ପ୍ରମୁଖ ଖବର

ଆରଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସହ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌
ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା
+୨ ପରୀକ୍ଷାରେ ବଦଳିବ ନିୟମ, ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ
ମିଶ୍ରିତ ପେଟ୍ରୋଲ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍‌, ୨,୫୭୩ ପମ୍ପରେ ବନ୍ଦ ହେଲା ବିକ୍ରି
ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ନୀରଜ ଚୋପ୍ରା
ଇରାନ ଆମେରିକା ଯୁଦ୍ଧର ପ୍ରଭାବ: ପୁଣି ବଢ଼ିଲା ସିଏନଜି ଦର, ୪ ମାସରେ ୧୦ ଟଙ୍କା ମହଙ୍ଗା

ଚାଉଳ ମିଲିଂ ଦର ଦ୍ୱିଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ରାଜ୍ୟରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଧିକ ସୁରୁଖୁରୁରେ ଓ ବାଧାମୁକ୍ତ କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଚାଉଳର ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ମିଲରମାନଙ୍କ ଦୀର୍ଘଦିନର ଦାବି ପୂରଣ ହେବା ସହ ଧାନ ସଂଗ୍ରହ ଓ ଚାଉଳ ପ୍ରକ୍ରିୟାକରଣ ବ୍ୟବସ୍ଥାରେ ଗତି ଆସିବ ବୋଲି ଆଶା କରାଯାଉଛି। ଉଷୁନା ଚାଉଳର ମିଲିଂ ଦର କ୍ୱିଣ୍ଟାଲ ପିଛା ବର୍ତ୍ତମାନ ୨୦ ଟଙ୍କା ଥିବା ବେଳେ ଏହାକୁ ବୃଦ୍ଧି କରି ୪୦ ଟଙ୍କା କରାଯାଇଛି। ସେହିପରି ଅରୁଆ ଚାଉଳର ମିଲିଂ ଦର କ୍ୱିଣ୍ଟାଲ ପିଛା ୧୦ ଟଙ୍କାରୁ ବଢ଼ାଇ ୨୦ ଟଙ୍କା କରାଯାଇଛି। ଅର୍ଥାତ୍ ଉଭୟ କ୍ଷେତ୍ରରେ ମିଲିଂ ଦରକୁ ଦ୍ୱିଗୁଣ କରାଯାଇଛି।

ସରକାରଙ୍କ ମତରେ, ଗତ କିଛି ବର୍ଷ ମଧ୍ୟରେ ଶ୍ରମିକ ମଜୁରୀ, ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ମିଲିଂ ସମ୍ବନ୍ଧୀୟ ସାମଗ୍ରୀର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। କିନ୍ତୁ ସେହି ଅନୁପାତରେ ମିଲିଂ ଦର ବୃଦ୍ଧି ହୋଇନଥିବାରୁ ମିଲରମାନେ ଆର୍ଥିକ ଚାପର ସମ୍ମୁଖୀନ ହେଉଥିଲେ। ଏଥିସହ ଦେଶର ଅନ୍ୟାନ୍ୟ ରାଜ୍ୟରେ ମିଲିଂ ଦର ଓଡ଼ିଶା ତୁଳନାରେ ଅଧିକ ଥିବାରୁ ରାଜ୍ୟର ମିଲରମାନେ ଦୀର୍ଘଦିନ ଧରି ଦର ବୃଦ୍ଧି ଦାବି କରୁଥିଲେ। ନୂତନ ଦର ଲାଗୁ ହେବା ପରେ ମିଲରମାନଙ୍କ ଆର୍ଥିକ ଭାର କିଛି ପରିମାଣରେ କମିବ ଏବଂ ଧାନରୁ ଚାଉଳ ପ୍ରସ୍ତୁତି ପ୍ରକ୍ରିୟା ଅଧିକ ସୁଚାରୁ ଭାବେ ସମ୍ପନ୍ନ ହେବ ବୋଲି ଆଶା କରାଯାଉଛି। ଏହାର ସିଧାସଳଖ ପ୍ରଭାବ ଚାଷୀଙ୍କ ଉପରେ ମଧ୍ୟ ପଡ଼ିବ। ମିଲରମାନଙ୍କ ସମସ୍ୟା ଦୂର ହେଲେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହେବ ଏବଂ ଧାନ ବିକ୍ରି ସମୟରେ ସେମାନଙ୍କୁ ଅନାବଶ୍ୟକ ବିଳମ୍ବର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ସରକାରଙ୍କ ପ୍ରାଥମିକତା। ଏହି ନିଷ୍ପତ୍ତି ଦ୍ୱାରା ଧାନ ସଂଗ୍ରହ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଶକ୍ତିଶାଳୀ କରିବ। ସରକାରଙ୍କ ଏହି ପଦକ୍ଷେପକୁ ଚାଷୀ ଓ ମିଲର ସଂଗଠନମାନେ ସ୍ୱାଗତ କରିଛନ୍ତି।

Leave A Reply

Your email address will not be published.