ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଓଡ଼ିଶା ପାଇଁ ପୁଣି ଏକ ବଡ଼ ବର୍ଷା ସତର୍କତା ଜାରି କରିଛି। ଆସନ୍ତା ୧୨ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ଏହାର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ତ୍ତମାନ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ରପତ୍ତନଠାରୁ ପ୍ରାୟ ୦.୯ କିଲୋମିଟର ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ସେହିପରି ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପରେ ୧.୫ରୁ ୫.୮ କିଲୋମିଟର ଉଚ୍ଚତା ମଧ୍ୟରେ ଆଉ ଏକ ଉପରିସ୍ଥ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ଅଛି। ଏହି ଦୁଇ ପ୍ରଣାଳୀର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିଛି ଏବଂ ଆସନ୍ତା କିଛି ଦିନ ଧରି ଏଭଳି ପାଗ ଲାଗି ରହିବ ବୋଲି ଆକଳନ କରାଯାଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ, ଶୁକ୍ରବାର ସାରା ରାଜ୍ୟରେ ଘଡ଼ଘଡ଼ି, ବିଜୁଳି ଓ ଝଡ଼ବର୍ଷା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ରାଜ୍ୟର ସମସ୍ତ ଜିଲ୍ଲାରେ ଘଡ଼ଘଡ଼ି ଓ ବିଜୁଳି ସହ ଝଡ଼ବର୍ଷା ହେବା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ଏପଟେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଉଲ୍ଲେଖନୀୟ ବର୍ଷା ରେକର୍ଡ କରାଯାଇଛି। ଗୁରୁବାର ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ସର୍ବାଧିକ ୧୦୭.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହାଛଡ଼ା ଯାଜପୁର ଜିଲ୍ଲାର ଜେନାପୁରରେ ୧୦୬.୮ ମିଲିମିଟର, କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇରେ ୧୦୦ ମିଲିମିଟର, କଟକର ମାହାଙ୍ଗାରେ ୯୨ ମିଲିମିଟର, ନିଶ୍ଚିନ୍ତକୋଇଲିରେ ୮୨ ମିଲିମିଟର, କଣ୍ଟାପଡ଼ାରେ ୮୧ ମିଲିମିଟର, ଭଦ୍ରକର ଭଣ୍ଡାରିପୋଖରୀରେ ୮୦ ମିଲିମିଟର, ସୁକିନ୍ଦାରେ ୭୬ ମିଲିମିଟର, ଯାଜପୁର ସହରରେ ୭୫ ମିଲିମିଟର ଏବଂ ବାଲେଶ୍ୱରର ରାଜଘାଟରେ ୭୪.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ପାଣିପାଗ ବିଭାଗ ଲୋକଙ୍କୁ ସତର୍କ ରହିବା, ଅନାବଶ୍ୟକ ଭାବେ ବାହାରକୁ ନଯିବା ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାରି ସତର୍କ ସୂଚନାକୁ ପାଳନ କରିବାକୁ ପରାମର୍ଶ ଦେଇଛି। ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ଜାରି ରହିବାର ସମ୍ଭାବନା ଥିବାରୁ ପ୍ରଶାସନ ମଧ୍ୟ ସତର୍କ ରହିଛି।