ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଜେୱରସ୍ଥିତ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ କରି ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ୟାବିନେଟ୍ ବୈଠକ ପରେ ଏହି ସୂଚନା ଦେଇଛନ୍ତି। ନାମ ପରିବର୍ତ୍ତନ ସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ଦେଇଥିବା ସେ କହିଛନ୍ତି। ଏଥିସହ ଜନସେବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷ ପୂରଣ ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇ କ୍ୟାବିନେଟ୍ରେ ଆଉ ଏକ ପ୍ରସ୍ତାବ ପାରିତ ହୋଇଛି। ଅକ୍ଟୋବର ୭କୁ ଏକ ସ୍ମରଣୀୟ ଦିନ ଭାବେ ଅଭିହିତ କରି ଯୋଗୀ କହିଛନ୍ତି, ମୋଦିଙ୍କ ଜନସେବା ଯାତ୍ରା ଓ ନେତୃତ୍ୱ ପାଇଁ ଉତ୍ତରପ୍ରଦେଶର ବିକାଶକୁ ନୂଆ ଗତି ମିଳିଛି।
କାଶୀର ସାଂସଦ ଭାବେ ମୋଦିଙ୍କ ସହ ରାଜ୍ୟର ସମ୍ପର୍କ ସ୍ୱତନ୍ତ୍ର ବୋଲି ଯୋଗୀ କହିଛନ୍ତି। ଏକ୍ସପ୍ରେସ୍ୱେ ନେଟ୍ୱର୍କର ସମ୍ପ୍ରସାରଣ ସହ ପ୍ରଧାନମନ୍ତ୍ରୀ ଆବାସ, ଆୟୁଷ୍ମାନ ଭାରତ ଓ ଉଜ୍ଜ୍ୱଳା ଯୋଜନା ଭଳି କେନ୍ଦ୍ରୀୟ ଯୋଜନାର ଲାଭ ଲୋକଙ୍କ ନିକଟରେ ପହଞ୍ଚୁଥିବା ସେ ଉଲ୍ଲେଖ କରିଛନ୍ତି। ପିଏମ୍ କିଷାନ ଯୋଜନାରେ ଚାଷୀଙ୍କ ଖାତାକୁ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ପଠାଯାଇଥିବା ଏବଂ ଆଖୁ ଚାଷୀଙ୍କୁ ଠିକ୍ ସମୟରେ ଅର୍ଥ ପ୍ରଦାନ ଭଳି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି। ଜେୱର ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ନିର୍ମାଣରେ ପ୍ରାୟ ୧୧,୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସମ୍ପୂର୍ଣ୍ଣ ପ୍ରକଳ୍ପ ପାଇଁ ପ୍ରାୟ ୨୯,୫୬୦ କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି। ୩,୯୦୦ ମିଟର ଲମ୍ବ ରନ୍ୱେ ବିଶିଷ୍ଟ ଏହି ବିମାନବନ୍ଦରର ସମସ୍ତ ପର୍ଯ୍ୟାୟ କାମ ଶେଷ ହେଲେ ଏହା ଏସିଆର ଏକ ପ୍ରମୁଖ ବିମାନବନ୍ଦର ହେବ ବୋଲି ଆକଳନ କରାଯାଇଛି।