ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ନିଟ୍‌ ପରୀକ୍ଷାରେ ବିଫଳ ପରେ ଛାତ୍ରୀଙ୍କ ଆତ୍ମହତ୍ୟା
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ପ୍ରକାଶ ପାଇଲା ନିଟ୍-ୟୁଜି ପରୀକ୍ଷା ରେଜଲ୍ଟ

0

ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ପକ୍ଷରୁ ନିଟ୍ ୟୁଜି-୨୦୨୬ର ଫଳାଫଳ ପ୍ରକାଶ ପାଇଛି। ଏଥିସହ ଦେଶବ୍ୟାପୀ ଟପ୍ପର ତାଲିକା ମଧ୍ୟ ସାର୍ବଜନୀନ କରାଯାଇଛି। ପଞ୍ଜାବର ଆର୍ଯ୍ୟନ ଗୁପ୍ତା ଓ ହରିୟାଣାର ପଂଶୁଲ ବଂଶଲ ୭୨୦ରୁ ୭୧୫ ନମ୍ବର ରଖି ଯଥାକ୍ରମେ ଅଲ୍ ଇଣ୍ଡିଆ ରାଙ୍କ-୧ ଓ ରାଙ୍କ-୨ ହାସଲ କରିଛନ୍ତି। ଓଡ଼ିଶାରୁ ସାତ୍ତ୍ୱିକ ପଟ୍ଟନାୟକ ରାଜ୍ୟ ଟପ୍ପର ହୋଇଥିବା ବେଳେ ତାଙ୍କର ଅଲ୍ ଇଣ୍ଡିଆ ରାଙ୍କ ୪୦ ରହିଛି। ତେବେ ସେ ପାଇଥିବା ମୋଟ ନମ୍ବର ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ପ୍ରକାଶ ପାଇନାହିଁ।

ଚଳିତ ବର୍ଷ ପ୍ରାୟ ୨୦ ଲକ୍ଷ ପରୀକ୍ଷାର୍ଥୀ ନିଟ୍ ୟୁଜି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୧,୨୧,୧୮୫ ଜଣ ଏମବିବିଏସ୍, ବିଡିଏସ୍, ଆୟୁଷ ଓ ଅନ୍ୟାନ୍ୟ ସ୍ନାତକ ସ୍ତରର ମେଡିକାଲ ପାଠ୍ୟକ୍ରମ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଯୋଗ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରାୟ ୫୮ ପ୍ରତିଶତ ଛାତ୍ରୀ ଥିବାରୁ ଝିଅମାନେ ପୁଣିଥରେ ସଫଳତାରେ ଆଗୁଆ ରହିଛନ୍ତି। ଏନଟିଏ ତଥ୍ୟ ଅନୁସାରେ, ୧୩୮ ଜଣ ପରୀକ୍ଷାର୍ଥୀ ୬୯୦ରୁ ଅଧିକ ନମ୍ବର ହାସଲ କରିଥିବା ବେଳେ ୧୯ ଜଣ ୭୦୦ରୁ ଅଧିକ ନମ୍ବର ପାଇଛନ୍ତି। ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୫.୧୨ ଲକ୍ଷ ଓବିସି-ଏନସିଏଲ ବର୍ଗର, ୨.୯୧ ଲକ୍ଷ ସାଧାରଣ ବର୍ଗର, ୧.୫୯ ଲକ୍ଷ ଏସସି ବର୍ଗର, ୯୫,୦୨୬ ଜଣ ଆର୍ଥିକ ଦୁର୍ବଳ ବର୍ଗର ଏବଂ ୩,୬୬୬ ଜଣ ଦିବ୍ୟାଙ୍ଗ ବର୍ଗର ଅଛନ୍ତି।

ଟପ୍-୧୦ ତାଲିକାରେ ରାଜସ୍ଥାନର ଉପଲକ୍ଷ୍ୟ ଗୋଏଲ ତୃତୀୟ, ବିହାରର ଆୟୁଷ ଭାଲୋଟିଆ ଚତୁର୍ଥ, ମହାରାଷ୍ଟ୍ରର ଶ୍ରାବଣୀ କୁଡାଲେ ପଞ୍ଚମ, ବିହାରର ରିୟା ରଞ୍ଜନ ଷଷ୍ଠ, ଉତ୍ତର ପ୍ରଦେଶର ଆର୍ଯ୍ୟନ ଦୁବେ ସପ୍ତମ, ପଞ୍ଜାବର ଗୀତାଂଶ ସାରିନ ଅଷ୍ଟମ, ରାଜସ୍ଥାନର ଗୌରବ ସିଂହ ନବମ ଓ ମହାରାଷ୍ଟ୍ରର ମାରୁତି ଭୋସଲେ ଦଶମ ସ୍ଥାନ ହାସଲ କରିଛନ୍ତି। ଶୀର୍ଷ ୧୦୦ ରାଙ୍କଧାରୀଙ୍କ ମଧ୍ୟରେ ରାଜସ୍ଥାନର ସର୍ବାଧିକ ୧୨ ଜଣ ପ୍ରାର୍ଥୀ ରହିଥିବା ବେଳେ ମହାରାଷ୍ଟ୍ରର ୧୧ ଜଣ, ପଞ୍ଜାବ ଓ ଦିଲ୍ଲୀର ୮ ଜଣ ଲେଖାଏ, ତାମିଲନାଡୁର ୭ ଜଣ ଏବଂ ଗୁଜରାଟ ଓ କର୍ଣ୍ଣାଟକର ୬ ଜଣ ଲେଖାଏ ପ୍ରାର୍ଥୀ ସ୍ଥାନ ପାଇଛନ୍ତି।

ଏନଟିଏ ପକ୍ଷରୁ ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟ ଟପ୍ପର ତାଲିକା ମଧ୍ୟ ପ୍ରକାଶ କରାଯାଇଛି। ଏଥିରେ ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ସହ ଆନ୍ଧ୍ରପ୍ରଦେଶର ନାମଲା ପ୍ରେରଣା, ଦିଲ୍ଲୀର କାଶଭୀ ଧଲ୍, କର୍ଣ୍ଣାଟକର ବୈଷ୍ଣବୀ ଦାସ ଓ ପଶ୍ଚିମବଙ୍ଗର ସବ୍ୟସାଚୀ ଲସକର ନିଜ ନିଜ ରାଜ୍ୟର ଶ୍ରେଷ୍ଠ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ମେ’ ୩ରେ ଆୟୋଜିତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଯୋଗୁ ବାତିଲ ହୋଇଥିଲା। ପରେ ଜୁନ୍ ୨୧ରେ ପୁନଃ ପରୀକ୍ଷା ଆୟୋଜିତ ହୋଇଥିଲା ଏବଂ ବର୍ତ୍ତମାନ ଏହାର ଫଳାଫଳ ପ୍ରକାଶ ପାଇଛି।

Leave A Reply

Your email address will not be published.