କଟକ: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁଲାଇ ୨ରୁ ଆରମ୍ଭ ହୋଇ ୧୦ ତାରିଖରେ ଶେଷ ହେବ। ଏନେଇ ବୋର୍ଡ ପକ୍ଷରୁ ବୁଧବାର ପରୀକ୍ଷା ସୂଚୀ ପ୍ରକାଶ କରାଯାଇଛି।
ପ୍ରକାଶିତ ସୂଚୀ ଅନୁଯାୟୀ, ଜୁଲାଇ ୨ରେ ପ୍ରଥମ ଭାଷା ଓଡ଼ିଆ, ୪ରେ ଦ୍ୱିତୀୟ ଭାଷା ଇଂରାଜୀ, ୬ରେ ଗଣିତ, ୮ରେ ବିଜ୍ଞାନ, ୯ରେ ସାମାଜିକ ବିଜ୍ଞାନ ଏବଂ ୧୦ରେ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବାହ୍ଣ ୯ଟାରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ। ଗଣିତ ବିଷୟରେ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯିବ।
ଅନ୍ୟପକ୍ଷରେ, ରାଜ୍ୟ ମୁକ୍ତ ବିଦ୍ୟାଳୟ (ଦ୍ୱିତୀୟ) ପରୀକ୍ଷା ପାଇଁ ମଧ୍ୟ ସୂଚୀ ପ୍ରକାଶ ପାଇଛି। ଜୁଲାଇ ୨ରେ ମାତୃଭାଷା, ୩ରେ ପେଣ୍ଟିଂ, ୪ରେ ଇଂରାଜୀ, ୬ରେ ଗଣିତ, ୭ରେ ହୋମ ସାଇନ୍ସ, ୮ରେ ବିଜ୍ଞାନ, ୯ରେ ସାମାଜିକ ବିଜ୍ଞାନ ଏବଂ ୧୦ରେ ଭାରତୀୟ ସଂସ୍କୃତି ଓ ଐତିହ୍ୟ ବିଷୟରେ ପରୀକ୍ଷା ହେବ।
ଚଳିତ ବର୍ଷ ୧୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ, ଅଗଷ୍ଟ ମାସ ସୁଦ୍ଧା ଫଳ ପ୍ରକାଶ କରିବାକୁ ବୋର୍ଡ ଯୋଜନା କରିଛି।