ପଶ୍ଚିମବଙ୍ଗ: ବେଙ୍ଗଳ ରାଜନୀତିରେ ‘ଚାଣକ୍ୟ’ ଭାବେ ପରିଚିତ ଦିଗ୍ଗଜ ନେତା ମୁକୁଲ ରାୟଙ୍କ ୭୧ ବର୍ଷ ବୟସରେ ଦେହାନ୍ତ ଘଟିଛି। ପୂର୍ବତନ ରେଳମନ୍ତ୍ରୀ ଓ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଭାବେ ସେ ଦୀର୍ଘ ସମୟ ଧରି ସକ୍ରିୟ ଥିଲେ। କୋଲକାତାର ଏକ ବେସରକାରି ଚିକିତ୍ସାଳୟରେ ରାତି ୧ଟା ୩୦ ମିନିଟ୍ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପୁଅ ଶୁଭ୍ରାଂଶୁ ରାୟ ଏହି ଖବରକୁ ନିଶ୍ଚିତ କରିଛନ୍ତି। ହୃଦଘାତ ହେତୁ ତାଙ୍କ ଦେହାନ୍ତ ଘଟିଥିବା ସୂଚନା ମିଳିଛି।
ଶୁଭ୍ରାଂଶୁ ରାୟ କହିଛନ୍ତି ଯେ, ମୁକୁଲ ରାୟ ଦୀର୍ଘଦିନ ଧରି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ଅବସ୍ଥାରେ ଆହୁରି ଅବନତି ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଓ ଚିକିତ୍ସାଧୀନ ସ୍ଥିତିରେ ରବିବାର ବିଳମ୍ବିତ ରାତିରେ ତାଙ୍କ ଦେହାନ୍ତ ଘଟିଥିଲା।ମୁକୁଲ ରାୟ ବଙ୍ଗଳାରେ ଯୁବ କଂଗ୍ରେସ ସହିତ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରେ ସେ ତୃଣମୂଳ କଂଗ୍ରେସର ପ୍ରତିଷ୍ଠାତା ସଦସ୍ୟ ଭାବେ ଦଳରେ ଯୋଗ ଦେଇଥିଲେ ଓ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତମ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ। ପ୍ରାରମ୍ଭରେ ସେ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିଲେ ଓ ପରେ ଦିଲ୍ଲୀରେ ଦଳର ଏକ ପ୍ରମୁଖ ମୁହଁ ଭାବେ ପରିଚିତ ହୋଇଥିଲେ।
ସେ ୨୦୦୬ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଓ ୨୦୦୯ ରୁ ୨୦୧୨ ପର୍ଯ୍ୟନ୍ତ ଉଚ୍ଚ ସଦନରେ ଦଳର ନେତା ଭାବେ ଦାୟିତ୍ୱ ନିଭାଇଥିଲେ। ପରବର୍ତ୍ତୀ ସମୟରେ ୨୦୧୭ ମସିହାରେ ସେ ତୃଣମୂଳ କଂଗ୍ରେସ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।