ନ୍ୟୁଜ୍ ବ୍ୟୁରୋ: ସମୁଦ୍ର ସମ୍ପଦର ସୁସ୍ଥିର ବ୍ୟବହାର, ରୋଜଗାର ସୃଷ୍ଟି ଓ ଉପକୂଳ ଅଞ୍ଚଳର ବିକାଶକୁ ଲକ୍ଷ୍ୟ କରି ଓଡ଼ିଶା ସରକାର ବ୍ଲୁ ଇକୋନୋମି କ୍ଷେତ୍ର ପାଇଁ ସମନ୍ୱିତ ରୋଡମ୍ୟାପ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ସମୁଦ୍ର ସମ୍ପଦର ସଦ୍ବ୍ୟବହାର ମାଧ୍ୟମରେ ଅର୍ଥନୈତିକ ବିକାଶ ଓ ପରିବେଶ ସୁରକ୍ଷାକୁ ସମାନ ଗୁରୁତ୍ୱ ଦେବା ଉପରେ ଆଲୋଚନା ହୋଇଥିଲା।
ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗକୁ ଏହି ପ୍ରକଳ୍ପର ନୋଡାଲ ବିଭାଗ ଭାବେ ନିୟୋଜିତ କରାଯାଇଛି। ବନ, ପରିବେଶ, ଜଳ ସମ୍ପଦ, ଶକ୍ତି, ପର୍ଯ୍ୟଟନ ଓ ପରିବହନ ସହ ବିଭିନ୍ନ ବିଭାଗଙ୍କ ସମନ୍ୱୟରେ କାର୍ଯ୍ୟଯୋଜନା ପ୍ରସ୍ତୁତ ହେବ। ବୈଠକରେ ଗଭୀର ସମୁଦ୍ର ମାଛଧରା, ଚିଙ୍ଗୁଡ଼ି ମିଶନ, ସମୁଦ୍ର ଆଧାରିତ ମତ୍ସ୍ୟଚାଷ, ସିୱିଡ୍ ଚାଷ ଓ ମତ୍ସ୍ୟଜୀବୀଙ୍କ ପାଇଁ ତତ୍କ୍ଷଣାତ୍ ପାଣିପାଗ ସୂଚନା ବ୍ୟବସ୍ଥା ଭଳି ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ମୁଖ୍ୟ ସଚିବ କହିଛନ୍ତି ଯେ, ବ୍ଲୁ ଇକୋନୋମି କ୍ଷେତ୍ର ଓଡ଼ିଶାର ଆର୍ଥିକ ବିକାଶକୁ ନୂଆ ଗତି ଦେବ।