ଦୁବାଇ: ହର୍ମୁଜ୍ ପ୍ରଣାଳୀରେ କୁୱେତ ପତାକା ବହନ କରୁଥିବା ଏକ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି। MT କାଜିମାହ III ନାମକ ଏହି ଟ୍ୟାଙ୍କରରେ ଥିବା ୫ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ଓମାନ କର୍ତ୍ତୃପକ୍ଷଙ୍କ ସହଯୋଗରେ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଛି। ଓମାନସ୍ଥିତ ଭାରତୀୟ ମିଶନ ଏହି ସୂଚନା ଦେଇଛି। ଟ୍ୟାଙ୍କରଟି ହର୍ମୁଜ୍ ପ୍ରଣାଳୀ ଦେଇ ଟୋଗୋର ଲୋମେ ଅଭିମୁଖେ ଯାଉଥିବା ବେଳେ ଆକ୍ରମଣର ଶିକାର ହୋଇଥିଲା। ଘଟଣା ପରେ ଭାରତୀୟ ଦୂତାବାସ ଓ ଓମାନ କର୍ତ୍ତୃପକ୍ଷଙ୍କ ସମନ୍ୱୟରେ ୫ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଅଭିଯାନରେ ସହଯୋଗ ପାଇଁ ଓମାନକୁ ଭାରତୀୟ ମିଶନ ଧନ୍ୟବାଦ ଜଣାଇଛି।
ହର୍ମୁଜ୍ ପ୍ରଣାଳୀ ବିଶ୍ୱର ଏକ ପ୍ରମୁଖ ସାମୁଦ୍ରିକ ବାଣିଜ୍ୟ ପଥ ହୋଇଥିବାରୁ ଏଠାରେ ଜାହାଜ ଚଳାଚଳର ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ବିଶେଷକରି ତୈଳ ଓ ଅନ୍ୟ ଶକ୍ତି ସାମଗ୍ରୀ ପରିବହନ ପାଇଁ ଏହି ଜଳପଥର ଗୁରୁତ୍ୱ ରହିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ, ଉପସାଗରୀୟ ଅଞ୍ଚଳର ବାଣିଜ୍ୟିକ ଜାହାଜଗୁଡ଼ିକରେ ୪,୫୦୦ରୁ ଅଧିକ ଭାରତୀୟ ନାବିକ କାମ କରୁଛନ୍ତି। ଭାରତୀୟ କର୍ତ୍ତୃପକ୍ଷ ଜାହାଜଗୁଡ଼ିକର ଗତିବିଧି ଓ ଭାରତୀୟ କ୍ରୁ ସଦସ୍ୟଙ୍କ ସୁରକ୍ଷା ଉପରେ ନଜର ରଖିଛନ୍ତି।