ତିରୁପତି: ଆନ୍ଧ୍ରପ୍ରଦେଶର ତିରୁପତି ଜିଲା ଶ୍ରୀ ସିଟି ଶିଳ୍ପାଞ୍ଚଳରେ ଶନିବାର ସକାଳେ ଏକ ଫାର୍ମା କାରଖାନାରେ ବଏଲର ବିସ୍ଫୋରଣ ଘଟି ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ କେତେକ ଶ୍ରମିକ ଗୁରୁତର ଆହତ ହୋଇଥିବାବେଳେ, ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ସରକାରୀ ସୂଚନା ଅନୁସାରେ ଦୁଇ ଜଣଙ୍କ ଘଟଣାସ୍ଥଳରେ ଏବଂ ଆଉ ଦୁଇ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।
ସତ୍ୟବେଦୁ ମଣ୍ଡଳ ଅନ୍ତର୍ଗତ ଶ୍ରୀ ସିଟି ସ୍ପେଶାଲ ଇକୋନୋମିକ୍ ଜୋନ୍ରେ ଥିବା ଟିଆଇଏଲ୍ ହେଲ୍ଥକେୟାର କାରଖାନାରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ କାରଖାନାର ଏକ ଅଂଶ କ୍ଷତିଗ୍ରସ୍ତ ହୋଇଥିବାବେଳେ କିଛି ଶ୍ରମିକ ଭିତରେ ଫସି ରହିଥିଲେ। ପୁଲିସ, ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଚଳାଇଥିଲେ। ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ଥିଲା କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉଛି।
ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଏବଂ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।