ପୁରୀ: ପୁରୀ-କୋଣାର୍କ ରାସ୍ତାର ରାମଚଣ୍ଡୀଠାରେ ଚାଲିଥିବା ଟ୍ରାଇଥୋଲନ ପ୍ରତିଯୋଗିତାରେ ଭାଗ ନେଇଥିବା ଜଣେ ପ୍ରତିଯୋଗୀଙ୍କ ଆଜି ଅକାଳ ମୃତ୍ୟୁ ହୋଇଛି। ପ୍ରତିଯୋଗିତାରେ ଭାଗ ନେଇଥିବା ରାଜସ୍ଥାନ ଅଂଚଳର ନିତୀନ ସୋନିଙ୍କ ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ; ଆୟୋଜିତ ପ୍ରତିଯୋଗିତାରେ ସୁଇମିଂ, ସାଇକ୍ଲିଂ, ଦଉଡ଼ ଭଳି ସମୂହ ପ୍ରତିଯୋଗିତା ହେଉଥିଲା। ଯେଉଁଥିରେ ଭାଗ ନେଇଥିଲେ ନିତିନ୍ । ତେବେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ କୋଣାର୍କ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ସଦର ମୁଖ୍ୟ ମେଡିକାଲକୁ ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ଏନେଇ ନିତିନଙ୍କ ପରିବାରକୁ ଖବର ଦିଆଯାଇଛି। ନିତିନଙ୍କ ଘର ରାଜସ୍ଥାନ ହୋଇଥିବା ବେଳେ ସେ ମୁମ୍ବାଇରେ ରହୁଥିଲେ। ରାମଚଣ୍ଡୀ ଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିଲେ। ଏଠାରେ ସେ ୧.୫ କିମି ସୁଇମିଂ, ୪୦ କିମି ସାଇକେଲିଂ, ୧୦ କେମି ଦଉଡ଼ରେ ଭାଗ ନେଇଥିଲେ। ତେବେ ପ୍ରତିଯୋଗିତାରେ କୌଶଳ ପ୍ରଦର୍ଶନ କରୁଥିବା ବେଳେ ସେ ଅସୁସ୍ଥତା ଅନୁଭବ କରି ନିକଟରେ ରହୁଥିବା ହୋଟେଲକୁ ଯିବାକୁ ଚାହିଁଥିଲେ।