ନ୍ୟୁଜ୍ ବ୍ୟୁରୋ: ଏସିଆନ୍ ପାରା ଗେମ୍ସରେ ଚମକ ଦେଖାଇଛନ୍ତି ଓଡ଼ିଆ ଆଥଲେଟ୍ ଜୟନ୍ତୀ ବେହେରା। ମହିଳା ୪୦୦ ମିଟର ଟି-୪୭ ବର୍ଗରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ଦୌଡ଼କୁ ଜୟନ୍ତୀ ୧ ମିନିଟ୍ ୦୦.୬ ସେକେଣ୍ଡରେ ଶେଷ କରିଥିବା ବେଳେ ଅଞ୍ଜନାବେନ ବୁମ୍ବାଡିଆ ୫୯.୯୭ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଥାଇଲାଣ୍ଡର ସାସିରାୱାନ ଇନ୍ତାଚୋତ ୧ ମିନିଟ୍ ୦୨.୫୮ ସେକେଣ୍ଡ ସମୟ ସହ କାଂସ୍ୟ ପଦକ ପାଇଛନ୍ତି। ମହିଳା ୪୦୦ ମିଟର ଟି-୧୨ ବର୍ଗରେ ଭାରତର ତେଜଲବେନ ଦାମୋର ୫୭.୬୦ ସେକେଣ୍ଡ ସମୟ ସହ ରୌପ୍ୟ ପଦକ ଜିତିଛନ୍ତି। ଏହା ଚଳିତ ଗେମ୍ସରେ ତାଙ୍କର ଦ୍ୱିତୀୟ ପଦକ। ଏହା ପୂର୍ବରୁ ସେ ୨୦୦ ମିଟର ଟି-୧୨ ବର୍ଗରେ କାଂସ୍ୟ ପଦକ ହାସଲ କରିଥିଲେ। ସନ୍ତରଣରେ ମଧ୍ୟ ଭାରତୀୟ ଖେଳାଳିଙ୍କ ସଫଳତା ଜାରି ରହିଛି। ପୁରୁଷ ୪୦୦ ମିଟର ଫ୍ରି-ଷ୍ଟାଇଲ୍ ଏସ୍୧୦ ବର୍ଗରେ ୨୬ ବର୍ଷୀୟ କପିଲ କୁମାର ୪ ମିନିଟ୍ ୩୮.୪୪ ସେକେଣ୍ଡ ସମୟ ସହ ରୌପ୍ୟ ପଦକ ଜିତିଛନ୍ତି। ଜାପାନର ଅକିତୋ ମିନାଇ ୪ ମିନିଟ୍ ୨୭.୪୪ ସେକେଣ୍ଡ ସମୟ ସହ ଏସିଆନ୍ ପାରା ଗେମ୍ସ ରେକର୍ଡ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଇରାନର ଶାହିନ୍ ଇଜାଦୟାର କାଂସ୍ୟ ପଦକ ପାଇଛନ୍ତି।
ସେହିପରି ପୁରୁଷ ୧୦୦ ମିଟର ବ୍ରେଷ୍ଟ-ଷ୍ଟ୍ରୋକ୍ ଏସ୍ବି୯ ବର୍ଗରେ ଭାରତର ସ୍ୱାତିକ ପଟେଲ ୧ ମିନିଟ୍ ୧୩.୭୭ ସେକେଣ୍ଡ ସମୟ ସହ କାଂସ୍ୟ ପଦକ ଜିତିଛନ୍ତି। ଇରାନର ସିନା ଜେଘାମିନେଜାଦ ୧ ମିନିଟ୍ ୦୯.୪୭ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣ ଏବଂ ଶାହିନ୍ ଇଜାଦୟାର ୧ ମିନିଟ୍ ୧୩.୨୩ ସେକେଣ୍ଡ ସମୟ ସହ ରୌପ୍ୟ ପଦକ ଜିତିଛନ୍ତି। ପାରା କ୍ରୀଡ଼ାରେ ଟି-୪୭ ଓ ଟି-୧୨ ହେଉଛି ଦୌଡ଼ ପ୍ରତିଯୋଗିତାର ବର୍ଗୀକରଣ। ଟି-୪୭ ବର୍ଗରେ ଉପର ଅଙ୍ଗର ଅକ୍ଷମତା ଥିବା ଆଥଲେଟ୍ମାନେ ଏବଂ ଟି-୧୨ ବର୍ଗରେ ଦୃଷ୍ଟିଶକ୍ତିରେ ଅକ୍ଷମତା ଥିବା ଆଥଲେଟ୍ମାନେ ଅଂଶଗ୍ରହଣ କରନ୍ତି। ସନ୍ତରଣରେ ଏସ୍ ବର୍ଗ ଫ୍ରି-ଷ୍ଟାଇଲ୍, ବ୍ୟାକ୍-ଷ୍ଟ୍ରୋକ୍ ଓ ବଟରଫ୍ଲାଇ ପାଇଁ, ଏସ୍ବି ବର୍ଗ ବ୍ରେଷ୍ଟ-ଷ୍ଟ୍ରୋକ୍ ପାଇଁ ଏବଂ ଏସ୍ଏମ୍ ବର୍ଗ ବ୍ୟକ୍ତିଗତ ମେଡ୍ଲେ ପାଇଁ ବ୍ୟବହୃତ ହୁଏ।