ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ବିଶାଖା ଷ୍ଟିଲ୍ ପ୍ଲାଣ୍ଟରରେ ସୋମବାର ସନ୍ଧ୍ୟାରେ ଘଟିଥିବା ଏକ ଭୟଙ୍କର ଔଦ୍ୟୋଗିକ ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଷ୍ଟିଲ୍ ମେଲ୍ଟିଂ ସପ୍ (SMS-2) ଏବଂ STC-3 ୟୁନିଟ୍ରେ ଦ୍ରବୀଭୂତ ଇସ୍ପାତ ବହନ କରୁଥିବା ଏକ ଲ୍ୟାଡଲ୍ରେ ତ୍ରୁଟି ସୃଷ୍ଟି ହେବା ପରେ ବିପୁଳ ପରିମାଣର ଉତ୍ତପ୍ତ ଧାତୁ ଶ୍ରମିକଙ୍କ ଉପରେ ଛିଟି ପଡ଼ିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅତ୍ୟଧିକ ଉଚ୍ଚ ତାପମାତ୍ରାର ଦ୍ରବୀଭୂତ ଇସ୍ପାତ ପରିବହନ ସମୟରେ ଲ୍ୟାଡଲ୍ କିମ୍ବା ଏହା ସହ ସଂଯୁକ୍ତ ଅଂଶ ଭାଙ୍ଗି ପଡ଼ିଥିଲା। ଫଳରେ ମୁହୂର୍ତ୍ତକ ମଧ୍ୟରେ ସମଗ୍ର କାର୍ଯ୍ୟକ୍ଷେତ୍ରରେ ଉତ୍ତପ୍ତ ଧାତୁ ବ୍ୟାପି ଯାଇଥିଲା ଏବଂ ସେଠାରେ କାର୍ଯ୍ୟରତ ଶ୍ରମିକମାନେ ଦୁର୍ଘଟଣାର ଶିକାର ହୋଇଥିଲେ।
ଘଟଣା ପରେ ଅଗ୍ନିଶମ ବିଭାଗ, ପ୍ଲାଣ୍ଟର ସୁରକ୍ଷା ଦଳ ଏବଂ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତ ଶ୍ରମିକମାନଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ଏବଂ କେତେକଙ୍କ ଅବସ୍ଥା ଏବେ ମଧ୍ୟ ସଙ୍କଟାପନ୍ନ ରହିଛି। ଘଟଣାକୁ ନେଇ ଏନ. ଚନ୍ଦ୍ରବାବୁ ନାଇଡୁ ଗଭୀର ଶୋକ ପ୍ରକାଶ କରିବା ସହ ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବା ଏବଂ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମର୍ମନ୍ତୁଦ ଘଟଣା ପରେ ଭାରୀ ଶିଳ୍ପ କ୍ଷେତ୍ରରେ ସୁରକ୍ଷା ମାନଦଣ୍ଡ, ଯନ୍ତ୍ରପାତିର ରକ୍ଷଣାବେକ୍ଷଣ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଶ୍ରମିକ ସଂଗଠନଗୁଡ଼ିକ ଦୁର୍ଘଟଣାର ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।