ନୂଆଦିଲ୍ଲୀ: ଦେଶରେ ଔଷଧ ବିକ୍ରୟ ନିୟମକୁ ଆହୁରି କଡ଼ା କରିଛନ୍ତି କେନ୍ଦ୍ର ସରକାର। ଏଣିକି କଫ ସିରପ ସମେତ ବିଭିନ୍ନ ଔଷଧୀୟ ସିରପ କିଣିବା ପାଇଁ ଡାକ୍ତରଙ୍କ ପ୍ରେସକ୍ରିପସନ ବାଧ୍ୟତାମୂଳକ ହେବ। ଔଷଧ ନିୟମ, ୧୯୪୫ରେ ସଂଶୋଧନ କରି ସରକାର ସିରପର ଓଭର-ଦି-କାଉଣ୍ଟର (OTC) ବିକ୍ରୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଜୁନ୍ ୯, ୨୦୨୬ରେ ଜାରି ହୋଇଥିବା ‘ଔଷଧ (ପଞ୍ଚମ ସଂଶୋଧନ) ନିୟମ, ୨୦୨୬’ ଅନୁଯାୟୀ, ଔଷଧ ନିୟମ, ୧୯୪୫ର ସୂଚୀ-Kରୁ ‘ସିରପ’ ଶବ୍ଦକୁ ହଟାଇ ଦିଆଯାଇଛି। ଫଳରେ ସିରପ ଆଉ OTC ଔଷଧ ଶ୍ରେଣୀରେ ରହିବ ନାହିଁ ଏବଂ ଏହାର ବିକ୍ରୟ କଠୋର ନିୟାମକ ନିୟନ୍ତ୍ରଣ ଅଧୀନକୁ ଆସିବ। ନୂଆ ନିୟମ ଲାଗୁ ହେବା ପରେ ଗ୍ରାହକମାନଙ୍କୁ କଫ ସିରପ ସହ ଅନ୍ୟାନ୍ୟ ଔଷଧୀୟ ସିରପ କିଣିବା ପାଇଁ ପଞ୍ଜିକୃତ ଡାକ୍ତରଙ୍କ ଜାରି କରାଯାଇଥିବା ପ୍ରେସକ୍ରିପସନ ଦେଖାଇବାକୁ ପଡ଼ିବ।
ଏହା ପୂର୍ବରୁ ଯେଉଁ ସିରପଗୁଡ଼ିକ ମେଡିକାଲ ଷ୍ଟୋରରୁ ସିଧାସଳଖ କିଣାଯାଉଥିଲା, ସେଥିରେ ଏବେ କଟକଣା ଲାଗିବ। ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଦୂଷିତ କଫ ସିରପ ସେବନ ସହ ଜଡ଼ିତ ଶିଶୁ ମୃତ୍ୟୁ ଘଟଣା ପରେ ଔଷଧର ଗୁଣବତ୍ତା ଏବଂ ତଦାରଖକୁ ନେଇ ପ୍ରଶ୍ନ ଉଠିଥିଲା। ଏହାପରେ ସିରପ ଉତ୍ପାଦନ ଓ ବିକ୍ରୟ ଉପରେ କଠୋର ନିୟନ୍ତ୍ରଣ ଆଣିବାକୁ ଦାବି ଜୋର ଧରିଥିଲା।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଦେଶବ୍ୟାପୀ ସମସ୍ତ ଔଷଧ ଦୋକାନକୁ ସଂଶୋଧିତ ନିୟମ ପାଳନ କରିବାକୁ ପଡ଼ିବ। ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ସିରପ କିମ୍ବା ସମ୍ବନ୍ଧିତ ଔଷଧୀୟ ଫର୍ମୁଲେସନ ବିକ୍ରୟ କରିବା ଆଉ ଅନୁମତିପ୍ରାପ୍ତ ହେବ ନାହିଁ।