଲିବ, ସେନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଲୋଚନା କରିଥିଲେ।

ଅନ୍ୟପଟେ, ବଜେଟ୍ ଅଧିବେଶନ ପୂର୍ବରୁ ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗଠିତ ହୋଇଛି। ୩୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ଏସଓଜି କମାଣ୍ଡୋ ମୁତୟନ ହେବେ। ବିଧାନସଭା ଭିତରେ ଓ ବାହାରେ ଡଗ୍ ସ୍କ୍ୱାଡ୍, ବମ୍ ସ୍କ୍ୱାଡ୍, ସ୍ନେକ୍ ହେଲ୍ପଲାଇନ୍ ଓ ଅଗ୍ନିଶମ ବିଭାଗକୁ ନିୟୋଜିତ କରାଯାଇଛି। ୨୦ ପ୍ଲାଟୁନ୍ ପୁଲିସ ଚତୁଃପାର୍ଶ୍ୱକୁ ଘେରି ରହିବେ ଏବଂ ସମଗ୍ର ଅଞ୍ଚଳ ସିସିଟିଭି ସର୍ଭିଲାନ୍ସ ଅଧୀନରେ ରହିବ।

ବିଧାନସଭା ସାମ୍ନାରେ ୫ଟି ଅସ୍ଥାୟୀ ପୁଲିସ କ୍ୟାମ୍ପ୍ ହାଉସ୍ ଓ ଗୋଟିଏ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି। ଗାନ୍ଧିମାର୍ଗକୁ ଏଆଇ କ୍ୟାମେରା ସର୍ଭିଲାନ୍ସରେ ରଖାଯାଇଥିବା ବେଳେ ଗୁଇନ୍ଦା ବିଭାଗ ସାଧା ପୋଷାକରେ ରାଜଧାନୀର ବିଭିନ୍ନ ସ୍ଥାନରେ ତଥ୍ୟ ସଂଗ୍ରହ କରିବେ। ସମଗ୍ର ଆଇନଶୃଙ୍ଖଳା ବ୍ୟବସ୍ଥାର ଦାୟିତ୍ୱ ଭୁବନେଶ୍ୱର ଡିସିପିଙ୍କ ଉପରେ ରହିବ।

Leave A Reply

Your email address will not be published.