ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଆଇଆଇସି ବିୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

କଟକ: କଟକ ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ଆଇଆଇସି ବିୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ସେ ଥାନା କ୍ୱାର୍ଟର୍ସରେ ରହିଥିଲେ। ଆଜି ସକାଳେ ବହୁଥର ଫୋନ୍ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ ଏବଂ କବାଟ ମଧ୍ୟ ଖୋଲି ନଥିଲେ। ଏହାପରେ ଥାନା କର୍ମଚାରୀମାନେ ସନ୍ଦେହ ପ୍ରକାଶ କରି କ୍ୱାର୍ଟର୍ସକୁ ଯାଇଥିଲେ। କୌଣସି ପ୍ରତିକ୍ରିୟା ନ ମିଳିବାରୁ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶରେ କବାଟ ଭଙ୍ଗାଯାଇଥିଲା। ଭିତରେ ବିୟୁଟି ମହାନ୍ତିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ପୁଲିସ ପକ୍ଷରୁ ମାମଲାର ତଦନ୍ତ ଆରମ୍ଭ ହୋଇଛି।

କଟକ-ଭୁବନେଶ୍ୱର ପୁଲିସ କମିଶନର ଏସ୍‌. ଦେବଦତ୍ତ ସିଂହ କହିଛନ୍ତି ଯେ, ପ୍ରତ୍ୟେକ ଆତ୍ମହତ୍ୟା ପଛରେ କିଛି ନା କିଛି କାରଣ ରହିଥାଏ। ବିୟୁଟି ମହାନ୍ତିଙ୍କର କୌଣସି ବ୍ୟକ୍ତିଗତ କାରଣ ଥାଇପାରେ, ଯାହାର ଅନୁଧ୍ୟାନ କରାଯିବ। ସେ ଆହୁରି କହିଛନ୍ତି ଯେ, ବିୟୁଟି ମହାନ୍ତି ଜଣେ ଦକ୍ଷ ଓ ଦୃଢ଼ ଅଧିକାରୀ ଥିଲେ ଏବଂ କମିଶନରେଟ୍ ପୁଲିସରେ ଭଲ କାର୍ଯ୍ୟ କରୁଥିଲେ। ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଜଣେ ଭଲ ଅଧିକାରୀଙ୍କ ଏଭଳି ପଦକ୍ଷେପ ପଛରେ କ’ଣ କାରଣ ରହିଛି, ତାହା ତଦନ୍ତ ପରେ ଜଣାପଡ଼ିବ। ଯଦି କେହି ଏହି ଘଟଣା ପାଇଁ ଦାୟୀ ଥିବା ଜଣାପଡ଼େ, ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ସମ୍ପର୍କରେ କୌଣସି ଅଧିକୃତ ସ୍ପଷ୍ଟତା ଆସିନାହିଁ। ପାରିବାରିକ ବିବାଦ ଏହାର ଏକ ସମ୍ଭାବ୍ୟ କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ପୁଲିସ ତଦନ୍ତ ଶେଷ ହେବା ପୂର୍ବରୁ ଏହାକୁ ନିଶ୍ଚିତ କରାଯାଇନାହିଁ।

Leave A Reply

Your email address will not be published.