ଅନୁଗୁଳୁ: ଅନୁଗୁଳୁ ଜିଲ୍ଲାର ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ଅଞ୍ଚଳର ଲୁହାମଣ୍ଡା ଓଭରବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେବାରୁ ବସର ହେଲପରଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି।
ଗତକାଲି ରାତି ପ୍ରାୟ ୧୦ଟା ବେଳେ ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଭିମୁଖେ ୨୦ରୁ ଅଧିକ ଯାତ୍ରୀଙ୍କୁ ନେଇ ‘ଦିଲଖୁସ’ ନାମକ ବସଟି ଯାତ୍ରା ଆରମ୍ଭ କରିଥିଲା। ପ୍ରାୟ ୧୭୦ କିଲୋମିଟର ଅତିକ୍ରମ କରିବା ପରେ ଲୁହାମଣ୍ଡା ଓଭରବ୍ରିଜ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ବସଟି ଧକ୍କା ଦେଇଥିଲା। ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ କେତେକ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ। ଖବର ପାଇ ହଣ୍ଡପା ପୁଲିସ ଓ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ସମସ୍ତ ଗୁରୁତର ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଅନୁଗୁଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।
ଦୁର୍ଘଟଣା ପରେ ବସ ଚାଳକ ଗାଡ଼ି ଭିତରେ ଫସି ରହିଥିଲେ। ଅଗ୍ନିଶମ କର୍ମଚାରୀମାନେ ପ୍ରାୟ ଦୁଇ ଘଣ୍ଟାର ଉଦ୍ୟମ ପରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଥିଲେ। ପୁଲିସ ଉଭୟ ବସ ଓ ଟ୍ରକକୁ ଜବତ କରି ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ସଠିକ୍ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।