ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ

0

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ, କବି, ନାଟ୍ୟକାର ଓ ଔପନ୍ୟାସିକ ଜଗନ୍ନାଥ ପ୍ରସାଦ ଦାସଙ୍କର ୯୦ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି। ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ମୃତ୍ୟୁ ପୂର୍ବରୁ ଏମ୍‌ସ୍‌କୁ ଶରୀର ଦାନ କରିବା ନିମନ୍ତେ ସେ ପଞ୍ଜୀକରଣ କରିଥିଲେ। ଏହିକ୍ରମରେ ଆଜି ତାଙ୍କ ମରଶରୀରକୁ ଭୁବନେଶ୍ବର ଏମ୍‌ସ୍‌ର ମେଡିକାଲ୍‌ ସୁପରିନ୍‌ଟେଣ୍ଡେଣ୍ଟ୍‌ ପ୍ରଭାସ ରଞ୍ଜନ ତ୍ରିପାଠୀ ଓ ସ୍ବର୍ଗତ ଦାସଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଦାନ କରାଯାଇଛି। ସ୍ବର୍ଗତ ଦାସଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ, ନାଟ୍ୟ ଓ ସାଂସ୍କୃତିକ ଜଗତରେ ଶୋକର ଛାୟା ଖେଳିଯାଇଛି। ବହୁ ସାହିତ୍ୟିକ, କଳାକାର, ବୁଦ୍ଧିଜୀବୀ ଓ ରାଜନେତା ତାଙ୍କ ନିଧନ ଖବର ଶୁଣିବା ପରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳନେତା ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି।

ତାଙ୍କ ପ୍ରୟାସରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ବହୁ ମୂଲ୍ୟବାନ ସୃଷ୍ଟି ସ୍ୱିଡିସ୍, ଉର୍ଦ୍ଦୁ, ଫରାସୀ ଓ ଇଂରାଜୀ ଭଳି ବିଭିନ୍ନ ଭାଷାର ପାଠକଙ୍କ ନିକଟରେ ପହଞ୍ଚିପାରିଥିଲା। ଏହା ମାଧ୍ୟମରେ ସେ ଓଡ଼ିଶାର ସାହିତ୍ୟିକ ଓ ସାଂସ୍କୃତିକ ଐତିହ୍ୟକୁ ଆନ୍ତର୍ଜାତିକ ସ୍ତରରେ ପରିଚିତ କରାଇବାରେ ସଫଳ ହୋଇଥିଲେ। ‘ଆହ୍ନିକ’ କୃତି ପାଇଁ ସେ ସାହିତ୍ୟ ଏକାଡେମି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ପରେ ‘ପରିକ୍ରମା’ ପାଇଁ ଦେଶର ଅନ୍ୟତମ ମର୍ଯ୍ୟାଦାଜନକ ‘ସରସ୍ୱତୀ ସମ୍ମାନ’ ପାଇଥିଲେ। ସାହିତ୍ୟ ସହିତ ଓଡ଼ିଶାର ଚିତ୍ରକଳା ଓ ଲୋକକଳା ଐତିହ୍ୟ ଉପରେ ମଧ୍ୟ ତାଙ୍କର ଗଭୀର ଗବେଷଣା ଥିଲା। ‘ପୁରୀ ପେଣ୍ଟିଂସ୍’ ଓ ‘ପାମ୍-ଲିଫ୍ ମିନିଏଚର୍ସ’ ଭଳି ତାଙ୍କର ଗବେଷଣାଧର୍ମୀ ପୁସ୍ତକଗୁଡ଼ିକ ଓଡ଼ିଶାର ପଟ୍ଟଚିତ୍ର ଓ ତାଳପତ୍ର ଚିତ୍ରକଳା ପରମ୍ପରାକୁ ଦଲିଲଭୁକ୍ତ କରିବା ସହ ଏହାର ଐତିହାସିକ ଓ କଳାତ୍ମକ ମୂଲ୍ୟକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲା।

ପୁରୀ ଜିଲ୍ଲାରେ ୧୯୩୬ ମସିହାରେ ଜନ୍ମଗ୍ରହଣ କରିଥିବା ଜଗନ୍ନାଥ ପ୍ରସାଦ ଦାସ ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟରତ ଥିବା ସତ୍ତ୍ୱେ ସାହିତ୍ୟ ସାଧନାକୁ ନିଜ ଜୀବନର ମୂଳ ଲକ୍ଷ୍ୟ କରିଥିଲେ। ସେ କବିତା, ଗଳ୍ପ, ଉପନ୍ୟାସ, ନାଟକ ଏବଂ ଚିତ୍ରକଳା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ଐତିହାସିକ ଉପନ୍ୟାସ ‘ଦେଶ କାଳ ପାତ୍ର’ ତାଙ୍କୁ ବ୍ୟାପକ ଖ୍ୟାତି ଦେଇଥିଲା। ସେହିପରି ତାଙ୍କ କବିତା ସଂକଳନ ‘ଆହ୍ନିକ’ ପାଇଁ ୧୯୯୦ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସେ ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ସମ୍ମାନ ଲାଭ କରିଥିଲେ।

ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ମାଧ୍ୟମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଜଗନ୍ନାଥ ପ୍ରସାଦ ଦାସ କେବଳ ଜଣେ ଉଚ୍ଚକୋଟୀର ସାହିତ୍ୟିକ ନୁହେଁ, ବରଂ ଜଣେ ଦକ୍ଷ ପ୍ରଶାସକ ଭାବେ ମଧ୍ୟ ରାଜ୍ୟ ଓ ଦେଶର ସେବା କରିଥିଲେ। ସାହିତ୍ୟର ପ୍ରତ୍ୟେକ ବିଭାଗରେ ତାଙ୍କ ସୃଜନଶୀଳତାର ସ୍ୱତନ୍ତ୍ର ଛାପ ରହିଛି ଏବଂ ତାଙ୍କ ବିୟୋଗ ସାରସ୍ୱତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ଜଗନ୍ନାଥ ପ୍ରସାଦ ଦାସଙ୍କ ଅବଦାନ ଓଡ଼ିଆ ସାହିତ୍ୟ ଇତିହାସରେ ଚିରସ୍ମରଣୀୟ ହୋଇ ରହିବ। ତାଙ୍କ ସୃଷ୍ଟି ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ।

Leave A Reply

Your email address will not be published.