ଇସ୍ରାଏଲ: ଫ୍ଲାଏଦୁବାଇ ବିମାନରେ ଅସାଧାରଣ ସାହସିକତା ଓ ବୃତ୍ତିଗତ ଦକ୍ଷତା ପ୍ରଦର୍ଶନ କରି ୧୭୦ରୁ ଅଧିକ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ରକ୍ଷା କରିଥିବା ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ବୀରତ୍ୱ ସମ୍ମାନ ପ୍ରଦାନ କରାଯିବ। ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ ଗୁରୁବାର ଏହି ଘୋଷଣା କରିଛନ୍ତି।
ଇସ୍ରାଏଲର ସରକାରୀ ପ୍ରେସ୍ କାର୍ଯ୍ୟାଳୟ ଅନୁଯାୟୀ, ଗତ ସପ୍ତାହରେ ଫ୍ଲାଏଦୁବାଇର ଏଫ୍ଜେଡ୍୧୦୭୩ ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବା ପାଇଁ ହୋଇଥିବା କଥିତ ଉଦ୍ୟମକୁ ପଣ୍ଡ କରିବାରେ ସହାୟତା କରିଥିବା ୬ ଜଣ ଇସ୍ରାଏଲୀୟ ଯାତ୍ରୀଙ୍କୁ ସମ୍ମାନିତ କରିବା ଅବସରରେ ହର୍ଜୋଗ୍ ଏହି ଘୋଷଣା କରିଥିଲେ। ଜେରୁସାଲେମରେ ଆୟୋଜିତ କାର୍ଯ୍ୟକ୍ରମରେ ସେ କ୍ୟାପଟେନ୍ ସ୍ମିତ୍ଙ୍କ ସାହସିକତା ଓ ପେସାଦାର ଦକ୍ଷତାର ଉଚ୍ଚ ପ୍ରଶଂସା କରିଥିଲେ। ହର୍ଜୋଗ୍ କହିଥିଲେ ଯେ, କ୍ୟାପଟେନ୍ ସ୍ମିତ୍ଙ୍କ ଅସାଧାରଣ ସାହସ, ବୀରତ୍ୱ ଓ ଆଦର୍ଶ ବୃତ୍ତିଗତ ଦକ୍ଷତା ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଥିଲା। ସେ ସୁସ୍ଥ ହେବା ପରେ ଇସ୍ରାଏଲର ଜନସାଧାରଣଙ୍କ ପକ୍ଷରୁ ତାଙ୍କୁ ‘ପ୍ରେସିଡେନ୍ସିଆଲ୍ ଆୱାର୍ଡ ଫର୍ ସିଭିଲିଆନ୍ ହିରୋଇଜମ୍’ ପ୍ରଦାନ କରିବା ତାଙ୍କ ପାଇଁ ଗୌରବର ବିଷୟ ହେବ ବୋଲି ସେ କହିଥିଲେ। ଏଥିସହ ଭାରତୀୟ ପାଇଲଟ୍ଙ୍କ ଶୀଘ୍ର ଓ ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରିଥିଲେ ଇସ୍ରାଏଲ ରାଷ୍ଟ୍ରପତି। ସ୍ମିତ୍ ସୁସ୍ଥ ହେବା ପରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।