ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଜୁନ୍ ୨୩ ପରେ ଆସିବ ଦକ୍ଷିଣ ପଶ୍ଚିମ ମୌସୁମୀ

0

ଭୁବନେଶ୍ୱର: ଆରବ ସାଗରରେ ସୃଷ୍ଟି ହୋଇଥିବା ଭୀଷଣ ଘୂର୍ଣ୍ଣିଝଡର ‘ବିପର୍ଯ୍ୟୟ’ ଦୁର୍ବଳ ହୋଇଥିବା ବେଳେ ଉତ୍ତର ପଶ୍ଚିମା ବାୟୁର ବେଗ ଏବଂ ଦିଗରେ ପରିବର୍ତନ ଯୋଗୁଁ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବ ବୋଲି ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।

ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ପଶ୍ଚିମ ଓଡ଼ିଶା ଜିଲ୍ଳାଗୁଡ଼ିକରେ ଜୁନ୍ ୨୧ ପର୍ଯ୍ୟନ୍ତ ତାପମାତ୍ରା ୪୦ ରୁ ୪୨ ଡିଗ୍ରୀ ସେଲସିୟସ ରହିପାରେ । ତେବେ ଉପକୂଳ ଅଂଚଳରେ ତାପମାତ୍ରା ୩୬ ରୁ ୩୮ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି । ଜୁନ୍ ୨୩ ତାରିଖ ପରେ ସାରା ରାଜ୍ୟରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ରୁ କମ୍ ରହିବ ବୋଲି ସେ କହିଛନ୍ତି ।

ଡକ୍ଟର ସାହୁ କହିଛନ୍ତି ଯେ ବାତ୍ୟା ‘ବିପର୍ଯ୍ୟୟ’ ଦୁର୍ବଳ ହୋଇ ଅବପାତରେ ପରିଣତ ହେବା ପରେ ରାଜସ୍ଥାନ ଓ ଏହାର ନିକଟବର୍ତୀ ଅଂଚଳରେ ଏହାର ପ୍ରଭାବ ରହିଥିଲା । ଫଳରେ ଘଂଟା ପ୍ରତି ୪୫ କିମି ବେଗରେ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତପ୍ତ ପବନ ପାକିସ୍ତାନ ଆଡୁ ବଙ୍ଗୋପସାଗର ଆଡକୁ ପ୍ରବାହିତ ହେଉଥିଲା । ଏଥି ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅତ୍ୟଧିକ ମାତ୍ରାରେ ରୌଦ୍ର ତାପ ଅନୁଭୂତ ହେଲା । ଯଦିଓ କୌଣସି କୌଣସି ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିଥିଲା ତଥାପି ଏହା ରୌଦ୍ର ତାପକୁ ପ୍ରତିହତ କରିପାରିଲା ନାହିଁ ବୋଲି ସେ କହିଛନ୍ତି ।

ଡକ୍ଟର ସାହୁ କହିଛନ୍ତି ଯେ ଜୁନ୍ ୨୩ ତାରିଖରେ ଝାଡଖଣ୍ଡ ତଥା ନିକଟବର୍ତୀ ବିହାର ଏବଂ ପଶ୍ଚିମବଙ୍ଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଏହା ଦକ୍ଷିଣ ମୁହାଁ ହୋଇ ଉତ୍ତର ଓଡ଼ିଶା ଆଡକୁ ପ୍ରବାହିତ ହେବ । ଏହା ସହ ଜୁନ୍ ୨୩ ରୁ ୨୫ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ । ଏହାର ପ୍ରଭାବରେ ଜୁନ୍ ୨୩ କିମ୍ବା ତା’ ପରବର୍ତୀ ସମୟରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ । ତେବେ ଜୁନ୍ ୨୩ ତାରିଖ ପର୍ଯ୍ୟନ୍ତ ପ୍ରାକ୍ ମୌସୁମୀ କାଳବୈଶାଖୀର ପ୍ରଭାବ ଯୋଗୁଁ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଏବଂ ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଜୁନ୍ ୨୯ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷାର ମାତ୍ରା ବଢ଼ିପାରେ ବୋଲି ଡକ୍ଟର ସାହୁ କହିଛନ୍ତି । ମଙ୍ଗଳବାର ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ସେଦିନ ପୁରୀରେ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଡକ୍ଟର ସାହୁ କହିଛନ୍ତି । ଏହି ଦିନ ପୁରୀରେ ଦିନର ତାପମାତ୍ରା ୩୩ ରୁ ୩୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବା ସମ୍ଭାବନା ଥିବା ବେଳେ ଗୁଳୁଗୁଳି ୬୫ ରୁ ୭୫ ପ୍ରତିଶତ ରହିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.