ନୂଆଦିଲ୍ଲୀ: ଭାରତର ଡିଜିଟାଲ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA) ଅଧୀନରେ କାର୍ଯ୍ୟକାରୀ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ABDM) ଅନ୍ତର୍ଗତ ଦେଶରେ ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ (ABHA) ସଂଖ୍ୟା ୯୦ କୋଟି ଅତିକ୍ରମ କରିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଉତ୍ତର ପ୍ରଦେଶ ୧୫.୩ କୋଟିରୁ ଅଧିକ ABHA ସହ ଶୀର୍ଷରେ ରହିଥିବା ବେଳେ ରାଜସ୍ଥାନ, ମହାରାଷ୍ଟ୍ର, ବିହାର ଓ ପଶ୍ଚିମବଙ୍ଗ ପରବର୍ତ୍ତୀ ସ୍ଥାନରେ ରହିଛନ୍ତି।
ଓଡ଼ିଶା ସମେତ ଅନେକ ରାଜ୍ୟ ଡିଜିଟାଲ ସ୍ୱାସ୍ଥ୍ୟ ସେବାର ବ୍ୟାପକ ପ୍ରସାରରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି। ABHA ମାଧ୍ୟମରେ ନାଗରିକମାନେ ନିଜର ସ୍ୱାସ୍ଥ୍ୟ ରେକର୍ଡକୁ ସୁରକ୍ଷିତ ଭାବେ ଡିଜିଟାଲ ମାଧ୍ୟମରେ ସଂରକ୍ଷଣ ଓ ଆବଶ୍ୟକ ସମୟରେ ସେୟାର କରିପାରିବେ। ଏହା ଫଳରେ ଭୌତିକ ଦସ୍ତାବିଜ ଉପରେ ନିର୍ଭରଶୀଳତା କମିବା ସହ ସ୍ୱାସ୍ଥ୍ୟ ସେବା ପ୍ରଦାନ ବ୍ୟବସ୍ଥା ଅଧିକ ସହଜ ଓ ସ୍ୱଚ୍ଛ ହେବ।
ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସିଇଓ ଡ. ସୁନୀଲ କୁମାର ବର୍ଣ୍ଣୱାଲ କହିଛନ୍ତି, ୯୦ କୋଟିରୁ ଅଧିକ ABHA ସୃଷ୍ଟି ନାଗରିକଙ୍କ ବଢ଼ୁଥିବା ଆସ୍ଥା ଏବଂ ଡିଜିଟାଲ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସଫଳତାକୁ ପ୍ରତିଫଳିତ କରୁଛି।