ନୂଆଦିଲ୍ଲୀ; ରାଜନାଥ ସିଂହ ଶୁକ୍ରବାର ‘ଅପରେସନ ସିନ୍ଦୂର’ ଉପରେ ଏକ ସ୍ମାରକ ପୁସ୍ତକ ଉନ୍ମୋଚନ କରିଛନ୍ତି। ପହେଲଗାମ ଆତଙ୍କବାଦୀ ଆକ୍ରମଣ ପରେ ୨୦୨୫ ମେ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ତିନି ଦିନିଆ ସାମରିକ ଅଭିଯାନରେ ପାକିସ୍ତାନ ଭିତରେ ଥିବା ଅନେକ ଆତଙ୍କୀ ଘାଟିକୁ ଧ୍ୱଂସ କରାଯାଇଥିଲା ଏବଂ ତାହାର ବାୟୁସେନା ଘାଟିଗୁଡ଼ିକୁ ମଧ୍ୟ ଭାରି କ୍ଷତି ପହଞ୍ଚାଯାଇଥିଲା।
ଏହି ସ୍ମାରକ ପୁସ୍ତକରେ ଅପରେସନରେ ଭାଗ ନେଇଥିବା ୧୦୦ ଜଣ ଅଧିକାରୀ, ନୈାସେନା କର୍ମଚାରୀ, ବାୟୁସେନା ଜବାନ ଓ ସେନା ସଦସ୍ୟଙ୍କ ବ୍ୟକ୍ତିଗତ ଅନୁଭବ ସ୍ଥାନ ପାଇଛି। ସେମାନେ କିପରି ପାକିସ୍ତାନ ସୀମାର ପ୍ରାୟ ୧୦୦ କିମି ଭିତରକୁ ପ୍ରବେଶ କରି ନିଖୁତ ଆକ୍ରମଣରେ ଆତଙ୍କୀ ଘାଟି ଧ୍ୱଂସ କରିଥିଲେ ଓ ପାକିସ୍ତାନର ବାୟୁସେନା କ୍ଷମତାକୁ ଅକ୍ଷମ କରିଥିଲେ, ସେସବୁର ବିବରଣୀ ଏଥିରେ ରହିଛି।
ରାଜନାଥ ସିଂହ ସୋସିଆଲ ମିଡିଆ ମାଧ୍ୟମ ଏକ୍ସରେ ମଧ୍ୟ ସେନାବାହିନୀଙ୍କ ସାହସକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହି ପୁସ୍ତକ କେବଳ ଏକ ଐତିହାସିକ ଦଳିଲ ନୁହେଁ, ବରଂ ଆଧୁନିକ ଯୁଦ୍ଧର ମାନବିକ ପକ୍ଷକୁ ଉଜାଗର କରୁଛି। ନେତୃତ୍ୱ, ସାହସ, ଚାପ ମଧ୍ୟରେ ସଠିକ୍ ନିଷ୍ପତ୍ତି ଏବଂ ଦେଶପ୍ରତି ଅଟୁଟ ସମର୍ପଣ କିପରି ଯୁଦ୍ଧ ରଣନୀତିକୁ ସଫଳତାରେ ପରିଣତ କରେ, ତାହା ଏହି ପୁସ୍ତକରେ ପ୍ରକାଶ ପାଇଛି।
ସେ ଆହୁରି କହିଥିଲେ ଯେ, ଏହି ପୁସ୍ତକ ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ପାଇଁ ଜୀବନକୁ ବାଜି ଲଗାଇଥିବା ସେନାଙ୍କ ପ୍ରତି ଏକ ସମ୍ମାନ। ନାଗରିକମାନେ ଏହି ପୁସ୍ତକରୁ ପ୍ରେରଣା ନେବା ଆବଶ୍ୟକ ବୋଲି ସେ କହିଛନ୍ତି।