ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଏମ୍ସ ଭୁବନେଶ୍ୱର ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଜଙ୍ଘହାଡ଼ ପ୍ରତିରୋପଣ

0


ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଅସ୍ଥିଶଲ୍ୟ ବିଭାଗକୁ ମିଳିଛି ଆଉ ଏକ ବିରଳ ସଫଳତା। ଏହି ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଜଙ୍ଘହାଡ଼ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳତାର ସହିତ କରାଯାଇଛି। ଏପରି ବିରଳ ଅସ୍ତ୍ରୋପଚାର ରାଜ୍ୟରେ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଛି। ଅସ୍ଥିଶଲ୍ୟ ବିଭାଗର ଅତିରିକ୍ତ ପ୍ରଫେସର ଡ଼ାକ୍ତର ସୁଜିତ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ କେନ୍ଦ୍ରାପଡା ଜିଲ୍ଲାର ଜଣେ ୩୦ ବର୍ଷୀୟ ଯୁବକଙ୍କର ସମ୍ପୂର୍ଣ୍ଣ ଜଙ୍ଘହାଡ଼ ପ୍ରତିରୋପଣ କରିଛନ୍ତି

ଏହି ଯୁବକଙ୍କ ବାମ ଜଙ୍ଘହାଡ଼ରେ ଏକ ବଡ଼ ଟ୍ୟୁମର ରହିଥିଲା। ଉକ୍ତ ଯୁବକ ଜଣଙ୍କ ଜଙ୍ଘହାଡ଼ରେ ପ୍ରିମିଟିଭ ନ୍ୟୁରୋଏକ୍ଟୋଡର୍ମାଲ୍ ଭଳି ଜଟିଳ ରୋଗରେ ପୀଡ଼ିତ ଥିଲେ। ଏନେଇ ସେ ପୂର୍ବରୁ ୨୦୧୮ ଏବଂ ୨୦୧୯ରେ ଦୁଇ ଦୁଇଟି ଅସ୍ତ୍ରୋପଚାର କରିସାରିଥିଲେ। ମାତ୍ର ତାହା ଟ୍ୟୁମରକୁ ସମ୍ପୂର୍ଣ୍ଣରୂପେ ହଟାଇବା ପାଇଁ ପର୍ଯ୍ୟାପ୍ତ ନଥିଲା। ପରବର୍ତ୍ତୀ ସମୟରେ ଯୁବକଙ୍କ ଠାରେ ଉକ୍ତ ଟ୍ୟୁମର ବୃଦ୍ଧି ପାଇବା ସହିତ ଅସହ୍ୟ ପୀଡ଼ା ଅନୁଭୂତ ହୋଇଥିଲା। ତେଣୁ ଏହି ଅସ୍ତ୍ରୋପଚାର ପୂର୍ବରୁ ତାଙ୍କୁ କେମୋଥେରାପି ଦିଆଯାଉଥିଲା। ଉକ୍ତ ବିପଦପୂର୍ଣ୍ଣ ଟ୍ୟୁମରଟି ରକ୍ତବାହି ପାଖାପାଖି ଥିଲା। ତେଣୁ ଅତ୍ୟନ୍ତ ସତର୍କତା ଓ ଯତ୍ନର ସହିତ ଅସ୍ତ୍ରୋପଚାର କରାଯାଇ ସମ୍ପୂର୍ଣ୍ଣ ଟ୍ୟୁମରଟିକୁ ଟୋଟୋରେ ଏକ୍ସାଇଜ୍ କରାଯାଇ ସମ୍ପୂର୍ଣ୍ଣ ଜଙ୍ଘହାଡ଼ ପ୍ରତିରୋପଣ କରାଯାଇଥିଲା।

ଅସ୍ଥିଶଲ୍ୟ ବିଭାଗର ଡ. ସୁଜିତ କୁମାର ତ୍ରିପାଠୀ ଏବଂ ତାଙ୍କ ଟିମ ଦ୍ୱାରା ଏହି ଜଟିଳ ମେଗାପ୍ରୋଥେସିସ୍ ପ୍ରତିରୋପଣ କରାଯାଇଥିଲା। ଏହି କଠିନ ଅସ୍ତ୍ରୋପଚାର ପ୍ରାୟ ୪ ଘଣ୍ଟା ସମୟ ନେଇଥିଲା | ଡ. ଅପରାଜିତା ପଣ୍ଡା ଏବଂ ତାଙ୍କ ଦଳ ଅସ୍ତ୍ରୋପଚାରରେ ନିଶ୍ଚେତକ ଯୋଗାଇ ଦେଇଥିଲେ। ରାଜ୍ୟରେ ଏପରି ସମ୍ପୂର୍ଣ୍ଣ ଜଙ୍ଘହାଡ଼ ପ୍ରତିରୋପଣ ପ୍ରଥମଥର ପାଇଁ ହୋଇଛି।

ଅସ୍ତ୍ରୋପଚାର ପରେ ରୋଗୀ ସୁସ୍ଥ ଥିବା ଡାକ୍ତର ସୁଜିତ ତ୍ରିପାଠୀ ସୂଚନା ଦେଇଛନ୍ତି। ତେବେ ଏହାପରେ ପରବର୍ତ୍ତୀ କେମୋଥେରାପି ଗ୍ରହଣ ସହିତ ନିଜର ଉତ୍ତମ ଯତ୍ନ ନେବାକୁ ଡାକ୍ତର ତ୍ରିପାଠୀ ପରାମର୍ଶ ଦେଇଛନ୍ତି। ଏପରି ସଫଳତା ପାଇଁ ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ଏବଂ ମେଡିକାଲ ଅଧୀକ୍ଷକ ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତି ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦେଶର ସ୍ୱଳ୍ପ ସ୍ଥାନରେ ଏପରି ଅସ୍ତ୍ରୋପଚାର କରାଯାଇଥାଏ। ଏମ୍ସରେ ହୋଇଥିବା ଏହି ଅସ୍ତ୍ରୋପଚାର କାରଣରୁ ଯୁବକ ଜଣଙ୍କ ପଙ୍ଗୁ ହେବାରୁ ରକ୍ଷା ପାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.