ଭୁବନେଶ୍ୱର: ରାଜ୍ୟରେ ଶିଶୁଙ୍କ ଟିକାକରଣ ହାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଟିକାକରଣ ହାର ଶତପ୍ରତିଶତରୁ କମ୍ ଥିଲେ ମଧ୍ୟ ଏହା ସନ୍ତୋଷଜନକ ସ୍ତରରେ ପହଞ୍ଚିଥିବା କୁହାଯାଇଛି। ବିଶେଷକରି ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଶିଶୁ ଟିକାକରଣ ହାର ଅଧିକ ରହିଥିବା ତଥ୍ୟ ସାମ୍ନାକୁ ଆସିଛି।
ନିକଟରେ ପ୍ରକାଶିତ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍ଏଫ୍ଏଚ୍ଏସ୍-୬) ରିପୋର୍ଟ ଅନୁଯାୟୀ, ୧୨ରୁ ୨୩ ମାସ ବୟସର ଶିଶୁଙ୍କ ମଧ୍ୟରେ ଯେକୌଣସି ଟିକା ଗ୍ରହଣ କରିଥିବା ହାର ସହରାଞ୍ଚଳରେ ୯୪.୪ ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ଏହା ୯୬.୩ ପ୍ରତିଶତ ରହିଛି। ସେହିପରି ବିସିଜି ଟିକା ନେଇଥିବା ଶିଶୁଙ୍କ ହାର ସହରାଞ୍ଚଳରେ ୯୨.୫ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୯୫.୮ ପ୍ରତିଶତ ରହିଛି।
ପୋଲିଓର ତୃତୀୟ ଡୋଜ୍ ନେବା କ୍ଷେତ୍ରରେ ମଧ୍ୟ ଗ୍ରାମାଞ୍ଚଳ ଶିଶୁମାନେ ଆଗରେ ରହିଛନ୍ତି। ସହରାଞ୍ଚଳରେ ୮୫.୧ ପ୍ରତିଶତ ଶିଶୁ ଏହି ଡୋଜ୍ ନେଇଥିବା ବେଳେ ଗ୍ରାମାଞ୍ଚଳରେ ଏହା ୯୩.୫ ପ୍ରତିଶତ। ପେଣ୍ଟାଭାଲେଣ୍ଟ ଟିକାକରଣ କ୍ଷେତ୍ରରେ ସହରାଞ୍ଚଳରେ ୮୬.୮ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୯୫ ପ୍ରତିଶତ ରେକର୍ଡ ହୋଇଛି।
ପ୍ରଥମ ଡୋଜ୍ ଏମ୍ସିଭି ଟିକାକରଣରେ ସହରାଞ୍ଚଳରେ ୮୭.୯ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୯୫ ପ୍ରତିଶତ ଶିଶୁ ଟିକା ନେଇଛନ୍ତି। ହେପାଟାଇଟିସ୍-ବି ଟିକାକରଣ କ୍ଷେତ୍ରରେ ସହରାଞ୍ଚଳରେ ୮୫.୬ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୯୦.୩ ପ୍ରତିଶତ ରହିଥିବା ବେଳେ ରୋଟାଭାଇରସ ଟିକାକରଣରେ ଏହି ହାର ଯଥାକ୍ରମେ ୮୨.୩ ପ୍ରତିଶତ ଓ ୯୦.୭ ପ୍ରତିଶତ ରହିଛି।
ଅନ୍ୟପକ୍ଷରେ, ୨୪ରୁ ୩୫ ମାସ ବୟସର ଶିଶୁଙ୍କ ଦ୍ୱିତୀୟ ଡୋଜ୍ ଏମ୍ସିଭି ଟିକାକରଣରେ ସହରାଞ୍ଚଳ ୮୯.୨ ପ୍ରତିଶତ ସହ ଆଗରେ ଥିବା ବେଳେ ଗ୍ରାମାଞ୍ଚଳରେ ଏହା ୮୫.୯ ପ୍ରତିଶତ ରହିଛି। ସେହିପରି ୯ରୁ ୩୫ ମାସ ବୟସର ଶିଶୁଙ୍କ ଭିଟାମିନ-ଏ ସେବନ ହାର ଉଭୟ ସହର ଓ ଗ୍ରାମାଞ୍ଚଳରେ ପ୍ରାୟ ସମାନ ରହିଛି।
୧୨ରୁ ୨୩ ମାସ ବୟସର ଶିଶୁଙ୍କ ଟିକାକରଣରେ ସରକାରୀ ଓ ମାଗଣା ସ୍ୱାସ୍ଥ୍ୟସେବାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସହରାଞ୍ଚଳରେ ୯୫.୮ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୯୯.୩ ପ୍ରତିଶତ ଟିକାକରଣ ସରକାରୀ ବ୍ୟବସ୍ଥା ମାଧ୍ୟମରେ ହୋଇଛି। ଘରୋଇ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାଧ୍ୟମରେ ଟିକାକରଣ ହାର ସହରାଞ୍ଚଳରେ ୩.୬ ପ୍ରତିଶତ ଥିବା ବେଳେ ଗ୍ରାମାଞ୍ଚଳରେ ମାତ୍ର ୦.୩ ପ୍ରତିଶତ ରହିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ, ଜନ୍ମ ପରଠାରୁ ଶିଶୁଙ୍କୁ ନିର୍ଦ୍ଧାରିତ ସମୟରେ ଟିକା ଦେବା ଦ୍ୱାରା ଅନେକ ଗୁରୁତର ରୋଗରୁ ସୁରକ୍ଷା ମିଳିଥାଏ। ଏଥିପାଇଁ ସରକାର ନିୟମିତ ଭାବେ ଅଭିଭାବକଙ୍କୁ ସଚେତନ କରିଆସୁଛନ୍ତି। ଏନ୍ଏଫ୍ଏଚ୍ଏସ୍-୬ ରିପୋର୍ଟର ଏହି ତଥ୍ୟ ରାଜ୍ୟର ଶିଶୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସକାରାତ୍ମକ ପ୍ରଗତିର ସୂଚନା ଦେଇଛି।