ଭୁବନେଶ୍ବର: ସମ୍ଭାବ୍ୟ ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ଚିନ୍ତା ବଢ଼ିଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ଅକ୍ଟୋବର ୨୮ ତାରିଖ ବିଳମ୍ବିତ ରାତି ୨ଟାରୁ ଭୋର୍ ୪ଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ଆନ୍ଧ୍ରପ୍ରଦେଶର ବାପଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ସ୍ଥଳଭାଗ ଛୁଇଁବା ସମୟରେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିପାରେ। ଝଟକା ପବନର ବେଗ ୧୫୦ କିଲୋମିଟର ପର୍ଯ୍ୟନ୍ତ ବଢ଼ିବା ଆଶଙ୍କା ରହିଛି।
ବାତ୍ୟାର ବାହ୍ୟ ବଳୟ ସ୍ଥଳଭାଗରେ ପ୍ରବେଶ କରିଥିବାରୁ ଆନ୍ଧ୍ରପ୍ରଦେଶର ୟାନମ୍ର ଦକ୍ଷିଣ ଉପକୂଳ ସହ ଓଡ଼ିଶାର ଦକ୍ଷିଣ ଉପକୂଳରେ ଏହାର ପ୍ରଭାବ ପଡ଼ିପାରେ। କଟକ ଓ ଭୁବନେଶ୍ୱର ସମେତ ଟ୍ୱିନ୍ ସିଟିରେ ମଧ୍ୟ ପ୍ରବଳ ବର୍ଷା ଓ ପବନ ହେବାର ଆଶଙ୍କା ରହିଛି। ବାତ୍ୟାର ଗତିପଥ ଓ ସ୍ଥଳଭାଗ ଛୁଇଁବା ସ୍ଥାନରେ ବର୍ତ୍ତମାନ କୌଣସି ପରିବର୍ତ୍ତନର ସୂଚନା ନାହିଁ। ଆଗାମୀ ୧୨ ଘଣ୍ଟା ଓଡ଼ିଶା ଓ ଆନ୍ଧ୍ର ଉପକୂଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଜନସାଧାରଣଙ୍କୁ ସତର୍କ ରହିବା ଏବଂ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଉପରେ ରାଜ୍ୟ ସରକାର ସ୍ୱତନ୍ତ୍ର ନଜର ରଖିଛନ୍ତି। ସମ୍ଭାବ୍ୟ ବିପର୍ଯ୍ୟୟରେ ଜୀବନହାନି ରୋକିବା ପାଇଁ ‘ଜିରୋ କାଜୁଆଲ୍ଟି’ ନୀତି ଅନୁସାରେ ପ୍ରସ୍ତୁତି ଚାଲିଛି। ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବା ସହ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି। ଲୋକଙ୍କୁ କେବଳ ସରକାରୀ ସୂଚନା ଉପରେ ଭରସା କରିବାକୁ ଏବଂ ପ୍ରଶାସନକୁ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି।